ଅଗ୍ନିକାଣ୍ଡରେ ଗୁହାଳ ଘର ସମେତ ଗାଈ ଜଳିଗଲା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ତହସିଲ ଶ୍ରୀପୁରୁଷୋତ୍ତମପୁର ପଂଚାୟତ ଅର୍ନ୍ତଗତ ବିଦିରିପୁର ଗ୍ରାମର ଲକ୍ଷ୍ମୀଧର ସାହୁଙ୍କ ଗୁହାଳ ଘରେ ନିଆଁ ଲାଗି ଏକ ଗାଇ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୁଚନା ମୁତାବକ ଲକ୍ଷ୍ମିଧରଙ୍କ ଗୁହାଳ ଘରେ ଗୁରୁବାର ସଂନ୍ଧ୍ୟାରେ କୌଣସି କାରଣରୁ ନିଆଁ ଲାଗିଥିଲା । ଘର ଜଳୁଥିବା ଦେଖି ପଡୋଶୀ ଲୋକ ଡାକ ପକାଇବା ସହ ଡେଲାଙ୍ଗ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପଂହଚି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ଗୁହାଳ ଘର ସମେତ ଏକ ବଖରା ଘର ଜଳିଯାଇଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡରେ ଗାଇଟି ସମ୍ପୂର୍ଣ୍ଣ ଜୀବନ୍ତଦଗ୍ଧ ହୋଇ ଯାଇଥିବା ଡେଲାଙ୍ଗ ଦମକଳ ବାହିନୀର ମୁଖ୍ୟ ଆଗ୍ନିକ ଜୟରାମ ସାହୁ ସୂଚନା ଦେଇଛନ୍ତି । ତେବେ ନିଆଁ ଲାଗିବାର କାରଣ ଜଣାପଡିନଥିବା ବେଳେ ମଶା ଧୂଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଖବର ପାଇ ପୂର୍ବତନ ସରପଂଚ ବାଲୁଙ୍କୀଶ୍ୱର ମାହାପାତ୍ର, ସମିତି ସଭ୍ୟ ପ୍ରାର୍ଥୀ ରବିନ୍ଦ୍ରନାଥ ପ୍ରଧାନ ଓ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ସ୍ୱାମୀ ସୋମ୍ୟରଞ୍ଜନ ଜେନା ଘଟଣାସ୍ଥଳରେ ପହଂଚି ଉକ୍ତ ପରିବାରକୁ ସମବେଦନା ଜଣାଇବା ସହ ଜରୁରୀକାଳୀନ ପରିସ୍ଥିତିରେ ସରଜମିନ ତଦନ୍ତ କରାଯାଇ ସରକାରୀ ସହାୟତା ଯୋଗାଇଦେବାକୁ ବ୍ଲକ ପ୍ରଶାସନ ନିକଟରେ ଦାବୀ କରିଛନ୍ତି ।

Leave A Reply

Your email address will not be published.