ଦୀପାବଳି ପୂଜାରେ ଅଘଟଣ : ବିଦ୍ୟୁତ୍ ସର୍ଟସର୍କିଟରୁ ନିଆଁ ଲାଗି ଫଟୋ ଷ୍ଟୁଡିଓରେ ଥିବା ୩ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ଛାରଖାର
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ଦୀପାବଳି ପୂଜାରେ ଅଘଟଣ ଦେଖିବାକୁ ମିଳିଛି । ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗି ଏକ ଫଟୋ ଷ୍ଟୁଡ଼ିଓ ଦୋକାନରେ ଥିବା ୩ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ଛାରଖାର ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର, ବସ୍ତିର ପଦ୍ମଲୋଚନ ବାଗ (୪୨) ଷ୍ଟେସନପଡ଼ା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ପାଖରେ ଏକ ଫଟୋ ଷ୍ଟୁଡ଼ିଓ ଦୋକାନ ଦେଇ ନିଜ ପରିବାର ପ୍ରତିପୋଷଣ କରୁଥିଲେ । ସୋମବାର ସନ୍ଧ୍ୟାରେ ସେ ପବିତ୍ର ଦୀପାବଳୀ ଉପଲକ୍ଷେ ପୂଜାର୍ଚ୍ଚନା ସାରି ରାତି ୮ଟାରେ ଦୋକାନ ବନ୍ଦ କରି ଘରକୁ ଚାଲିଯାଇଥିଲେ । ରାତି ୧୨ଟାରେ କୌଣସି କାରଣରୁ ଷ୍ଟୁଡିଓରେ ନିଆଁ ଲାଗିଥିବା ସେ ଖବର ପାଇଥିଲେ । ସେ ଆସି ଦେଖିଲା ବେଳକୁ ବିଦ୍ୟୁତ୍ ସର୍ଟ ସର୍କିଟ ହୋଇ ଷ୍ଟୁଡିଓଟି ସମ୍ପୂର୍ଣ୍ଣ ଜଳି ପୋଡ଼ି ଯାଉଛି । ସେ ଦୋକାନକୁ ଯାଇ ଦେଖିବା ପରେ ମୁରିବାହାଲ ଦମକଳ ବାହିନୀକୁ ମଧ୍ୟ ଖବର ଦେଇଥିଲେ । ଦମକଳ ବାହିନୀ ସହାୟତାରେ ସେ ଷ୍ଟୁଡିଓରେ ଲାଗିଥିବା ନିଆଁକୁ ଆୟତ୍ତ କରିପାରିଥିଲେ ମଧ୍ୟ ସେତେବେଳକୁ ଦୋକାନଟି ସମ୍ପୂର୍ଣ୍ଣ ପୋଡ଼ି ଛାରଖାର ହୋଇସାରିଥିଲା । ନିଆଁରେ ଫଟୋ ଷ୍ଟୁଡ଼ିଓ ଦୋକାନରେ ଥିବା ପ୍ରିଣ୍ଟର ଇଙ୍କ ୫୦ ପିସ୍, ଫଟୋ ପେପର ଶହେ ପ୍ୟାକେଟ, ପିଭିସି କାର୍ଡ ୧୦ ପ୍ୟାକେଟ, ଜେରକ୍ସ କ୍ୟାଟ୍ରିଜ୍ ୫୦ ପିସ୍, ଜେରକ୍ସ ପେପର ୨ ପ୍ୟାକେଟ, ଫଟୋ ଫ୍ରେମ୍ ଶହେ ପିସ୍, ପ୍ରିଣ୍ଟର ୨ପିସ୍ ଓ ଇନଭର୍ଟର ଗୋଟିଏ ପିସ୍ ପୋଡ଼ି ମିଶାଇ ମୋଟ ୩ଲକ୍ଷ ଟଙ୍କାର ସାମଗ୍ରୀ ପୋଡ଼ି ଛାରଖାର ହୋଇଯାଇଥିଲା । ସେ ଏ ସମ୍ପର୍କରେ ମୁରିବାହାଲ ଥାନାରେ ଏକ ଏତଲା ଦେଇଥିବା ଜଣାପଡିଛି । ଫଟୋ ଷ୍ଟୁଡ଼ିଓ ଦୋକାନ ପୋଡ଼ି ଯୋଗୁଁ ସର୍ବସ୍ୱାନ୍ତ ପଦ୍ମଲୋଚନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହୋଇଛି ।