● ଆସନ୍ତାକାଲି ଠାରୁ ୩୧ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ
ଭୁବନେଶ୍ୱର, (ପିଆଇବି) : ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନ ନେହରୁ ଯୁବ କେନ୍ଦ୍ର ସଂଗଠନ, ଓଡିଶା ପକ୍ଷରୁ ଆସନ୍ତାକାଲି ଠାରୁ ୩୧ ତାରିଖ ପର୍ଯ୍ୟନ୍ତ ଶୋଡ଼ଷ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ଆୟୋଜନ କରିବ । ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ଵରସ୍ଥିତ କଳିଙ୍ଗ ଷ୍ଟାଡିୟମ ଠାରେ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମ ସମୟରେ ନେହରୁ ଯୁବ କେନ୍ଦ୍ର ସଂଗଠନ ଓଡିଶା ଏବଂ ଖୋର୍ଦ୍ଧା ଶାଖା ପକ୍ଷରୁ ୭ ଦିନ ପାଇଁ ଭାରତର ବିଭିନ୍ନ ପ୍ରାନ୍ତରୁ ୨୦୦ ଆଦିବାସୀ ଯୁବକଙ୍କୁ ସ୍ୱାଗତ କରାଯିବ । ଏହି ୭ ଦିନ ମଧ୍ୟରେ ସେମାନେ ଓଡିଶାରେ ଆଦିବାସୀ ଜୀବନର ସଂସ୍କୃତି, ପରମ୍ପରା ଏବଂ ଅନ୍ୟାନ୍ୟ ଦିଗ ଅନୁସନ୍ଧାନ କରିବେ ତଥା ଆଦିବାସୀ ସମ୍ପ୍ରଦାୟ ପାଇଁ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ବିଷୟରେ ଅବଗତ ହେବେ । ସେମାନଙ୍କ ପାଇଁ ୨ ଦିନିଆ ଭ୍ରମଣ କାର୍ଯ୍ୟକ୍ରମ ରହିଛି । ସେଥିମଧ୍ୟରୁ ଗୋଟିଏ ଦିନ ସେମାନେ ସ୍ଥାନୀୟ ଅଞ୍ଚଳ ବୁଲିବେ ଏବଂ ଦ୍ୱିତୀୟ ଦିନରେ ରାଜ୍ୟପାଳଙ୍କ ନିମନ୍ତ୍ରଣକ୍ରମେ ରାଜଭବନ ପରିଦର୍ଶନ କରିବେ । ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ଆମର ଆଦିବାସୀ ଯୁବବର୍ଗଙ୍କୁ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସମ୍ପର୍କରେ ସଚେତନ କରିବା ଏବଂ ବିବିଧତାରେ ଏକତାକୁ ଗ୍ରହଣ କରିବା । ଏଥିସହିତ ବିକାଶ କାର୍ଯ୍ୟକଳାପ, ଶିଳ୍ପ ଉନ୍ନତି ସହିତ ଦେଶର ସାଥୀ ଜନସମୁଦାୟ ସହିତ ଭାବଗତ ସମ୍ପର୍କ ସ୍ଥାପନରେ ସାହାଯ୍ୟ କରିବା । ଆଦିବାସୀ ଯୁବବର୍ଗଙ୍କ ଆତ୍ମସମ୍ମାନକୁ ସୁଦୃଢ଼ କରିବା ସହିତ ନୂଆ ଜିନିଷ ଶିଖିବା, ନୂଆ ଚିନ୍ତାଧାରା ଏବଂ ଜୀବନ ଶୈଳୀର ଅନୁସନ୍ଧାନ କରିବା ଲାଗି ସେମାନଙ୍କ ପାଇଁ ଏହା ଏକ ଉତ୍ତମ ସୁଯୋଗ ହେବ । ନେହରୁ ଯୁବ କେନ୍ଦ୍ର ସଂଗଠନ ଓଡିଶା ରାଜ୍ୟ କାର୍ଯ୍ୟାଳୟର ସହଯୋଗରେ ଖୋର୍ଦ୍ଧା ନେହରୁ ଯୁବ କେନ୍ଦ୍ର ଏହି କାର୍ଯ୍ୟକ୍ରମ ପରିଚାଳନା କରିବେ । ନେହରୁ ଯୁବା କେନ୍ଦ୍ର ସଂଗଠନ, ପୂର୍ବ କ୍ଷେତ୍ରର ଆଞ୍ଚଳିକ ନିର୍ଦ୍ଦେଶକ ଶିବାଜୀ ମୁରଲୀଧର ଖରାତଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ଯୁବ ଅଧିକାରୀ ବିପିନ୍ କୁମାର ଏବଂ ଆକାଉଣ୍ଟାଣ୍ଟ ସୁଭେନ୍ଦ୍ରନାଥ ସାହୁ ସଂଯୋଜନା କରିବେ । କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଆଞ୍ଚଳିକ କାର୍ଯ୍ୟାଳୟର ସହକାରୀ ବିଭାଗ ଅଧିକାରୀ ରୋହିତ ନନ୍ଦେଶ୍ୱର ଶାମରାଓ ସହାୟତା କରିବେ ।