ଗରଗଡବାହାଲରେ ପୂର୍ବ ଶତ୍ରୁତାରୁ ଜଣଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା

  • ଦୁଇ ଫେରାର ମୁଖ୍ୟ ଅଭିଯୁକ୍ତ ଭାଇ ଗିରଫ ପରେ କୋର୍ଟ ଚାଲାଣ, ଜେଲ ଗଲେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗରଗଡବାହାଲ ଗ୍ରାମରେ ଗତ ଫେବୃୟାରୀ ମାସରେ ପୂର୍ବ ଶତ୍ରୁତା ଓ ଜମିବାଡିକୁ ନେଇ ଜଳନ୍ଧର ବାଗ(୫୦) ନାମକ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ବେଳେ ତାଙ୍କୁ ଅତି ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ଏ ସମ୍ପର୍କରେ ଗୁରୁତରଙ୍କ ପତ୍ନୀ ଜୟନ୍ତୀ ବାଗ(୪୫) ଥାନାରେ ଏତଲା ଦେଇଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ଏହି ମରଣାନ୍ତକ ଆକ୍ରମଣ ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତ ଗରଗଡବାହାଲ ଗ୍ରାମର ହର ବାଗଙ୍କ ଦୁଇ ପୁଅ ଦାମୋଦର ବାଗ(୪୫) ଓ ଉପେନ୍ଦ୍ର ବାଗ (୩୬)ଙ୍କୁ ପୁଲିସ ବୁଧବାର ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି । ଗରଗଡ଼ବାହାଲ ଗ୍ରାମର ଜଳନ୍ଧର ବାଗ(୫୦) ରାତିରେ ସପରିବାର ସହ ଘରେ ଥିଲେ । ଜମିବାଡ଼ି ଓ ପୂର୍ବ ଶତ୍ରୁତାକୁ ନେଇ ରାତି ୯ଟା ସମୟରେ ଗ୍ରାମର ଦାମୋଦର ବାଗ, ଉପେନ୍ଦ୍ର ବାଗ, ହେରାମ ବାଗ, ବିଷ୍ଣୁ ନାଗ, ଋଷୁ ବାଗ ଓ ଅନ୍ୟମାନେ ଠେଙ୍ଗା, ବାଡ଼ି ସାହାଯ୍ୟରେ ଜଳନ୍ଧରଙ୍କୁ ନିସ୍ତୁକ ମାଡ ମାରି ମରଣାନ୍ତକ ଆକ୍ରମଣ କରିଥିଲେ । ଜଳନ୍ଧରଙ୍କ ଡାହାଣ ଗୋଡ, ମୁଣ୍ଡ ଓ ଦୁଇ ହାତରେ ଗୁରୁତର ଆଘାତ ଲାଗି ପ୍ରଚୁର ରକ୍ତ ମଧ୍ୟ ବାହାରିଥିଲା । ତାଙ୍କର ଗୋଡ ଓ ଦୁଇ ହାତ ଭାଙ୍ଗି ଯାଇଥିବା ବେଳେ ଛାତିରେ ପ୍ରବଳ ଯନ୍ତ୍ରଣା ହେଉଥିଲା । ଗୁରୁତର ଜଳନ୍ଧରଙ୍କୁ ଉଦ୍ଧାର କରି ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଟିଟିଲାଗଡ, ପରେ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଶେଷ ମୁହୂର୍ତ୍ତରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ସେ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଦୀର୍ଘଦିନ ଧରି ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ବର୍ତ୍ତମାନ ମଧ୍ୟ ତାଙ୍କର ଅବସ୍ଥା ଅତି ସଙ୍କଟାପନ୍ନ ଅବସ୍ଥାରେ ରହିଛି । ଆକ୍ରମଣକାରୀମାନେ ଜଳନ୍ଧରଙ୍କ ପରିବାର ଲୋକଙ୍କୁ ନିଶ୍ଚିତ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିବା ଅଭିଯୋଗକାରୀ ଜୟନ୍ତୀ ନିଜ ଏତଲାରେ ଉଲ୍ଲେଖ କରିଥିଲେ । ଦୁଇ ପରିବାର ମଧ୍ୟରେ ଏକଜିମାଲି ଜମି ଓ ପୂର୍ବ ଶତ୍ରୁତାକୁ ନେଇ ଗଣ୍ଡଗୋଳ ହୋଇଥିବା ବେଳେ ଜୟନ୍ତୀଙ୍କ ଏତଲା ଆଧାରରେ ପୁଲିସ ଥାନା କେସ ନଂ ୬୬/୨୪ ଦଫା ୧୪୭/୧୪୮/୩୪୧/୨୯୪/୩୨୩/୩୦୭/୫୦୬/୧୪୯ ଆଇପିସିରେ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଥିଲା । ଏହି ଘଟଣାରେ ସଂପୃକ୍ତ ହେରାମ ବାଗ ନାମକ ଜଣେ ଅଭିଯୁକ୍ତଙ୍କୁ ପୁଲିସ ପୂର୍ବରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏବେବି ଅନ୍ୟ ଦୁଇ ଜଣ ଫେରାର ଥିବା ତଥା ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଦୁଇ ଭାଇଙ୍କ ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.