ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ମାଲେସିଆର ପ୍ରଧାନମନ୍ତ୍ରୀ ମହାମହିମ ଦାତୋ ସେରୀ ଅନୱର ଇବ୍ରାହିମ ପେରଡାନା ପୁତ୍ରା ପରିସରରେ ସ୍ୱାଗତ କରିଛନ୍ତି । ସେଠାରେ ତାଙ୍କୁ ଆନୁଷ୍ଠାନିକ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଏହା ପରେ, ଦୁଇ ନେତା ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସରକାରୀ ବାସଭବନ ସେରୀ ପେରଡାନାରେ ସୀମିତ ଏବଂ ପ୍ରତିନିଧିସ୍ତରୀୟ ଆଲୋଚନା କରିଛନ୍ତି ।
ଦୁଇ ନେତା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଏବଂ ୨୦୨୪ରେ ଦୁଇ ଦେଶ ମଧ୍ୟରେ ପ୍ରତିଷ୍ଠିତ ବ୍ୟାପକ ରଣନୀତିକ ସହଭାଗୀତାକୁ ଆହୁରି ମଜବୁତ କରିବାକୁ ସହମତ ହୋଇଥିଲେ। ସେମାନେ ଶହ ଶହ ବର୍ଷ ପୁରୁଣା ଭାରତ-ମାଲେସିଆ ସମ୍ପର୍କ ଏବଂ ଏହି ସହଭାଗୀତାର ଆଧାର ହୋଇଥିବା ଦୃଢ଼ ଲୋକସମ୍ପର୍କକୁ ସ୍ମରଣ କରିଥିଲେ। ନେତାମାନେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗକୁ ବିସ୍ତୃତ ଭାବରେ ସମୀକ୍ଷା କରିଥିଲେ। ଏଥିରେ ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ସୁରକ୍ଷା, ସାମୁଦ୍ରିକ ସହଯୋଗ, ସ୍ୱଚ୍ଛ ଶକ୍ତି, ଭିତ୍ତିଭୂମି, ଷ୍ଟାର୍ଟଅପ୍ସ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଆୟୁର୍ବେଦ, ପର୍ଯ୍ୟଟନ ଏବଂ ସାଂସ୍କୃତିକ ସମ୍ପର୍କ ଭଳି ପ୍ରାଥମିକତା କ୍ଷେତ୍ର ଅନ୍ତର୍ଭୁକ୍ତ। ସେମାନେ ସେମିକଣ୍ଡକ୍ଟର ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଭଳି ଉଦୀୟମାନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ନେତାମାନେ ଦ୍ୱିପାକ୍ଷିକ ଡିଜିଟାଲ୍ ପରିଷଦ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଡିଜିଟାଲ୍ ସହଯୋଗରେ ନିରନ୍ତର ପ୍ରଗତିକୁ ପ୍ରଶଂସା କରିଥିଲେ ଏବଂ ଫିନଟେକ୍ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ୟୁପିଆଇ ଓ ପେନେଟ୍ ମଧ୍ୟରେ ଚୁକ୍ତିନାମାକୁ ସ୍ୱାଗତ କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ସଂସଦୀୟ ଏବଂ ବିଶ୍ୱବିଦ୍ୟାଳୟ ବିନିମୟ ମାଧ୍ୟମରେ ଯୁବ ସମ୍ପର୍କକୁ ସୁଦୃଢ଼ କରିବାକୁ ଆହ୍ୱାନ କରିଥିଲେ। ଏହି ପରିପ୍ରେକ୍ଷୀରେ, ସେ ଭାରତର ନାଳନ୍ଦା ବିଶ୍ୱବିଦ୍ୟାଳୟ ଏବଂ ମାଲାୟା ବିଶ୍ୱବିଦ୍ୟାଳୟ ଏବଂ ଆଇଆଇଟି ମାଡ୍ରାସ ଓ ମାଲେସିଆର ଆଡଭାନ୍ସଡ୍ ସେମିକଣ୍ଡକ୍ଟର ଏକାଡେମୀ ମଧ୍ୟରେ ଜାରି ସହଯୋଗକୁ ସ୍ୱାଗତ କରିଥିଲେ। ମାଲେସିଆରେ ଭାରତର ପ୍ରଥମ ବାଣିଜ୍ୟିକ ଦୂତାବାସ ଖୋଲିବା ଦ୍ୱାରା ବାଣିଜ୍ୟିକ ଏବଂ ଲୋକ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ମଧ୍ୟ ସେ ଉଲ୍ଲେଖ କରିଥିଲେ।
