ଅଖିଳ ଭାରତୀୟ ଅଘରିଆ ସମାଜ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ : ଏବିଏଏସ୍ ଓଡ଼ିଶା ଟ୍ରଷ୍ଟ ନାମରେ ଜମି ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ
ବଲାଙ୍ଗିର, (କେପିଏନ୍ଏସ୍) : ଅଖିଳ ଭାରତୀୟ ଅଘରିଆ ସମାଜ ପକ୍ଷରୁ ବଲାଙ୍ଗିର କନ୍ଧପାଲିପଡ଼ା ଅଘରିଆ ସମାଜ କାର୍ଯ୍ୟାଳୟରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମାଜ ପକ୍ଷରୁ କୁହାଯାଇଛି ଯେ, ଗତ ମେ’ ମାସ ୩ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାରେ ତଥା ଓଡିଶାର ଅନ୍ୟାନ୍ୟ ଜିଲ୍ଲାରେ ବସବାସ କରୁଥିବା ଅଘରିଆ ଜାତି ଭାଇ ଭଉଣୀଙ୍କ କଲ୍ୟାଣ କାର୍ଯ୍ୟକାଳପ ପାଇଁ ଭୁବନେଶ୍ଵରଠାରେ ଅଘରିଆ ଭାବନ ନିର୍ମାଣ ପାଇଁ ୦.୫ ଏକର ଜମି ପ୍ରଦାନ କରିବା ସହ ୩ କୋଟି ଅର୍ଥରାଶି ମଞ୍ଜୁର କରିଥିବା ଘୋଷଣା କରିଥିଲେ । ତେବେ ସରକାର ପଶ୍ଚିମ ଓଡିଶାରେ ପ୍ରତିନିଧିତ୍ୱ କରୁଥିବା ଅଘରିଆ ଜାତି ସମାଜକୁ ପରାମର୍ଶ ନକରି ଭୁବନେଶ୍ଵରରେ ‘ଅଗ୍ରଗାମୀ’ ନାମକ ଏକ ଅନୁଷ୍ଠାନକୁ ଜମି ଅଧିଗ୍ରହଣ ପାଇଁ ସ୍ଥିରୀକୃତ କରାଯାଇଥିବା ବେଳେ ଗତ ଜୁନ୍ ମାସ ୮ ତାରିଖ ଦିନ ଝାରସୁଗୁଡା ପଞ୍ଚପଡାଠାରେ ଅଖିଳ ଭାରତୀୟ ଅଘରିଆ ସମାଜ, ଓଡିଶା ପ୍ରଦେଶ ନାମରେ ଟ୍ରଷ୍ଟ ଗଠନ ପାଇଁ ସ୍ଥିର କରାଯାଇ ଅଖିଳ ଭାରତୀୟ ଅଘରିଆ ସମାଜ, ଓଡିଶା ପ୍ରଦେଶ ଏବିଏଏସ୍ ଓଡ଼ିଶା ଟ୍ରଷ୍ଟ ନାମରେ ଜମି ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯିବାକୁ ସିଦ୍ଧାନ୍ତ ନିଆଯାଇଥିଲା । ଏହାପରେ ଜୁନ୍ ୧୧ ତାରିଖ ଦିନ ସେଣ୍ଡି ଟାୱାର ଭୁବନେଶ୍ଵରଠାରେ ଅଗ୍ରଗାମୀ ଅନୁଷ୍ଠାନର ଆହ୍ଵାନ କ୍ରମେ ଏକ ବୈଠକ ବସିଥିଲା । ଏହି ବୈଠକରେ ଅଖିଳ ଭାରତୀୟ ଅଘରିଆ ସମାଜ, ଓଡିଶା ପ୍ରଦେଶ ଓ ରାଜ୍ୟ ସଭାପତି ତଥା ପଶ୍ଚିମ ଓଡିଶାର ସମସ୍ତ ଜିଲ୍ଲାର ନେତୃବର୍ଗ ଯୋଗଦାନ କରିଥିଲେ ଏବଂ ଏହି ବୈଠକରେ ଜାଣିବାକୁ ପାଇଥିଲେ ଯେ, ସରକାରଙ୍କ ପତ୍ରସଂଖ୍ୟା ୧୫୩୨୪ ତା. ୨୫.