
ସୋରଡ଼ା : ସୋରଡାକୁ ମେରୁ ଯାତ୍ରା ଦେଖିବାକୁ ଆସି ସଂଘବଦ୍ଧ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ ଯୁବକ । ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ତାଙ୍କ ମୃତ୍ୟୁ ଘଟିଛି । ମୃତକ ନୂଆଁ ଖିଲାବାଡି ଗ୍ରାମର ସୁବାଷ ନାୟକ ବୋଲି ଜଣାପଡ଼ିଛି । ସୋରଡା ପୁଲିସ ଶବ ଜବତ କରି ଭଞ୍ଜନଗର ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଗଞ୍ଜାମ ଜିଲ୍ଲାରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । ସୂଚନା ମୁତାବକ, ଏପ୍ରିଲ ୧୪ ତାରିଖରେ ସୋରଡା କାଳୀ ମନ୍ଦିର ଠାରେ ମେରୁ ଯାତ୍ରା ଚାଲିଥିବା ବେଳେ ନୂଆଁ ଖିଲାବାଡି ଗ୍ରାମର କିଛି ଲୋକ ମେରୁ ଦେଖିବାକୁ ଆସିଥିଲେ । ସେଠାରେ ଗଣ୍ଡଗୋଳ ହୋଇଥିଲା । ପରେ ସ୍ଥାନୀୟ ଲୋକମାନଙ୍କ ସଂଘବଦ୍ଧ ଆକ୍ରମଣରେ ସେହି ଗ୍ରାମର ସୁବାଷ ନାୟକ ଗୁରୁତର ଆହତ ହୋଇଥିଲେ । ଏଥିରେ ନୂଆ ଖିଲାବାଡି ଗ୍ରାମର ୧୩ ଜଣ ମଧ୍ୟ ଆହତ ହୋଇଥିଲେ । ଏହି ଘଟଣାରେ ଗ୍ରାମର ପ୍ରମୋଦ ଦାସଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଏଥିରେ ସଂପୃକ୍ତ ଅଭିଯୋଗରେ ୬ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅପରପକ୍ଷରେ ଗୁରୁତର ଆହତ ସୁବାଷ ନାୟକଙ୍କୁ ତୁରନ୍ତ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା । ପରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ମଧ୍ୟ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ନହେବାରୁ ଗତକାଲି ସୁବାଷ ନାୟକଙ୍କୁ ପରିବାର ଲୋକେ ଗାଁକୁ ନେଇ ଆସିଥିଲେ । ଆଉ ଆଜି ସୁବାଷ ନାୟକଙ୍କ ମୃତ୍ୟୁ ଘଟିଛି ।