ଦୁଇ ନେତା ବିଶ୍ୱ ଶାସନ ସଂସ୍କାର, ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ଭାରତ-ଆସିଆନ ସହଭାଗୀତା ବୃଦ୍ଧି ସମେତ ପାରସ୍ପରିକ ହିତ ସହ ଜଡ଼ିତ ଆଞ୍ଚଳିକ ଏବଂ ବିଶ୍ୱ ପ୍ରସଙ୍ଗ ଉପରେ ସେମାନଙ୍କର ବିଚାର ବିନିମୟ କରିଥିଲେ। ପ୍ରଧାନମନ୍ତ୍ରୀ ଏଆଇଟିଆଇଜିଏ ସମୀକ୍ଷାର ଶୀଘ୍ର ପରିସମାପ୍ତି ପାଇଁ ଆହ୍ୱାନ କରିଥିଲେ।
ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କୁ 2025ରେ ଆସିଆନ୍ର ସଫଳ ଅଧ୍ୟକ୍ଷତା ପାଇଁ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ 2026ରେ ଭାରତର ବ୍ରିକ୍ସ ଅଧ୍ୟକ୍ଷତା ପାଇଁ ଶୁଭେଚ୍ଛା ଏବଂ ନିଜର ସମର୍ଥନ ପ୍ରକାଶ କରିଥିଲେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଲାଲକିଲ୍ଲା ବିସ୍ଫୋରଣକୁ କଡ଼ା ନିନ୍ଦା କରିଥିବାରୁ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଧନ୍ୟବାଦ ଜଣାଇଥିଲେ ଏବଂ ଆତଙ୍କବାଦ ବିରୋଧରେ ନିରନ୍ତର ଘନିଷ୍ଠ ସହଯୋଗ ପାଇଁ ଆହ୍ୱାନ କରିଥିଲେ।
ଆଲୋଚନା ପରେ ଉଭୟ ପକ୍ଷ ମଧ୍ୟରେ ଡିଜିଟାଲ ପେମେଣ୍ଟ, ସୁରକ୍ଷା ସହଯୋଗ, ସେମିକଣ୍ଡକ୍ଟର, ସ୍ୱାସ୍ଥ୍ୟ ଓ ଔଷଧ, ବିପର୍ଯ୍ୟୟ ପରିଚାଳନା, ଦୁର୍ନୀତି ମୁକାବିଲାରେ ସହଯୋଗ, ଅଡିଓ-ଭିଜୁଆଲ୍ ସହ-ପ୍ରଯୋଜନା, ବୈଷୟିକ ଓ ବୃତ୍ତିଗତ ଶିକ୍ଷା, ଜାତିସଂଘ ଶାନ୍ତିରକ୍ଷା ସହଯୋଗ ଏବଂ ଭାରତୀୟ ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଚୁକ୍ତିନାମା ଆଦାନପ୍ରଦାନ ହୋଇଥିଲା। ଏହା ସହିତ, ମାଲେସିଆ ଅନ୍ତର୍ଜାତୀୟ ବିଗ୍ କ୍ୟାଟ୍ ଆଲାଏନ୍ସ (ଆଇବିସିଏ)ରେ ଯୋଗଦେବା ପାଇଁ ଏହାର ସମସ୍ତ ପ୍ରକ୍ରିୟା ସମାପ୍ତ କରିଛି। ବିନିମୟ ହୋଇଥିବା ବୁଝାମଣାପତ୍ର ଏବଂ ଚୁକ୍ତିନାମାର ଏକ ସମ୍ପୂର୍ଣ୍ଣ ତାଲିକା ଏଠାରେ ମିଳିପାରିବ। [ଲିଙ୍କ]
ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଦଶମ ଭାରତ-ମାଲେସିଆ ସିଇଓ ଫୋରମ୍ ୭ ଫେବୃଆରୀ ୨୦୨୬ରେ ଅନୁଷ୍ଠିତ ହୋଇଥିଲା। ଉଭୟ ପକ୍ଷ ଫୋରମର ଫଳାଫଳ ଡକ୍ୟୁମେଣ୍ଟକୁ ଗ୍ରହଣ କରିଥିଲେ।
ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମାନାର୍ଥେ ଏକ ମଧ୍ୟାହ୍ନ ଭୋଜନ ଆୟୋଜନ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କୁ ତାଙ୍କର ସଦୟ ଆତିଥେୟ ପାଇଁ ଧନ୍ୟବାଦ ଜଣାଇଥିଲେ ଏବଂ ତାଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ କରିଥିଲେ ।