ଫଟାମୁଣ୍ଡାରେ ବିଧବା ବୃଦ୍ଧା ଓ ତାଙ୍କ ପୁଅଙ୍କୁ ଘରେ ପଶି ମରଣାନ୍ତକ ଆକ୍ରମଣ ଅଭିଯୋଗ : ଥାନାରେ ମାମଲା ରୁଜ୍ଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗଁରେଇ ପଞ୍ଚାୟତ ଫଟାମୁଣ୍ଡା ଗ୍ରାମର ସୁମିତ୍ରା ମାହାକୁର(୬୫)ନାମକ ଜଣେ ବିଧବା ବୃଦ୍ଧା ମହିଳା ଓ ତାଙ୍କ ପୁଅଙ୍କ ଘରକୁ ପଶି ମରଣାନ୍ତକ ଆକ୍ରମଣ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏସମ୍ପର୍କରେ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିବା ଜଣାପଡିଛି । ଫଟାମୁଣ୍ଡା ଗ୍ରାମର ବିଧବା ବୃଦ୍ଧା ସୁମିତ୍ରା ଥାନାରେ ଦେଇଥିବା ଲିଖିତ ଏତଲା ମୁତାବକ ସେ ଗତ ୧୦ ତାରିଖ ରାତି ୧୨ଟାରେ ଘରେ ଥିବାବେଳେ ଗ୍ରାମର ଜଗମୋହନ ମାହାକୁର ପ୍ରଚୁର ମଦ୍ୟପାନ କରି ତାଙ୍କ ଘରକୁ ଆସି ବିଧବା ଓ ତାଙ୍କ ପରିବାର ଲୋକଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲା । ବିଧବା ଘରୁ ବାହାରିଲା ପରେ ସେ ତାଙ୍କ ଗାଲରେ ଏକ ଚାପୁଡ଼ା ମାରିଥିଲା । ବିଧବା ମାଙ୍କୁ ମାଡ ମାରୁଥିବା ଦେଖି ତାଙ୍କ ପୁଅ କୋଶଲ ମାହାକୁର ରକ୍ଷା କରିବାକୁ ଆସିବା ବେଳେ ଜଗମୋହନ ଏକ ପଥର ଧରି କୋଶଲଙ୍କ ବାହୁରେ କଚାଡି ଦେଇଥିଲା । ଫଳରେ ତାଙ୍କ ବାହୁରେ ଆଘାତ ଲାଗିବା ସହ ସେ ତାଙ୍କ ଛାତିରେ ମଧ୍ୟ ନଖରେ ଖାରି ଦେବାରୁ ସେଠି ମଧ୍ୟ ଆଘାତ ଲାଗିଥିଲା । ଉଭୟ ମା’ ପୁଅଙ୍କୁ ସେ ଜୀବନରୁ ମାରିଦେବି ବୋଲି ଧମକ ଦେଇଥିଲା । ସେ ପୂର୍ବରୁ ମଧ୍ୟ ଅନେକଥର ତାଙ୍କ ସହିତ ଗଣ୍ଡଗୋଳ କରିସାରିଛି । ଏହି ଗଣ୍ଡଗୋଳ ବେଳେ ଗ୍ରାମର ବାବଲୁ ଟାକ୍ରୀ ସବୁ ଘଟଣା ଦେଖିଥିବା ଓ ଜାଣିଥିବା ବିଧବା ସୁମିତ୍ରା ନିଜ ଏତଲାରେ ଉଲ୍ଲେଖ କରିଛନ୍ତି । ଏସମ୍ପର୍କରେ ଥାନାରେ କେଶ ନଂ ୩୨୧/୨୪ ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ବେଳେ ପୂର୍ବ ଶତ୍ରୁତା ଓ ଜମିବାଡ଼ି ମାମଲାକୁ ନେଇ ଗଣ୍ଡଗୋଳ ହୋଇଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.