ଅଦିନିଆ ବର୍ଷା ସାଲେଭଟା ଅଞ୍ଚଳରେ ଚାଷୀଙ୍କ ଚିନ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ ଅଂଚଳରେ ଅଦିନିଆ ବର୍ଷା ପ୍ରଭାବରେ ଧାନ ଓ ପନିପରିବା ଚାଷ ପ୍ରଭାବିତ ହୋଇଛି । ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବରେ ବଲାଙ୍ଗିର ଜିଲ୍ଲାରେ ଦୁଇଦିନ ହେଲା ଝିପି ଝିପି ବର୍ଷା ଲାଗି ରହିବା ଫଳରେ ବର୍ଷକର ପରିଶ୍ରମ ପାଣିରେ ନଷ୍ଟ ହେବାକୁ ଯାଉ ଥିବାରୁ ମାନସିକ ଚିନ୍ତାରେ ରହିଛି ଚାଷୀ । ଚଳିତ ଖରିଫ ଋତୁରେ ଭଲ ବର୍ଷା ହୋଇଥିବାରୁ ଚାଷ କାର୍ଯ୍ୟ ଠିକ ସମୟରେ ହୋଇଥିଲା । ଏବେ ଧାନ ଅମଳର ସମୟ । ବ୍ଲକର ପଟୁଆପାଲି, ବକଟି, ନଅଗାଁ (ଖ)ସାଲେଭଟା, ମୁରଶୁଣ୍ଢୀ, କୁଟାସିଂହା ତଥା ବ୍ଲକର ସମସ୍ତ ପଂଚାୟତ ଅଞ୍ଚଳରେ ପଚିଶ ପ୍ରତିଶତ ଧାନ ଅମଳ ହୋଇଥିବା ବେଳେ ବାକି ପଞ୍ଚସ୍ତରୀ ପ୍ରତିଶତ କ୍ଷେତରେ ଅଛି । ଅମଳ ହୋଇଥିବା ଧାନ ଖଳାରେ ସାଇତି ହୋଇ ରହିଛି । କେତେକ ଚାଷୀଙ୍କ ପେଟା ପଡିଛି, କେତେକଙ୍କ କାଟି ସାରି ଥିବା ଧାନକୁ ଖରୀ ଗଦେଇ ପଲିଥିନ ଘୋଡେଇ ରଖିଛନ୍ତି । ଏହି ଅଦିନିଆ ବର୍ଷାରେ ପନିପରିବା ଚାଷ ତଥା କୋବି, ଝୁଡ଼ଙ୍ଗ, ବାଇଗଣ, ଟମାଟୋ, ଶାଗ ଆଦି ପଚି ନଷ୍ଟ ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି । ଋଣ ଆଣି ଚାଷ କାର୍ଯ୍ୟ କରିଥିବାରୁ ଚାଷୀଙ୍କ ଚିନ୍ତା ଦ୍ୱିଗୁଣିତ ହେବାରେ ଲାଗିଛି ତେଣୁକରି କୃଷି ବିଭାଗ ତଥା ପ୍ରଶାସନ ଉଚିତ ପଦକ୍ଷେପ ନେଇ କ୍ଷୟ କ୍ଷତିର ସଠିକ୍‌ ଆକଳନ କରି ସହାୟତା ଯୋଗାଇ ଦେବାକୁ ଚାଷୀ ମହଲରେ ଦାବି ହେଉଛି ।

Leave A Reply

Your email address will not be published.