ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ନୀଳାଦ୍ରିପୁର ଗ୍ରାମର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀ ମନ୍ଦିରରେ ଆୟୋଜିତ ମା’ ରାମଚଣ୍ଡୀ ମହୋତ୍ସବ -୨୦୨୫ରେ ବିବିଧ ସାଂସ୍କୃତିକଧର୍ମୀ କାର୍ଯ୍ୟକ୍ରମମାନ ତିନି ଦିନ ଧରି ସମାହିତ ହୋଇଥିଲା । ସାଧୁସନ୍ଥ ସମ୍ମିଳନୀ, ଜ୍ଞାନଯଜ୍ଞ କାର୍ଯ୍ୟକ୍ରମ ମଧ୍ୟରେ ଅବିଭକ୍ତ ଗଞ୍ଜାମ ଜିଲ୍ଲାର ଦ୍ଵାଦଶ ଭଞ୍ଜ-ପାଲା କଳାକାର ସଙ୍ଘ ପକ୍ଷରୁ ବାଦିପାଲା ମଞ୍ଚ ପରିବେଷଣ ବୁଦ୍ଧିଜୀବୀ ତଥା ଆଧ୍ୟାତ୍ମିକ ଜାଗରଣ ବ୍ୟକ୍ତି ବିଶେଷଙ୍କୁ ବେଶ୍ ଆକର୍ଷିତ କରିଥିଲା । ପର୍ବତ ଉପରେ ମା’ଙ୍କ ସମ୍ମୁଖରେ ଗଞ୍ଜାମ ଜିଲ୍ଲା ଭଞ୍ଜ-ପାଲା କଳାକାର ସଙ୍ଘ ପକ୍ଷରୁ ଦ୍ଵାଦଶ ଅବିଭକ୍ତ ଗଞ୍ଜାମ ଜିଲ୍ଲା ଭଞ୍ଜପାଲା ପରିବେଷଣ କାର୍ଯ୍ୟକ୍ରମ ଫେବୃଆରୀ ୧୭ ଓ ୧୮ ଦୁଇ ଦିନ ଧରି ଚାଲିଥିଲା । ଉକ୍ତ ସମ୍ମିଳନୀର ଆନୁଷ୍ଠାନିକ ଉଦ୍ଘାଟନ ଉତ୍ସବ ମଞ୍ଚରେ ରାଜ୍ୟ ପାଲା ବୋର୍ଡ଼ର ସଂପାଦକ ଗାୟକ ସାରସ ସୁଦର୍ଶନ ମହାପାତ୍ର, ନୀଳାଚଳ ନିଖିଳୋତ୍କଳ ପାଲା ଗାୟକ ପରିଷଦ, ଓଡିଶାର ସଭାପତି ଗାୟକ ସିନ୍ଧାନ୍ତଦର୍ଶୀ ମଦନ ମୋହନ ଜେନା, ଭଞ୍ଜ ପାଲା କଳାକାର ସଂଘର ସଭାପତି ଦିବାକର ପଣ୍ଡା, ସଂପାଦକ ସୁଦର୍ଶନ ଵେହେରା, ମା’ ରାମଚଣ୍ଡୀ ଶକ୍ତିପୀଠର ସଂଯୋଜକ ତଥା ମୁଖ୍ୟ ଉଦ୍ୟକ୍ତା କମଳ କୁମାର ପଣ୍ଡା, ଟ୍ରଷ୍ଟି ଲକ୍ଷ୍ମୀ ନୃସିଂହ ପଣ୍ଡା, ସମାଜସେବୀ ପ୍ରଶାନ୍ତ କର, ବରିଷ୍ଠ ସନ୍ଥ ସ୍ୱାମୀ ଅଖିଳାନନ୍ଦ ସରସ୍ୱତୀ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ । ସଭାକାର୍ଯ୍ୟ ସଂପାଦନ କରିଥିବାବେଳେ, ଆଷ୍ଟ୍ରୋହଵ ଜ୍ୟୋତିଷ ଗବେଷଣା କେନ୍ଦ୍ର, ଛତ୍ରପୁର ର ଜ୍ୟୋତିଷୀ ଦୀପକ କୁମାର ଦାଶ ମଞ୍ଚ ପରିଚାଳନା କରିଥିଲେ । ୧୭/୨/୨୦୨୫ ସନ୍ଧ୍ୟାରେ ୨ ଗୋଟି ପାଲା ଦଳ ଯଥା : ଗାୟକ ସୁଦର୍ଶନ ଵେହେରାଙ୍କ ନେତୃତ୍ୱରେ ମା’ ମଙ୍ଗଳା ପାଲା ପରିଷଦ, ଛତ୍ରପୁର, ଗଞ୍ଜାମ ଏବଂ ଗାୟକ ସତ୍ୟ ନାରାୟଣ ଗୌଡ଼ଙ୍କ ନେତୃତ୍ୱରେ ଶ୍ରୀଶ୍ରୀ ସତ୍ୟ ନାରାୟଣ ପାଲା କଳା ପରିଷଦ, ପ୍ରୟାଗୀ ପାଲା ପରିଵେଷଣ ହୋଇଥିଲା । ୧୮/୨/୨୫ ସନ୍ଧ୍ୟାରେ ଗାୟକ ବାଳକୃଷ୍ଣ ନାୟକଙ୍କ ନେତୃତ୍ୱରେ ଶ୍ରୀଶ୍ରୀ ସତ୍ୟନାରାୟଣ ପାଲା ପରିଷଦ, ନରେନ୍ଦ୍ରପୁର, ଗଞ୍ଜାମ ଏବଂ ଗାୟକ ରାଜେନ୍ଦ୍ର ଗୌଡ଼ଙ୍କ ନେତୃତ୍ୱରେ ମା’ କୁଠାରୀଶ୍ୱରୀ ପାଲା ସଂଘ, ବୁରୀପଦର, ସୁରଙ୍ଗୀ ପକ୍ଷରୁ ପାଲା ପରିବେଷଣ ହୋଇଥିଲା । ଏହି ଗଞ୍ଜାମ ଓ ଗଜପତି ଜିଲ୍ଲାର ଶତାଧିକ ପାଲା କଳାକାର ସମ୍ମିଳନୀରେ ଯୋଗ ଦେଇଥିଲେ । ସମସ୍ତଙ୍କୁ ମା’ରାମଚଣ୍ଡୀ ଶକ୍ତିପୀଠ ପରିବାର ତରଫରୁ ସମ୍ମାନିତ କରାଯାଇଥିଲା । ଆଗାମୀ ଦିନରେ ଲୋକକଳା କଳାକାର ମାନଙ୍କ ଏପରି ଅନେକ ସମ୍ମିଳନୀ ମା’ ରାମଚଣ୍ଡୀ ଶକ୍ତି ପୀଠରେ ଆୟୋଜିତ କରାଯିବ ବୋଲି ସଂଯୋଜକ କମଳ କୁମାର ପଣ୍ଡା କଳାକାର ମାନଙ୍କୁ ଉତ୍ସାହିତ କରି ଧନ୍ୟବାଦ ଜ୍ଞାପନ ପୂର୍ବକ ସମ୍ମିଳନୀ ସମାପନ କରିଥିଲେ ।
Next Post