ମୁରିବାହାଲ ଆଦର୍ଶ ବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ଛୋଟରାୟ ମାରାଣ୍ଡିଙ୍କ ଅକାଳ ବିୟୋଗ

  • ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମହଲରେ ଶୋକର ଛାୟା
  • ବ୍ଲକ କ୍ରୀଡା ଶିକ୍ଷକ ସଂଘ ପକ୍ଷରୁ ଶୋକସଭା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଛୋଟରାୟ ମାରାଣ୍ଡି(୩୭)ଙ୍କ ସୋମବାର ଅପରାହ୍ନରେ ଚିକିତ୍ସାଧିନ ଅବସ୍ଥାରେ ଅକାଳ ବିୟୋଗ ଘଟିଛି । ଶ୍ରୀ ମାରାଣ୍ଡି ମୂଳତଃ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ତିରିଂ ଥାନା ସାନଭୁଣ୍ଡ ପଞ୍ଚାୟତ ସିଦାଡିହି ଗ୍ରାମର ସ୍ଥାୟୀ ବାସିନ୍ଦା ହୋଇଥିବା ବେଳେ ମୁରିବାହାଲ ଆଦର୍ଶ ବିଦ୍ୟାଳୟ ଆରମ୍ଭ ଦିନରୁ ଏଠାରେ କ୍ରୀଡା ଶିକ୍ଷକ ଭାବେ ଯୋଗଦେଇ ପରିବାର ସହ ରହି ଆସୁଥିଲେ । ସେ ଦୀର୍ଘଦିନରୁ ମୁଖ କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ସୋମବାର ତାଙ୍କୁ ରାଇରଙ୍ଗପୁରରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ତାଙ୍କର ପରଲୋକ ହୋଇଯାଇଥିବା ପରିବାର ସୂତ୍ରରୁ ଜଣାପଡିଛି । ଶ୍ରୀ ମାରାଣ୍ଡିଙ୍କ ପରାଲୋକ ଖବର ପାଇ ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଶୋକର ଛାୟା ଖେଳିଯାଇଥିଲା । ଅଧ୍ୟକ୍ଷ ପିତାମ୍ବର ବେସ୍ରାଙ୍କ ସଭାପତିତ୍ୱରେ ବିଦ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ବିଦ୍ୟାଳୟର ସାଥୀ ଶିକ୍ଷକ ପ୍ରକାଶ କୁମାର ରାଉତଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସେହିପରି ବ୍ଲକ କ୍ରୀଡା ଶିକ୍ଷକ ସଂଘ ପକ୍ଷରୁ ମଧ୍ୟ ଏକ ଶୋକସଭା ସ୍ଥାନୀୟ କେଜିବିବି ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ଲକ ବିଇଓ ଶାନ୍ତନୁ କୁମାର ପଢିହାରି, ଏବିଇଓ ହୀରା ସିଂ ମାଝୀ ଓ ବ୍ଲକ କ୍ରୀଡା ସମ୍ପାଦକ କୁବେରଲାଲ ବେହେରାଙ୍କ ସହ ବ୍ଲକର ସମସ୍ତ କ୍ରୀଡା ଶିକ୍ଷକ ଯୋଗ ଦେଇ ଶ୍ରୀ ମାରାଣ୍ଡିଙ୍କ ସ୍ମୃତି ଚାରଣ କରି ଗଭୀର ଶୋକ ପ୍ରକାଶ କରିଥିଲେ । ଶ୍ରୀ ମାରାଣ୍ଡିଙ୍କ ପରିବାରରେ ତାଙ୍କ ଧର୍ମପତ୍ନୀ ଓ ଏକ ଛୋଟ ଝିଅ ଥିବା ବେଳେ ସେ ଜଣେ ମେଳାପୀ ଓ ଛାତ୍ରଛାତ୍ରୀଙ୍କ ମହଲରେ ଅତି ପରିଚିତ କ୍ରୀଡା ଶିକ୍ଷକ ଥିବାରୁ ତାଙ୍କ ବିୟୋଗରେ ମୁରିବାହାଲ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

jittmm
Leave A Reply

Your email address will not be published.