ଏଆଇଟିଟି ମହିଳା ବିଭାଗ ଟପ୍ପର ପୂଜା ମାହାର : ପୂଜାଙ୍କ ସଂଘର୍ଷ ଅନ୍ୟମାନଙ୍କ ପାଇଁ ପ୍ରେରଣା

ମ.ରାମପୁର, (ହେମନ୍ତ ସାହୁ) : ସର୍ବଭାରତୀୟ ଟ୍ରେଡ଼ ଟେଷ୍ଟ(ଏଆଇଟିଟି)ରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଆଇଆଇଟିର(ଏମଏମଭି) ପୂଜା ମାହାର ସର୍ବଭାରତୀୟ ସ୍ତର ମହିଳା ବିଭାଗରେ ପ୍ରଥମସ୍ଥାନ ଅଧିକାର କରିଛନ୍ତି । ଏହି ଖବରଟି କଳାହାଣ୍ଡିବାସୀଙ୍କ ପାଇଁ ଯେତିକି ଉତ୍ସାହପ୍ରଦ, ପୂଜାଙ୍କ ପାଇଁ ସେତିକି ପ୍ରେରଣାଦାୟକ । ପୂଜାଙ୍କ ଅତୀତର ସଂର୍ଘଷର କାହାଣୀ ଯଦି ଆପଣମାନେ ପଢିବେ ବା ଜାଣିବେ, ଆପଣ ବି କହିବେ, ସତରେ ପଙ୍କରୁ ପଦ୍ମ ହେଉଛନ୍ତି ପୂଜା ଏବଂ ପୂଜାଙ୍କ ସଂର୍ଘଷ ଆଉ ସଫଳତାର କାହାଣୀ ଅନ୍ୟମାନଙ୍କ ପାଇଁ ଉଦାହରଣ ନିଶ୍ଚୟ । ତେବେ କଳାହାଣ୍ଡି ଜିଲ୍ଲା ମ.ରାମପୁର କୁସୁମ ନଗରରେ ରହୁଥିବା ପୂଜା ମାହାରଙ୍କ ସଫଳତା ପରେ ତାଙ୍କ ବିଷୟରେ ଓ ତାଙ୍କ ସଂଘର୍ଷ ବିଷୟରେ ଆମ ପ୍ରତିନିଧି ତାଙ୍କ ସହିତ ଆଲୋଚନା କରିଛନ୍ତି । ପୂଜାଙ୍କ ବାପା-ମାଁ ମ.ରାମପୁରରେ ରହୁଥିଲେ । ପୂଜା ଏବଂ ତାଙ୍କ ସାନଭାଇଙ୍କୁ ନେଇ । ପୂଜା ଅକ୍ଟୋବର ୨୪ ୨୦୦୦ ମସିହାରେ ସ୍ୱର୍ଗତ ପୀତାମ୍ବର ମାହାର ଏବଂ ମାତା ସୀତା ମାହାରଙ୍କ କୋଳ ମଣ୍ଡନ କରିଥିଲେ । ତେବେ ବିଧିର ବିଧାନ ଥିଲା ଅଲଗା । ପୂଜା ଯେତେବେଳେ ଚତୁର୍ଥରେ ପଢୁଥିଲେ ସେତିକି ବେଳେ ତାଙ୍କ ବାପାଙ୍କର ପରଲୋକ ହେଇଗଲା । ସଂପୂର୍ଣ୍ଣ ଭାବରେ ଭାଙ୍ଗିପଡ଼ିଥିଲେ ପୂଜାଙ୍କ ମାଁ । କାରଣ ଏଠାରେ ତାଙ୍କର କେହି ନାହାନ୍ତି । ପୂଜାଙ୍କ ବାପା-ମାଁ ପ୍ରେମ ବିବାହ କରି ଏଇଠାରେ ଆସି ନୂତନ ସଂସାର ଆରମ୍ଭ କରିଥିଲେ ଯଦିଓ ପୂଜାଙ୍କ ବାପାଙ୍କ ଘର ସୋନପୁର ଅଂଚଳରେ । ଅସହାୟ ହୋଇପଡ଼ିଥିଲେ ପୂଜାଙ୍କ ମା’ ଏଭଳି କାଳବେଳାରେ । ଏମିତି ବି ହେଲା ପୂଜାଙ୍କ ପାଠପଢାରେ ଏକବର୍ଷ ପାଇଁ ଡ଼ୋରୀ ବନ୍ଧା ହେଲା । ମା’ ପରଘରେ ମୁଲ ଲାଗି ପୂଜା ଓ ତାଙ୍କ ସାନଭାଇଙ୍କୁ ପ୍ରତିପୋଷଣ କରୁଥିଲେ । ତେବେ ପୂଜାଙ୍କ ପାଠ ପଢିବାର ଇଚ୍ଛା କାରଣରୁ ସେ ପଢୁଥିବା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସହିତ ଯୋଗାଯୋଗ କରି ପୂଜାଙ୍କ ନାମ ଷଷ୍ଠଶ୍ରେଣୀରେ ଲେଖାଇଦେଲେ । କସ୍ତୁରବାରେ ପଢିଲା ବେଳେ ସେ ପାଠ ସହିତ ଖେଳ, କୁଦ, ନାଚ ଆଦିରେ ଆଗଧାଡ଼ିରେ ରହୁଥିଲେ । ଜିଲ୍ଲାସ୍ତରୀୟ କ୍ରୀଡ଼ରେ ସଫଳତା ପାଉଥି୍‌ଲେ ଏବଂ ରାଜ୍ୟ ସ୍ତରରେ ବି । ଏହି ପ୍ରତିଭା ତାଙ୍କୁ ପରବର୍ତ୍ତୀ ସମୟରେ ଖୁବ ସହାୟକ ହେଇଥିଲା । ତେବେ ଷଷ୍ଠରୁ ଅଷ୍ଟମ ଶ୍ରେଣୀଯାଏଁ କସ୍ତୁରବା ଗାନ୍ଧୀରେ ପାଠ ପଢିଥିଲେ । ପରେ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ ସଂସ୍ପର୍ଶରେ ଆସିଥିଲେ ଏବଂ ସେତିକିବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଭବିଷ୍ୟତରେ ଯଦି କିଛି ସହଯୋଗ ଲୋଡ଼ା ହୁଏ, କହିବାକୁ ପରାମର୍ଶ ଦେଇଥିଲେ ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟର ତତକାଳୀନ ଅଧ୍ୟକ୍ଷ ଡ଼କ୍ଟର ଅଜୟ କୁମାର ମିଶ୍ର ଏବଂ ସଭ୍ୟ ତଥା ସେବାଜଗତର ସଂପାଦକ ସତ୍ୟନାରାୟଣ ପଟ୍ଟନାୟକ । ଅଷ୍ଟମ ପରେ ପାଠପଢାରେ ଆଗ୍ରହୀ ଥିବା ପୂଜା ପାଇଁ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ତରଫରୁ ପ୍ରଥମେ ସତ୍ୟ ପଟ୍ଟନାୟକଙ୍କୁ ଯୋଗାଯୋଗ କରାଯାଇ, ତାଙ୍କୁ ନେହେରୁ ସେବା ସଂଘରେ ରଖି ପାଠପଢିବାର ବ୍ୟବସ୍ଥା କରାଯାଇଥିଲା । ସେଠାରେ ମଧ୍ୟ ସେ ଭଲ ପାଠ ପଢିବା ସହିତ ହୌସଲା କାର୍ୟ୍ୟକ୍ରମରେ ଜିଲ୍ଲାରେ ପ୍ରଥମ ହେବା ସହିତ ରାଜ୍ୟରେ ମଧ୍ୟ ପ୍ରଥମ ହେଇଥିଲେ । ୨୦୧୮ ମସିହା ବେଳକୁ ହୌସଲା କାର୍ୟ୍ୟକ୍ରମରେ ଭାଗନେଇ ଓଡ଼ିଶା ପାଇଁ ଗର୍ବ ଆଣିଥିଲେ ପୂଜା । ସେଠାରୁ ନୂଆଦିଲ୍ଲୀଠାରେ ଆୟୋଜିତ ଜାତୀୟ କାର୍ୟ୍ୟକ୍ରମରେ ମଧ୍ୟ ଭାଗନେଇ ସଫଳତା