ବେଦାନ୍ତ ରାସ୍ତା କାମକୁ ନେଇ ପୋଲିସ-ଆନ୍ଦୋଳନକାରୀ ମୁହାମୁହିଁରେ ଖଣ୍ଡଯୁଦ୍ଧ : ୫୦ରୁ ଅଧିକ ପୋଲିସ ଆହତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବେଦାନ୍ତ ରାସ୍ତା ନିର୍ମାଣକୁ ନେଇ ସିଜିମାଳି ଅଞ୍ଚଳବାସୀଙ୍କ ବିରୋଧ ଗତ ଏକମାସ ହେବ ପୋଲିସ ଓ ପ୍ରଭାବିତ ଗ୍ରାମବାସୀଙ୍କ ମଧ୍ୟରେ ଛକାପଞ୍ଜା ଲାଗିରହିଥିଲା । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାର କାଶୀପୁର ଥାନା ଅଧୀନ ସିଜିମାଳି ଅଞ୍ଚଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଧସ୍ତାଧସ୍ତି ଘଟି ଭୟାବହ ପରିଥିତି ଦେଖିବାକୁ ମିଳିଥିଲା । ଏହି ଘଟଣାରେ ପ୍ରାୟ ୫୦ରୁ ୬୦ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି । ସୂଚନାନୁସାରେ, କାଶୀପୁର ଥାନା କେସ ନମ୍ବର ୮୩ ଅଧୀନରେ ଅଭିଯୁକ୍ତ ଶୁବା ସିଂଙ୍କୁ ଧରିବା ପାଇଁ ପୋଲିସ ଦଳ ହୋଇ କଣ୍ଟାମାଳ ଗ୍ରାମକୁ ପହଞ୍ଚିଥିଲେ । କିନ୍ତୁ ପୋଲିସ ଦଳ ପହଞ୍ଚିବା ସହିତ ସ୍ଥାନୀୟ ଲୋକମାନେ ଏହାକୁ ବିରୋଧ କରି ହଠାତ୍ ଆକ୍ରମଣ କରିଥିଲେ । ପରିସ୍ଥିତି ନିୟନ୍ତ୍ରଣରୁ ବାହାରିଯାଇ ପୋଲିସ ଓ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଏହି ଆକ୍ରମଣରେ ଅତିରିକ୍ତ ଏସ୍‌ପି ଓ ଏସ୍‌ଡିପିଓ ଏବଂ ଆଇଆଇସି ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଆହତମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ପ୍ରଥମେ ରାୟଗଡା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଉକ୍ତ ଆହତ ମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବିଶାଖାପଟଣାକୁ ସ୍ଥାନାନ୍ତର କରାଯାଇଛି । ଘଟଣା ପରେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ସିଜିମାଳୀ ଅଞ୍ଚଳରେ ବିଏନ୍‌ଏସ୍‌ ଧାରା ୧୬୩ ଜାରି କରାଯାଇଛି । ଅଞ୍ଚଳରେ ପୋଲିସ ଅଧିକାରୀ ମୁତୟନ କରାଯାଇ ସତର୍କତା ବୃଦ୍ଧି କରାଯାଇଛି । ଏସ୍‌ପି ଏସ. ସ୍ୱାତି କୁମାରୀ କାଶୀପୁର ଥାନାରେ ସାମ୍ବାଦିକ ସମ୍ମିଳନୀ କରି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ବର୍ତ୍ତମାନ ସିଜିମାଳୀ ଅଞ୍ଚଳରେ ପରିସ୍ଥିତି ତୀବ୍ର ଲାଗିରହିଥିବା ବେଳେ ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଉଛି ।

Leave A Reply

Your email address will not be published.