centurian jitm

ମୁରିବାହାଲ-ବଲାଙ୍ଗିର ରାସ୍ତାରେ କାର ଓଲଟି ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଲେ ପରିବାର, ୩ ଆହତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ- ବଲାଙ୍ଗିର ପୂର୍ତ୍ତ ବିଭାଗ ମୁଖ୍ୟରାସ୍ତାର ବାବେଜୁରୀ ଗାଁ ହରଗୌରୀ ମନ୍ଦିର ନିକଟ ବୁଲାଣିରେ ରବିବାର ପୂର୍ବାହ୍ନରେ ଏକ କାର ଭାରସାମ୍ୟ ହରାଇ ଓଲଟି ପଡିବାରୁ ବଲାଙ୍ଗିର ସହରର ଏକ ପରିବାର ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ବଲାଙ୍ଗିର ସହର ଟିକ୍ରାପଡ଼ାର ଏକ ପରିବାର କାର ଓଡ଼ି ୦୩ ଇ ୨୭୭୨ ଯୋଗେ ଖଡ଼ିଆଳ ଯାଇ ବଲାଙ୍ଗିରକୁ ଫେରୁଥିଲେ । କାରକୁ ସ୍ଵାମୀ ଚଳାଉଥିବା ବେଳେ ପଛରେ ସ୍ତ୍ରୀ ଓ ତାଙ୍କର ଏକ ଛୁଆ ବସିଥିଲେ । ହଠାତ୍ ଘଟଣା ସ୍ଥଳର ଏହି ବୁଲାଣିରେ କାରର ଆଗ ଚକ ଫାଟିଯାଇ ରାସ୍ତା ପାଖ ଏକ ଫଳକରେ ପିଟି ହୋଇ କାରଟି ସମ୍ପୂର୍ଣ୍ଣ ଓଲଟି ପଡିଥିଲା । କାରର ସମସ୍ତ ୪ଟି ଚକ ଉପରକୁ ହୋଇ ଆଗପଟ କ୍ଷତିଗ୍ରସ୍ତ ହୋଇଥିଲା । ଫଳରେ କାରରେ ବସିଥିବା ସମସ୍ତେ ଚାପି ହୋଇ ଆହତ ହୋଇଥିଲେ । ତୁରନ୍ତ କାରର ପଛରେ ସେହି ରାସ୍ତା ଦେଇ ଯାଉଥିବା ମୁରିବାହାଲ ଥାନା କନେଷ୍ଟବଳ କିର୍ଶନ ପୁଝାରୀ, ସ୍ୱେଚ୍ଛାସେବୀ ମକୁନ୍ଦ ବଗର୍ତ୍ତିଙ୍କ ସହ ଅନ୍ୟମାନେ ପହଞ୍ଚି ପରିବାର ଲୋକଙ୍କୁ ଉଦ୍ଧାର କରିଥିଲେ । କାର ପଛ ସିଟରେ ବସିଥିବା ମହିଳା ଓ ତାଙ୍କ ଛୁଆଙ୍କୁ ପ୍ରଥମେ କାରରୁ ବାହାର କରାଯାଇଥିବା ବେଳେ କାର ଚଳାଉଥିବା ବ୍ୟକ୍ତି ଜଣଙ୍କ ମୋଟା ଥିବାରୁ କାର ଗେଟ୍ ଭାଙ୍ଗି ତାଙ୍କୁ ବାହାର କରାଯାଇଥିଲା । ପରିବାରର ଆହତ ସ୍ଵାମୀ, ସ୍ତ୍ରୀ ଓ ଛୁଆଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ୍ ପଠାଯାଇଥିଲା । କାର ଚକ ଫାଟି ଭାରସାମ୍ୟ ହରାଇ ଓଲଟି ପଡିବାରୁ ଅଳ୍ପକେ ମୃତ୍ୟୁମୁଖରୁ ଏକ ପରିବାର ବର୍ତ୍ତି ଯାଇଥିଲେ ମଧ୍ୟ ୩ ଆହତଙ୍କୁ ଉଦ୍ଧାର କରି ପୁଲିସ ଓ ସ୍ୱେଚ୍ଛାସେବୀମାନେ ତୁରନ୍ତ ମେଡିକାଲ୍ ପଠାଇବାରୁ ଏକ ବଡ ଅଘଟଣ ଟଳି ଯାଇଛି ।

Leave A Reply

Your email address will not be published.