ମୁଖ୍ୟମନ୍ତ୍ରୀଙ୍କ କୃଷି ଭବନ ପରିଦର୍ଶନ : ଚାଷୀ ସଂଗଠନ ସହିତ ଆଲୋଚନା

  • ଉପ ମୁଖ୍ୟମନ୍ତ୍ରୀ ଓ କୃଷି ବିଭାଗ ପ୍ରମୁଖ ସଚିବଙ୍କ ସହିତ ଚାଷୀ ପ୍ରତିନିଧି ମାନଙ୍କ ଠାରୁ ପ୍ରସ୍ତାବ ନେଲେ
  • ଲୋକଙ୍କ ମୁଖ୍ୟମନ୍ତ୍ରୀ ଲୋକଙ୍କ ଠାରୁ ନେଲେ ପ୍ରସ୍ତାବ, କାର୍ଯ୍ୟକାରୀ କରିବାକୁ ଦେଲେ ପ୍ରତିଶ୍ରୁତି
  • ସବୁ ଯୋଗ୍ୟ ଚାଷୀ ପି.ଏମ୍‌. କିଷାନ ଯୋଜନାରେ ସାମିଲ ହେବେ
  • ସବୁ ସବ୍ ଡିଭିଜନରେ ହେବ କୋଲ୍ଡ ଷ୍ଟୋର, ୫୮ ଟି ସବ୍ ଡିଭିଜନରେ ହେବ କୋଲ୍ଡ ଷ୍ଟୋର୍, ସବୁ ଅଞ୍ଚଳର ଚାଷୀ ପାଇବେ ସୁବିଧା
  • ସମୃଦ୍ଧ କୃଷକ ଯୋଜନାରେ ଚାଷ ଆରମ୍ଭରୁ ଫସଲ ବିକ୍ରି ପର୍ଯ୍ୟନ୍ତ ସରକାର ସହଯୋଗ କରିବେ

ଭୁବନେଶ୍ୱର : ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ସୁନାମ କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କୃଷକ ମାନଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ବିଭିନ୍ନ କୃଷକ ସଂଗଠନ ମାନଙ୍କ ସହିତ ଆଲୋଚନା କରି ଅନେକ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆଜି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀଙ୍କ ସହିତ କୃଷି ଭବନ ପରିଦର୍ଶନ କରିଥିଲେ । ଏହି ଅବସରରେ ପ୍ରମୁଖ ସଚିବ ଶ୍ରୀ ପାଢ଼ୀ କୃଷି ଭବନର ସ୍ଵତନ୍ତ୍ର ନିର୍ମାଣ ଶୈଳୀ ଓ କୃଷକ ମାନଙ୍କ ପାଇଁ ହୋଇଥିବା ବିଭିନ୍ନ ସୁବିଧା ସଂପର୍କରେ ବୁଝାଇ ଥିଲେ । ବୈଠକରେ ଭାରତୀୟ କିଷାନ୍ ସଂଘ, ଗ୍ରାମ ବିକାଶ ପରିଷଦ ଓ ଅନ୍ୟ କୃଷକ ସଂଗଠନର କର୍ମକର୍ତ୍ତା ମାନେ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ । ଆଲୋଚନା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ. ପି. ଏମ୍‌. କିଷାନ ଯୋଜନାରେ ଯେଉଁମାନେ ଯୋଗ୍ୟ ହିତାଧିକାରୀ ଅଛନ୍ତି କିନ୍ତୁ ସାମିଲ ହୋଇ ପାରି ନାହାଁନ୍ତି, ସମସ୍ତଙ୍କୁ ସାମିଲ କରାଯିବ । ଏଥିପାଇଁ ସରକାର ଆବଶ୍ୟକ ବ୍ୟବସ୍ଥା ଓ ନିୟମ ପ୍ରସ୍ତୁତ କରୁଛନ୍ତି । ସେହିପରି କୋଲ୍ଡ ଷ୍ଟୋର୍ ପ୍ରତିଷ୍ଠା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ପ୍ରଥମେ ୫୮ଟି ସବ୍ ଡିଭିଜନରେ କୋଲ୍ଡ ଷ୍ଟୋର୍ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ । ପ୍ରତ୍ୟେକ ସବ୍ ଡିଭିଜନରେ ଗୋଟିଏ ଗୋଟିଏ କୋଲ୍ଡ ଷ୍ଟୋର୍ ହେବା ଦ୍ୱାରା ସବୁ ଅଞ୍ଚଳର ଚାଷୀମାନେ ଲାଭବାନ ହୋଇ ପାରିବେ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ରାଜ୍ୟ ସରକାର ସମୃଦ୍ଧ କୃଷକ ନୀତି ପ୍ରସ୍ତୁତ କରୁଛନ୍ତି । ଏଥିରେ ଚାଷୀ ମାନଙ୍କୁ ଚାଷ ଆରମ୍ଭରୁ ଫସଲ ବିକ୍ରି ପର୍ଯ୍ୟନ୍ତ ପ୍ରତି ପଦକ୍ଷେପରେ ସହଯୋଗ ଓ ସହାୟତା ଯୋଗାଇ ଦିଆଯିବ । ସରକାର ଗଠନର ପ୍ରଥମ ଦିନରେ ଧାନର ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିବାରୁ କୃଷକ ସଂଗଠନ ମାନେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାରଙ୍କୁ ଧନ୍ୟବାଦ୍ ଦେଇଥିଲେ ।

Leave A Reply

Your email address will not be published.