ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅନ୍ୟତମ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ରୋଜା ଡ୍ୟାନ୍ସ ଏକାଡେମୀର ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ ଆସନ୍ତା ୨୩ ଓ ୨୪ ତାରିଖରେ ଭଞ୍ଜଭବନ ଠାରେ ଅନୁଷ୍ଠିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଅନୁଷ୍ଠାନ ପକ୍ଷରୁ କୋଏଲ୍ନଗର ସ୍ଥିତ ଅବସରପ୍ରାପ୍ତ ଇସ୍ପାତ କାରଖାନା କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିର୍ଦ୍ଦେଶକ ଆଲୋକ ଜେନା, ସଭାପତି ବିଜୟ ମୁଖୀ, ସମ୍ପାଦିକା ଶିବାନୀ ରଣା, ନୂତନ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ସ୍ୱାଇଁ ଓ ଅନ୍ୟମାନେ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ, ସମ୍ପ୍ରତି ବଲିଉଡରେ ସହକାରୀ ନୃତ୍ୟ ନିର୍ଦ୍ଦେଶିକା ଭାବରେ କାର୍ଯ୍ୟରତ ରୋଜା ରାଣାଙ୍କ ଆଭିମୁଖ୍ୟ ଅନୁଯାୟୀ ଚଳିତ ଥର ଅନୁଷ୍ଠାନ ତରଫରୁ ଏକ ଜାତୀୟ ସ୍ତରର ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଉଛି । ଆସନ୍ତା ନଭେମ୍ବର ୨୩ – ୨୪ ତାରିଖ ଦିନ ସ୍ଥାନୀୟ ଭଞ୍ଜଭାବନ ପ୍ରେକ୍ଷାଳୟରେ ନୃତ୍ୟ କ୍ଷେତ୍ରରେ ରୁଚି ରଖୁଥିବା କନିଷ୍ଠଙ୍କ ଠାରୁ ବରିଷ୍ଠ ବର୍ଗ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଉକ୍ତ ପ୍ରତିଯୋଗିତା ପାଇଁ ସୁଦୂର ମୁମ୍ବାଇରୁ ରୋଜା ରାଣା ଏବଂ ପଶ୍ଚିମବଙ୍ଗରୁ ନୃତ୍ୟ କ୍ଷେତ୍ର ପ୍ରସିଦ୍ଧି ହାସଲ କରିଥିବା ସୁସ୍ମିତା ତମଙ୍ଗ ବିଚାରକ ମଣ୍ଡଳୀରେ ଯୋଗ ଦେବେ ବୋଲି ସମ୍ମତି ପ୍ରଦାନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀର ପ୍ରାରମ୍ଭରେ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଜେନା, ସଭାପତି ଶ୍ରୀ ମୁଖୀ ଓ ସମ୍ପାଦିକା ଶିବାନୀ ପ୍ରମୁଖ ସମାଜସେବୀ ତଥା ଉଦ୍ୟୋଗପତି ବିଷ୍ଣୁପ୍ରିୟା ସ୍ୱାଇଁଙ୍କୁ ନୃତ୍ୟାନୁଷ୍ଠାନର ଅଧ୍ୟକ୍ଷା ପଦ ମଣ୍ଡନ କରିଥିବାରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ମୁଖୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ନୃତ୍ୟାନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ସମ୍ପାଦିକା ଶିବାନୀ ରାଣା ସମସ୍ତଙ୍କର ପରିଚୟ ପ୍ରଦାନ କରିବା ସହ ପ୍ରଥମ କରି ଜାତୀୟ ସ୍ତରରେ ନୃତ୍ୟ ପ୍ରତିଯୋଗିତା ଆଜା ନାଚଲେ କିପରି ସୁରୁଖୁରୁରେ କରାଯାଇପାରିବ ବୋଲି ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । ଉପସଭାପତି ରୋଜା ରାଣା ଉଦୀୟମାନ ନୃତ୍ୟ ପ୍ରତିଭା ମାନଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରେ କିପରି ପ୍ରତିଯୋଗିତା ମାଧ୍ୟମରେ ପ୍ରତିଷ୍ଠିତ କରାଯାଇ ପାରିବ ସେ ସମ୍ପର୍କରେ ସୂଚନା ଦେଇଥିଲେ । ଶେଷରେ ସାଂସ୍କୃତିକ ସମ୍ପାଦକ ସ୍ମୃତିରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦୀପିକା ପାତ୍ର, ଟୁନା ଗୌଡ, ସୂରଜ ତରି, ହରେନ୍ଦ୍ର ନାୟକ, ସୋମେଶ୍ୱରୀ ନାୟକ, ସସ୍ମିତା ଜେନା, ବିଭୂତି ଭୂଷଣ ସେଠୀ ଓ ମନୀଷା ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Prev Post