ବାରବନ୍ଧରେ ଦିବ୍ୟାଙ୍ଗ ସମୁଦୀଙ୍କ ପରିବାରଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ୨ ପୁଅ ସହ ସମୁଦୀଙ୍କୁ କୋର୍ଟ ଚାଲାଣ, ଜେଲ ଗଲେ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଏକ ସାମାନ୍ୟ ପାରିବାରିକ କଳହକୁ କେନ୍ଦ୍ର କରି ନିଜ ଦିବ୍ୟାଙ୍ଗ ସମୁଦୀଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ କରି ଦୁଇ ପୁଅ ସହ ଜଣେ ସମୁଦୀ ଗିରଫ ପରେ କୋର୍ଟ ଚାଲାଣ ସହ ଜେଲ ଯିବା ଚର୍ଚ୍ଚାର ବିଷୟ ହୋଇଛି । ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବାରବନ୍ଧ ଗ୍ରାମର ଦିବ୍ୟାଙ୍ଗ ସୁଦର୍ଶନ ଭୋଇ(୫୦) ଓ ପାଖ ସୁକୁନିପଦର ଗ୍ରାମର ଧନମତ ପାତ୍ର(୬୦) ଉଭୟ ସମ୍ପର୍କରେ ସମୁଦୀ- ସମୁଦୀ ହେବେ।ବୁଧବାର ସନ୍ଧ୍ୟାରେ କୌଣସି ଏକ ଛୋଟ ପାରିବାରିକ କଳହକୁ ନେଇ ଉଭୟ ସମୁଦୀଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଏହି ଗଣ୍ଡଗୋଳ ପରେ ଉଭୟ ପରିବାର ମଧ୍ୟରେ ଉଗ୍ରରୂପ ଧାରଣ କରିଥିଲା । ଧନମତଙ୍କ ସହ ତାଙ୍କ ବଡ ପୁଅ ଧନେଶ୍ଵର ପାତ୍ର(୪୦) ଓ ସାନ ପୁଅ ବେଲଧର ପାତ୍ର(୩୨)ଲୁହା ଛଡ ଓ ବାଡ଼ି ଆଦିରେ ଦିବ୍ୟାଙ୍ଗ ସମୁଦୀ ସୁଦର୍ଶନ ଭୋଇ, ଦିବ୍ୟାଙ୍ଗ ରତ୍ନୁ ଭୋଇ(୩୫) ଓ ପରମାନନ୍ଦ ଭୋଇ(୨୪)ଙ୍କୁ ମରଣାନ୍ତକ ଆକ୍ରମଣ କରି ନିସ୍ତୁକ ମାଡ ମାରିଥିଲେ । ଫଳରେ ଦିବ୍ୟାଙ୍ଗ ସୁଦର୍ଶନଙ୍କ ମୁଣ୍ଡ ଫାଟି ଯିବା ସହ ସେ ରକ୍ତାକ୍ତ ହୋଇଥିଲେ । ସେହିପରି ଦିବ୍ୟାଙ୍ଗ ରତ୍ନୁ ଓ ପରମାନନ୍ଦ ମଧ୍ୟ ଗୁରୁତର ଆହତ ହୋଇଥିଲେ । ଖବର ପାଇ ମୁରିବାହାଲ ଥାନା ପୁଲିସ ରାତିରେ ଗାଁକୁ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ଗୁରୁତର ସୁଦର୍ଶନଙ୍କ ମୁଣ୍ଡରେ ୮ଟି ଷ୍ଟିଚ ପଡ଼ିଥିବା ଜଣାପଡିଛି । ଦିବ୍ୟାଙ୍ଗ ସୁଦର୍ଶନ ଭୋଇଙ୍କ ଏତଲା ଆଧାରରେ ପୁଲିସ କେଶ ନଂ ୨୬୭/୨୪ ରୁଜୁ କରି ଥାନା ସବଇନ୍ସେକ୍ଟର ଦନାର୍ଦନ ଓରାମ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ପରେ ଏହି ଘଟଣାରେ ସଂପୃକ୍ତ ଧନମତ ପାତ୍ର,ତାଙ୍କ ଦୁଇ ପୁଅ ଧନେଶ୍ଵର ଓ ବେଳଧରଙ୍କୁ ଗିରଫ କରି ଅଧିକ ତଦନ୍ତ ପରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ୩ ବାପପୁଅଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.