
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଚଳିତବର୍ଷ ମାର୍ଚ୍ଚ ୧୩ ତାରିଖରେ ଓଡିଶା ଜୁଡିସିଆଲ ସର୍ଭିସ (ଓଜେଏସ), ୨୦୨୩ର ଫଳାଫଳ ପ୍ରକାଶ ପାଇଛି ଓ ୩୩ଜଣ ଛାତ୍ରଛାତ୍ରୀ ନ୍ୟାୟିକ ଅଧିକାରୀ ଭାବେ ସଫଳତା ପାଇଛନ୍ତି । ଆଜି ଏହି କୃତି ଛାତ୍ରଛାତ୍ରୀମାନଙ୍କୁ ଭୁବନେଶ୍ୱର ସ୍ଥିତ ପ୍ରମୁଖ ଆଇନ ଶିକ୍ଷା ଅନୁଷ୍ଠାନ ‘ନୃପଦ ଲ କ୍ଳାସେସ’ ତରଫରୁ ଏହି ପ୍ରତିଷ୍ଠାନର ମୁଖ୍ୟ ମମତା ଦେବୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ବାର କାଉନ୍ସିଲର ସଭ୍ୟ ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରସାଦ ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡ଼ଃ ମୀନକେତନ ସାହୁ ଓ ମୁଖ୍ୟ ବକ୍ତା ଭାବେ ସମାଜସେବୀ ନୀଳମଣି ମିଶ୍ର ଯୋଗ ଦେଇ ଏହି ଶିକ୍ଷାନୁଷ୍ଠାନର ବିଗତ ଦିନର ସଫଳତା କଥା ବର୍ଣ୍ଣନା କରିବା ସହ ଏଥର କୃତିତ୍ୱ ହାସଲ କରିଥିବା ୩ଜଣ ନ୍ୟାୟିକ ଅଧିକାରୀ ଶ୍ରୀତା ଛୋଟରାୟ, ଦେବଦତ୍ତ ଜେନା ଓ ସ୍ତୁତି ପଟ୍ଟନାୟକଙ୍କୁ ଉପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ମାନପତ୍ର ଦେଇ ସମ୍ମାନିତ କରିଥିଲେ ଓ ଭବିଷ୍ୟତରେ ଜଣେ ଭଲ ନ୍ୟାୟିକ ଅଧିକାରୀ ହେବାକୁ ନେଇ ସେମାନଙ୍କୁ ଉପଦେଶ ଦେଇଥିଲେ । ସୂଚନାଯୋଗ୍ୟ ଯେ, ବିଗତ ୩ ବର୍ଷ ଧରି ଏହି ଅନୁଷ୍ଠାନର ଫଳାଫଳ ବେଶ ଆଖିଦୃଶିଆ ହେବାରେ ଲାଗିଛି । ଏହି ଅନୁଷ୍ଠାନରେ ଏକମାତ୍ର ଶିକ୍ଷୟତ୍ରୀ ମମତା ଦେବୀ ସମସ୍ତଙ୍କୁ ପଢ଼ାଉଥିବା ବେଳେ ତାଙ୍କର ସ୍ୱାମୀ ରାଜେଶ କୁମାର ମିଶ୍ର ତାଙ୍କୁ ଏଥିରେ ସହଯୋଗ କରିଥାନ୍ତି ବୋଲି ମମତା ଦେବୀ ସୂଚନା ଦେଇଛନ୍ତି । ବିଗତ ବର୍ଷ ପ୍ରଥମ ବ୍ୟାଚରେ ୫ଜଣ, ଗତବର୍ଷ ୧୧ଜଣ ଓ ଏ ବର୍ଷ ୪ଜଣ ନ୍ୟାୟିକ ଅଧିକାରୀ ଏହି ଶିକ୍ଷାନୁଷ୍ଠାନରୁ ସୃଷ୍ଟି ହୋଇଛନ୍ତି । ସେହିପରି ଏହି ଶିକ୍ଷାନୁଷ୍ଠାନରୁ ଆଜି ପର୍ଯ୍ୟନ୍ତ ବହୁ ଅଭିଯୋଜନ ଅଧିକାରୀ, ଶିକ୍ଷକ ମଧ୍ୟ ସୃଷ୍ଟି ହୋଇଛନ୍ତି । ପୁରୁଷ ପ୍ରଧାନ ସମାଜରେ ଏକାକୀ ମହିଳା ଭାବେ ଆଇନ ଶିକ୍ଷାକୁ ଏକ ସ୍ଥରକୁ ନେଇଥିବା ମମତା ଦେବୀଙ୍କୁ ସମସ୍ତ ମହଲରୁ ପ୍ରଶଂସା ମିଳୁଥିବାର ସୂଚନା ମିଳୁଛି ।