ନେତାଜୀଙ୍କ ଅପୂରିତ ସ୍ୱପ୍ନକୁ ସାକାର କରିବା ପାଇଁ ଆହ୍ୱାନ ଦେଲା ନାଟକ “ଅଗ୍ନିସ୍ନାତ”

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ସ୍ଥିତ ଭଞ୍ଜକଳା ମଣ୍ଡପଠାରେ ଡଃ. ବିଧୁପ୍ରଭା ରଥଙ୍କ ରଚିତ ସୋମନାଥ ବେହେରାଙ୍କ ନିର୍ଦ୍ଦେଶିତ ନାଟକ ‘ଅଗ୍ନିସ୍ନାତ’ ସଫଳତାର ସହ ମଞ୍ଚସ୍ଥ ହୋଇ ବୁଦ୍ଧିଜୀବୀ, ଯୁବଛାତ୍ର ତଥା ସଧାରଣ ଦର୍ଶକ ମହଲରେ ବେଶ୍ ଆଦୃତ ହୋଇଛି । ପରାଧୀନ ଭାରତ ବର୍ଷରେ ଓଡ଼ିଶା ଓ ବିଶେଷ ଭାବରେ ଗଞ୍ଜାମ ଜିଲ୍ଲାରେ ବନ୍ୟା, ବାତ୍ୟା, ମରୁଡି ଏକ ସାଧାରଣ ଘଟଣା ଥିଲା । ଫଳରେ ବହୁଲୋକ ଆର୍ଥିକ ଦୂରାବସ୍ଥା ପାଇଁ ସେ ଦିନର ବର୍ମା, ରେଙ୍ଗୁନ ଆଜିର ମିଆଁମାରକୁ ପ୍ରବାସୀ ଶ୍ରମିକ ଭାବରେ ଯାଉଥିଲେ । ସେଠାରେ କଳାର ଆଦର ଥିବା ହେତୁ ଏଠାକାର ଲୋକ କଳାକାରମାନେ ମଧ୍ୟ ଦୁଇ ପଇସା ପାଇବା ଆଶାରେ ଲୋକ ନୃତ୍ୟ, ନାଟକ ପ୍ରଦର୍ଶନ ପାଇଁ ଯାଉଥିଲେ । ସେଠାରେ ସେମାନେ ଭାରତ ବର୍ଷର ସ୍ୱାଧିନତା ସଂଗ୍ରାମର ଆପୋଷହୀନ ଧାରାର ବଳିଷ୍ଠତମ ଅଭିବ୍ୟକ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆହ୍ଵାନରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଅଞ୍ଚଳ ନିର୍ବିଶେଷରେ ଆଜାଦ୍ ହିନ୍ଦ୍ ଫୌଜରେ ଯୋଗ ଦେଇ ଦେଶର ସ୍ଵାଧୀନତା ପାଇଁ ସଂଗ୍ରାମ କରିଥିଲେ । ରକ୍ତ ଦେଇଥିଲେ, ଜୀବନ ଦେଇଥିଲେ । ଏହିଭଳି ଏକ ଅନାଲୋଚିତ ଅଧ୍ୟାୟର ପଟ୍ଟଭୂମି ଉପରେ ପର୍ଯ୍ୟବେସିତ ନାଟକ ‘ଅଗ୍ନିସ୍ନାତ’ । ପୃଥ୍ୱୀପନ୍ନା ଫାଉଣ୍ଡେସନ ଟ୍ରଷ୍ଟ, ବ୍ରହ୍ମପୁର ଦ୍ଵାରା ପ୍ରଯୋଜିତ ଏହି ନାଟକରେ ଅଭିନୟ କରିଥିଲେ ରାଜେଶ ନାୟକ, ସରୋଜ କୁମାର ପଣ୍ଡା, ମନୋଜ ରଥ, ଅଙ୍କିତା ପାତ୍ର, ଶୁଭସ୍ମିତା ପାଣିଗ୍ରାହୀ, ପୃଥ୍ୱୀରାଜ ରାଣା, ରୋହିତ ନାୟକ, ପ୍ରସାଦ ରାଉଳ, ଦଣ୍ଡ ନାୟକ, ଇଜୁ ଆମିର ଖାନ୍, ମହେଶ କୁମାର ଗୌଡ, ଜିନୁ ବିଶ୍ୱାଳ, କ୍ଷୀରସିନ୍ଧୁ ମହାନ୍ତି, ନିମାଇଁ ଚରଣ ସାହୁ, ନରହରି ମହାରଣା ସଙ୍ଗୀତରେ ଥିଲେ ମୁକୁନ୍ଦ ସାହୁ, ଏ ସୁବା ରାଓ, ସଂସ୍କାର ପଟ୍ଟନାୟକ, ମଞ୍ଚ ପରିଚାଳନା କରିଥିଲେ ସଜ୍ଞା, ସମାହିତ ପାଢ଼ୀ, ରୂପସଜ୍ଜା ଚିତ୍ତରଞ୍ଜନ ଦଳାଇ, ମଞ୍ଚସଜ୍ଜା କରିଥିଲେ ଈଜୁ ଅମିନ, ଅନୀଲ ସାହୁ, ଏବଂ ବିଭୂତି ଭୂଷଣ, ଆଲୋକ ସମ୍ପାତ ପ୍ରଶାନ୍ତ ପଟ୍ଟନାୟକ କରିଥିଲା ବେଳେ ନାରାୟଣ, ପପୁନ, କିସାନ ପ୍ରମୁଖ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ସମର୍ପିତ କରାଯାଇଥିଲା ।

Leave A Reply

Your email address will not be published.