- ସର୍ବନିମ୍ନ ମଜୁରୀ ପ୍ରଦାନ ପାଇଁ ଶ୍ରମ କମିଶନର ଦେଲେ ନିର୍ଦ୍ଦେଶ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଡିଭିଜନାଲ ଶ୍ରମ କମିଶନରଙ୍କ ଅଧ୍ୟକ୍ଷତାରେ ଟାଟା ପାୱାର ଅଧୀନରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ମିଟର ରିଡରମାନଙ୍କ ବିଭିନ୍ନ ପ୍ରକାର ସମସ୍ୟା ନେଇ ଏକ ଆଲୋଚନା ହୋଇଯାଇଛି । ପୂର୍ବରୁ ଟାଟା ପାୱାରରେ ଠିକା ନେଇଥିବା ଅନ୍ୟ ସଂସ୍ଥାମାନେ ଠିକା କର୍ମଚାରୀମାନଙ୍କୁ ଠିକ୍ ଭାବେ ଦରମା ପ୍ରଦାନ କରୁଥିଲେ କିନ୍ତୁ ବର୍ତ୍ତମାନ ନୂତନ ଭାବେ ଆସିଥିବା ଏକ ଘରୋଇ ଠିକା ସଂସ୍ଥା କର୍ମଚାରୀମାନଙ୍କୁ ଶ୍ରମ କୋଡ ଅନୁଯାୟୀ ଦରମା ପ୍ରଦାନ କରୁ ନାହିଁ । ଯାହା ଶ୍ରମ କୋଡ ଓ ମିନିମମ୍ ୱେଜ ଅଧିନିୟମକୁ ଖୋଲାଖୋଲି ଭାବେ ଉଲ୍ଲଘଂନ କରୁଅଛି । ଏ ସଂକ୍ରାନ୍ତରେ କର୍ମଚାରୀମାନେ କହିବାରୁ ସେମାନଙ୍କୁ ସଂସ୍ଥା ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରି ଛଟେଇ କରିବା ପାଇଁ ଖବର କାଗଜରେ ବିଜ୍ଞାପନ ବାହାର ମଧ୍ୟ କରାଗଲା । ଏହା ପରେ ଶ୍ରମ ସଂଗଠନ ନିଖିଳ ଓଡିଶା ବିଦ୍ୟୁତ ମଜଦୁର ମହାସଂଘ ପକ୍ଷରୁ ବଲାଙ୍ଗିର ଡିଭିଜନାଲ ଶ୍ରମ କମିଶନରଙ୍କୁ ପତ୍ର ଦାଖଲ ପରେ ଓ ବଲାଙ୍ଗିର ଡିଭିଜନାଲ ଶ୍ରମ କମିଶନରଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ଆଜି ଏକ ଆଲୋଚନା ହୋଇଛି, ବଲାଙ୍ଗିର ଡିଭିଜନାଲ ଶ୍ରମ କମିଶନର କଡା ନିର୍ଦ୍ଦେଶ ଦେଇଛନ୍ତି ଯେ, ମିନିମମ୍ ୱେଜ ଅଧିନିୟମ ଯେପରି ଉଲ୍ଲଘଂନ ନ ହୁଏ ଓ କର୍ମଚାରୀ ଯେମିତି ଛଟେଇ ନ ହେବେ ତଥା ଠିକ୍ ଦରମା ପାଇବେ ସେ ବିଷୟରେ ଟାଟା ପାୱାର ତଥା ସଂପୃକ୍ତ ଠିକା ସଂସ୍ଥା ଦାରୁବ୍ରହ୍ମ ପ୍ରାଇଭେଟ ଲିମିଟେଡଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ଆଲୋଚନାରେ ଦାରୁବ୍ରହ୍ମ ପ୍ରାଇଭେଟ ଲିମିଟେଡ୍ର କାର୍ଯ୍ୟନିର୍ବାହୀ ଅଧିକାରୀ, ଟାଟା ପାୱାର ପକ୍ଷରୁ ମାନବ ସମ୍ବଳ ଅଧିକାରୀ, ବଲାଙ୍ଗିର ଜିଲ୍ଲା ଭାରତୀୟ ମଜଦୁର ସଂଘର କାହ୍ନା ଶତପଥି ଓ ନିଖିଳ ଓଡିଶା ବିଦ୍ୟୁତ ମଜଦୁର ମହାସଂଘର ସଂପାଦକ ସମ୍ପାଦକ ବିସ୍ମୟ ହୋତା ଉପସ୍ଥିତ ଥିଲେ ।