୦୫.୨୦୨୩ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରଦତ୍ତ ଭୂମି ଅଗ୍ରଗାମୀ ଅନୁଷ୍ଠାନକୁ ଜମି ଅଧିଗ୍ରହଣ ପାଇଁ ସ୍ଥିରୀକୃତ ହୋଇଛି । ସରକାରଙ୍କ ଏହି ଏକତରଫା ନିଷ୍ପତ୍ତିକୁ ଅଖିଳ ଭାରତୀୟ ଅଘରିଆ ସମାଜ, ଓଡିଶା ପ୍ରଦେଶ ଅସନ୍ତୋଷ ବ୍ୟକ୍ତ କରିଥିଲା । ଅଖିଳ ଭାରତୀୟ ଅଘରିଆ ସମାଜ, ଓଡିଶା ପ୍ରଦେଶ ଟ୍ରଷ୍ଟ ଗଠନ କରାଯାଇ ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟାଳୟ ଝାରସୁଗୁଡା ସହିତ ଭୁବନେଶ୍ଵର ଓ ସୁନ୍ଦରଗଡରେ ଆଞ୍ଚଳିକ କାର୍ଯ୍ୟାଳୟ ରହିବା ପାଇଁ ସର୍ବସମ୍ମତିକ୍ରମେ ସିଦ୍ଧାନ୍ତ ଗ୍ରହଣ କରାଯାଇଥିଲା । ସରକାରଙ୍କ ପତ୍ର ସଂଖ୍ୟା ୧୫୩୨୪ ତା. ୨୫.୦୫.୨୦୨୩ ରେ ଉଲ୍ଲେଖଥିବା “ଅଗ୍ରଗାମୀ” ପରିବର୍ତ୍ତେ ଅଖିଳ ଭାରତୀୟ ଅଘରିଆ ସମାଜ, ଓଡିଶା ପ୍ରଦେଶ ଟ୍ରଷ୍ଟ ନାମରେ ରେଜିଷ୍ଟ୍ରେସନ କରିବାକୁ ଚୂଡାନ୍ତ ସିଦ୍ଧାନ୍ତ ନିଆଯାଇଥିଲା । ତେବେ ଏହି ପରିପ୍ରେକ୍ଷୀରେ ଆଜିର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଜ୍ୟ ସରକାର ଏହା ଉପରେ ଦୃଷ୍ଟିପାତ କରି ଅଖିଳ ଭାରତୀୟ ଅଘରିଆ ସମାଜ, ଓଡିଶା ପ୍ରଦେଶ ଟ୍ରଷ୍ଟ ନାମରେ ରେଜିଷ୍ଟ୍ରି କରିବା ପାଇଁ ଅନୁରୋଧ କରାଯାଇଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଦୀନବନ୍ଧୁ ନାଏକ, ବଲାଙ୍ଗିର ଜିଲ୍ଲା ସଭାପତି ଶୁଭ୍ରାଂଶୁ ଶେଖର ପଟେଲ, କଳାହାଣ୍ଡି ଜିଲ୍ଲା ସଭାପତି ଚତୁର୍ଭୁଜ ଅଘରିଆ, ସୁନ୍ଦରଗଡ ଜିଲ୍ଲା ସଭାପତି ପ୍ୟାରି ମୋହନ ପଟେଲ, ଝାରସୁଗୁଡା ଜିଲ୍ଲା ସଭାପତି ପ୍ରଜ୍ୟଲ ପଟେଲ, ଟ୍ରଷ୍ଟ ସମ୍ପାଦକ ଦୀଲୀପ ପଟେଲ, ଟ୍ରଷ୍ଟ କୋଡିନେଟର ଯଶୋବନ୍ତ ନାଏକ, ବଲାଙ୍ଗିର ଜିଲ୍ଲା କେନ୍ଦ୍ର, ମଣ୍ଡଳ, ଗୁଡି କର୍ମକର୍ତ୍ତା, ମହିଳା ମଞ୍ଚ, କୃଷକ ମଞ୍ଚ, ଯୁବା ମଞ୍ଚ , ପୁସ୍ତକ କମିଟି, ନିର୍ମାଣ ଓ ଶିକ୍ଷା କମିଟିର କର୍ମକର୍ତ୍ତା ସମୂହ ଉପସ୍ଥିତ ଥିଲେ ।