ପାଇଥିଲେ । ସେତିକିବେଳେ ଓଡ଼ିଶାରେ ବିଶ୍ୱହକି କପ୍ ଚାଲିଥିବାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପୂଜା ଏବଂ ତାଙ୍କରି ଦଳକୁ ହକି ଖେଳ ଦେଖିବାର ସୁଯୋଗ ଦେଇଥିଲେ । ପରେ ଆଇଟିଆଇ ତରଫରୁ ମଧ୍ୟ ରାଜ୍ୟସ୍ତରୀୟ ଆଇଟିଆଇ ଫେଷ୍ଟରେ ଯୋଗଦେଇ ସଫଳତା ସାଉଁଟି ଥିଲେ ପୂଜା । କେବଳ ସେତିକିନୁହେଁ, ଗତବର୍ଷରୁ ଲକଡ଼ାଉନରେ ତାଙ୍କରି ପାଠପଢା ବ୍ୟାହାତ ହେଇଥିଲେ ବି ନିଜର ଏକନିଷ୍ଠ ଉଦ୍ୟମ ଓ ଆନ୍ତରିକ ପ୍ରଚେଷ୍ଠା ଫଳରେ ସେ ସର୍ବଭାରତୀୟ ସ୍ତରରେ ପ୍ରଥମ ହେବା କମ କଥା ନୁହେଁ । ସଂପ୍ରତି ପୂଜାଙ୍କ ସୀତା ମାହାର ତୁଜୁଙ୍ଗସ୍ଥିତ ଶ୍ରୀ ଏଜୁକେସନ ଶିକ୍ଷାନୁଷ୍ଠାନରେ ସେବିକା ଭାବରେ କାମକରି ପରିବାର ପ୍ରତିପୋଷଣ କରୁଥିବାବେଳେ ପୂଜାଙ୍କ ସାନଭାଇ ଦୁର୍ଗମାଧବ ଉଚ୍ଚବିଦ୍ୟାପୀଠରେ ଦଶମ ଶ୍ରେଣୀରେ ଅଧ୍ୟୟନ କରି ଏବେ ବୋର୍ଡ଼ର ଫଳାଫଳ ଅପେକ୍ଷାରେ ରହିଛି । ପିଲାଟି ଦିନରୁ ବାପାଙ୍କୁ ହରାଇଥିବା ପୂଜା, ପାଠରେ ଗୋଟିଏ ବର୍ଷ ଡ଼ୋରୀ ବାନ୍ଧିଥିବା ପୂଜାଙ୍କୁ ଆଜି ସମସ୍ତେ ଖୋଜୁଛନ୍ତି । ତାଙ୍କରି ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି । ପରଘରେ ମୂଲ ଲାଗି ଝିଅ ଓ ପୁଅକୁ ପାଠ ପଢାଉଥିବା ମା’ଙ୍କ ସାହାସ ଏବଂ ପୂଜାଙ୍କ ପ୍ରତିଭା ଆଜି ସମସ୍ତଙ୍କ ପାଇଁ ଉଦାହରଣ ନିଶ୍ଚୟ । ତେବେ ଏହି ସଫଳତା ପଛରେ ପୂଜା ନିଜ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ, କସ୍ତୁରବାଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଓ ହଷ୍ଟେଲ ତତ୍ୱାବଧାରିକା ସରସ୍ୱତୀ ମିଶ୍ର, ନେହେରୁ ସେବାସଂଘର ସମସ୍ତ ଗୁରୁଜନ, ଆଇଟିଆଇର ସମସ୍ତଙ୍କୁ ନିଜର ଶ୍ରେୟ ଦେଇ ଜୀବନରେ କିଛି କରିବାର ଲକ୍ଷରେ ଆଗେଇ ଚାଲିବି ବୋଲି କହିଛନ୍ତି ପୂଜା ।

Leave A Reply

Your email address will not be published.