ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ପରିବା ହାଟରେ ଭୟାବହ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ପନିପରିବା ସହ ଅନ୍ୟାନ୍ୟ ସାମଗ୍ରୀ ଜଳିପୋଡି ନଷ୍ଟ ହୋଇଯାଇଛି । ଗତକାଲି ବିଳମ୍ବିତ ରାତିରେ ଡେଲାଙ୍ଗ ହାଟ ବଜାର ସ୍ଥିତ ଭେଣ୍ଡିଙ୍ଗ ଜୋନରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୭ ଜଣ ବ୍ୟବସାୟୀଙ୍କ ୫ ଲକ୍ଷରୁ ଉର୍ଦ୍ଧ୍ୱ ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି । କେହି ଜଣେ ଦୃର୍ବୁତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ମଧ୍ୟ ହେଉଛି । ଖବର ପାଇ ଡେଲାଙ୍ଗ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା କିନ୍ତୁ ସେତେବେଳକୁ ସବୁ ଜଳିପୋଡି ପାଉଁଶ ହୋଇ ଯାଇଥିଲା । ଏନେଇ ଡେଲାଙ୍ଗ ପୋଲିସ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ସୂଚନା ମିଳିଛି । କିଛି ଗରିବ ଅସହାୟ ଭିନ୍ନକ୍ଷମ ମାନଙ୍କୁ ଏହି ଭେଣ୍ଡିଙ୍ଗ ଜୋନ ଦିଆଯାଇଥିଲା ସେମାନଙ୍କ ଜୀବନ ଜୀବିକା ବିକାଶ ଧାରାରେ ଉନ୍ନତି ଆଣିବା ପାଇଁ, କିନ୍ତୁ ଏହି ଭୟାବହ ଅଗ୍ନିକାଣ୍ଡରେ ସେମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ସରକାର ତୁରନ୍ତ ଅଗ୍ନିବିପନ୍ନଙ୍କୁ ସହାୟତା ଯୋଗାଇଦେବା ପାଇଁ ଡେଲାଙ୍ଗ -କୋଠବାଡ଼ ସରପଞ୍ଚ ଦୀପକ କୁମାର ସାହୁ ଦାବି ଜଣାଇଛନ୍ତି ।