ଅଜବ ଘଟଣା : ବିନା କିଣା ବିକାରେ ମିଥ୍ୟା ବ୍ୟକ୍ତିଙ୍କ ନାମରେ ଜମି ପଟ୍ଟା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବିଜେପୁର ତହସିଲ ଅନ୍ତର୍ଗତ ବାଦିମାଲ ଗ୍ରାମରେ ଆଜକୁ ୩୦ବର୍ଷ ପୂର୍ବେ ଏକ ଅଜବ ଘଟଣାର ବିବରଣୀ ଶୁଣିବାକୁ ମିଳୁଛି । ଏହି ବିଷୟରେ ତପିସା ନାମ୍ନୀ ଆଦିବାସୀ ମହିଳା ତପିସା ଭୋଇ ପ୍ରଶାସନର ଆଶ୍ରୟ ନେବା ସତ୍ତ୍ବେ କୌଣସି ଫଳ ମିଳିନି । ଏହି ବାବଦରେ ଗତ ତା ୮/ ୪/ ୨୧ରେ ପଦ୍ମପୁର ଉପ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ତପିସା ଭୋଇ ବିଜେପୁର ତହସିଲ ଅନ୍ତର୍ଗତ ବାଦିମାଲ ଗ୍ରାମର ସ୍ୱର୍ଗତ କୃଷ୍ଣ ଭୋଇଙ୍କର ବଡ ଝିଅ ଅଟନ୍ତି । ତାଙ୍କର ବାପା ୨୦୧୮ ମସିହାରେ ମୃତ୍ୟୁବରଣ କରିଛନ୍ତି । ବାଦିମାଲ ଗ୍ରାମରେ ସ୍ୱର୍ଗତ ଭୋଇଙ୍କର ଖାତା ନଂ ୨୭ରେ ଏକ ଏକର ଜମି ବାଦିମାଲ ପଦ୍ମପୁରରୁ ବିଜେପୁର ମୁଖ୍ୟ ରାସ୍ତା ପୁଜିଂପଥର ଛକରେ ଅଛି । ତାଙ୍କର ବାପା ଜୀବିତ ଅବସ୍ଥାରେ ଥିବା ସମୟରେ ତାଙ୍କର ଅଜାଣତରେ ୧୯୯୧ ମସିହାରେ ମିଥ୍ୟା ବ୍ୟକ୍ତିଙ୍କର ନାମରେ ବିକ୍ରୟ ସୂତ୍ରରେ ୨୪ ଡିସିମିଲ୍‌ ରେଜିଷ୍ଟ୍ରି ହୋଇ ଖାତା ନଂ ୨୦୨/ ୧୪୮ ଖାତାକୁ ରେକର୍ଡ ହୋଇଯାଇଛି । କିନ୍ତୁ ଯେଉଁ ବ୍ୟକ୍ତିଙ୍କର ନାମରେ ୨୪ ଡିସିମିଲ୍‌ ପଟ୍ଟା ରେକର୍ଡ ହୋଇଯାଇଛି, ସେହି ବ୍ୟକ୍ତି ଜଣକ ଲାଲ କର୍ରି, ପି. ଘାସି କର୍ରି ବୋଲି ରେକର୍ଡ ନଥିବା ବେଳେ ସେହି ବ୍ୟକ୍ତିଙ୍କୁ ଅନୁସନ୍ଧାନ କରିବାରୁ ଲାଲ କର୍ରି, ପି. – ଘାସି କର୍ରି ବୋଲି ଚାରପାଲି ଗ୍ରାମରେ କେହି ନଥିବା ଜଣାପଡିଛି । ପୁଣି ସେହି ଜମି ୨୦୨/ ୧୪୮ ଖାତାରେ ଥିବା ମାଲଗୁଜାରୀ ମଧ୍ୟ ଅସୁଲି ହେଉନାହିଁ । ଉକ୍ତ ଜମିର ଖଜଣା କୃଷ୍ଣ ଭୋଇଙ୍କ ନାମରେ କଟୁଛି । ପ୍ରକାଶ ଥାଉ କି ଜନୈକ ବ୍ୟକ୍ତି ସେହି ୨୪ ଡିସିମିଲ ଜମିରେ ଦୋକାନ ବସାଇଛି । ଏହି ସମସ୍ତ ବିଷୟ ଜାଣି ତପିସା ଭୋଇ ଉକ୍ତ ଜମିକୁ ଫେରାଇ ଆଣିବା ପାଇଁ ପ୍ରଶାସନର ଦ୍ୱାରସ୍ଥ ହେଲେ ମଧ୍ୟ କିଛି ଫଳପ୍ରଦ ହୋଇନାହିଁ । ତେଣୁ ଏହାର ସତ୍ୟାସତ୍ୟ ତଦନ୍ତ କରି ନୂତନ ଭାବରେ ଯୋଗଦାନ କରିଥିବା ଉପ ଜିଲ୍ଲାପାଳ ସଦୟ ହୋଇ ହଡ଼ପ ହୋଇଥିବା ଆଦିବାସୀ ଜମିର ପର୍ଦ୍ଦାଫାସ କରି ଉକ୍ତ ଜମିକୁ ଖାତା ନଂ ୨୭କୁ ଫେରାଇ ଆଣିବା ପାଇଁ ଦାବୀ କରିଛନ୍ତି ।

Leave A Reply

Your email address will not be published.