- ମାନସିକ, ଶାରୀରିକ, ସାମାଜିକ, ଆଧ୍ୟାତ୍ମିକ ଓ ମନୋବୈଜ୍ଞାନିକ ଅବସ୍ଥାକୁ ବିଚାର କରି ସଂଯମତା ଅବଲମ୍ବନ କରିବା ଆଜି ଦିନରେ ଆମର ସଂକଳ୍ପ ହେଉ
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଆଜି ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ବିଶ୍ୱ ଏଡ଼୍ସ ଦିବସ ପାଳିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମିଳିତ ଭାବରେ ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ବିଶ୍ୱରଂଜନ ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ କୁମୁଦିନୀ ମୁଦୁଲି, ସମ୍ପାଦକ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସୁବର୍ଣ୍ଣପୁର ଏବଂ ସମ୍ମାନିତ ଅତିଥି ଭାବେ ଡ଼ଃ ଦୈତ୍ୟ ନାରାୟଣ ପାଢ଼ୀ, ଏଡିଏମ୍ଓ ପରିବାର କଲ୍ୟାଣ, ଡ଼ଃ ମନୋଜ ଅଦାବର, ଜନସ୍ୱାସ୍ଥ୍ୟ ଅଧିକାରୀ, ଡ଼ଃ ରମେଶ ଚନ୍ଦ୍ର ସ୍ୱାଇଁ, ଏଡିପିଏଚ୍ଓ (ରୋଗ ନିୟନ୍ତ୍ରଣ), ବିଶ୍ୱମ୍ବର ବେହେରା, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପ୍ରମୁଖ ମଂଚାସୀନ ଥିଲେ । “ରୋଗୀକୁ ନୁହେଁ ରୋଗକୁ ଘୃଣା କରିବା” ମାନସିକ, ଶାରୀରିକ, ସାମାଜିକ, ଆଧ୍ୟାତ୍ମିକ ଓ ମନୋବୈଜ୍ଞାନିକ ଅବସ୍ଥାକୁ ବିଚାର କରି ସଂଯମତା ଅବଲମ୍ବନ ପୂର୍ବକ ସଂକଳ୍ପ ନେଇ କାର୍ଯ୍ୟ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଅତିଥି ବୃନ୍ଦ ଆମେ ସମସ୍ତେ ନୈତିକତାର ସହ ସମଭାବପନ୍ନ ଚିନ୍ତା ପୋଷଣ ପୂର୍ବକ କାର୍ଯ୍ୟ କଲେ ଏହି ରୋଗକୁ ସମାଜରୁ ହ୍ରାସ କରିବା ସହ ଜଣେ ରୋଗୀ ସମାଜରେ ନିଃସଙ୍କୋଚରେ ବଂଚିବାକୁ ଆଗ୍ରହ ପ୍ରକାଶ କରିପାରିବ । ସଭା ପ୍ରାରମ୍ଭରେ ଦିବସ ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ବିଶ୍ୱରଂଜନ ପତି ଉପସ୍ଥିତ ସମସ୍ତଙ୍କୁ ଏଡ଼୍ସ ବିରୁଦ୍ଧରେ ସାମୁହିକ ସଂଗ୍ରାମ କରିବାକୁ ଶପଥ ପାଠ କରାଇ ଥିଲେ । ଏଡ଼୍ସ ଦିବସ ପାଳନ ଅବସରରେ ଅନୁଷ୍ଠିତ ସାଧାରଣ ଜ୍ଞାନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସୋନପୁର ମହାବିଦ୍ୟାଳୟ, ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ, ସରକାରୀ ନର୍ସିଙ୍ଗ ସ୍କୁଲ, ବିଜୁପଟ୍ଟନାୟକ ନର୍ସିଙ୍ଗ ସ୍କୁଲ, ସୋନପୁର ନର୍ସିଙ୍ଗ ସ୍କୁଲ, ସୋନପୁର କଲେଜ ଅଫ ନର୍ସିଙ୍ଗଙ୍କୁ ମଧ୍ୟ ଅଂଶଗ୍ରହଣ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । କ୍ଷୀରୋଦ ବିହାରୀ ପଣ୍ଡା, ସିସିଟି ସଭା ସଂଯୋଜନା କରିଥିବା ବେଳେ ଗୀତାଞ୍ଜଳି ମେହେର, ସହ ପରିଚାଳିକା ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଶେଷରେ ଅଂଶଗ୍ରହଣ କରିଥିବା ମହାବିଦ୍ୟାଳୟ ଓ ନର୍ସିଙ୍ଗ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ସଚେତନତା ମୂଳକ ବିଭିନ୍ନ ମନଛୁଆଁ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା । ଦିବସ ପରିପ୍ରେକ୍ଷୀରେ ଆଜି ସକାଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଏଡ଼୍ସ ସଚେତନତା ନିମନ୍ତେ ଆୟୋଜିତ ଏକ ଶୋଭାଯାତ୍ରାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ ପତି ଓ ସମ୍ପାଦକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀମତୀ ମୁଦୁଲି ସବୁଜ ପତାକା ପ୍ରଦର୍ଶନ କରି ଶୁଭାରମ୍ଭ କରିଥିଲେ । ଜିଲ୍ଲା ସମନ୍ୱିତ ପରାମର୍ଶଦାତା ତଥା ଜିଲ୍ଲା ପରିଦର୍ଶକ ସୁଦାମ ପଧାନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଦିବସର ବିଭିନ୍ନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର ପ୍ରଦ୍ୟୁମ୍ନ ସାହୁ, ପ୍ରମୋଦ କୁମାର ସାହୁ ତଥା ଡିଏଲଏସ୍ଏର କର୍ମକର୍ତ୍ତା ଓ ସ୍ୱାସ୍ଥ୍ୟବିଭାଗର କର୍ମକର୍ତ୍ତା, ବିଭିନ୍ନ ଗଣମାଧ୍ୟମର ଜିଲ୍ଲା ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହିଥିଲେ ।