ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜୀବନ ବୀମା ଅଭିକର୍ତ୍ତା ମହାସଂଗଠନ, ସମ୍ବଲପୁର ମଣ୍ଡଳ ପରିଷଦର ୧୧ତମ ସାଧାରଣ ଅଧିବେଶନ ଚଳିତ ବର୍ଷ ଡିସେମ୍ବର ୧୩ ଓ ୧୪ ତାରିଖରେ ବଲାଙ୍ଗିରଠାରେ ଅନୁଷ୍ଠିତ ହେବ । ସ୍ଥାନୀୟ ସମ୍ବଲପୁର ରୋଡ ସ୍ଥିତ ନଟରାଜ ପେଲେସଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଦୁଇ ଦିବସ ବ୍ୟାପି ସମ୍ମିଳନୀରେ ସମ୍ବଲପୁର ମଣ୍ଡଳ ଅନ୍ତର୍ଗତ ସମସ୍ତ ଶାଖାରୁ ଶତାଧିକ ଜୀବନବୀମା ଅଭିକର୍ତ୍ତା ଯୋଗଦାନ କରି ଅଂଶଗ୍ରହଣ କରିବେ । କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ପରିଚାଳନା ପୂର୍ବକ ସଫଳ କରିବା ପାଇଁ ଆୟୋଜକ ବଲାଙ୍ଗିର ଶାଖା ସଂଗଠନ ପକ୍ଷରୁ ପ୍ରସ୍ତୁତି ଚୁଡାନ୍ତ କାର୍ଯ୍ୟରେ ପହଂଚିଛି । ଅଧିବେଶନର ଉଭୟ ଦିବସରେ ମହାସଂଗଠନର କେନ୍ଦ୍ରୀୟ ସଂପାଦକ ବି. ମର୍କଣ୍ଡେୟୁଲୁ, ରାଜନୈତିକ ବ୍ୟାପାର କମିଟି ଓ ସାଂଗଠନିକ ଅଧ୍ୟକ୍ଷ ଏନ୍. ଗଜପତି ରାଓ, ଶିକ୍ଷା ବିଭାଗ ଅଧ୍ୟକ୍ଷ ରବି ନାରାୟଣ ମିଶ୍ର, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ରାଜ ନାରାୟଣ ଦେଓ, କ୍ଷେତ୍ରୀୟ ସଭାପତି ରାକେଶ ନନ୍ଦକେଓଲିଆର, କ୍ଷେତ୍ରୀୟ ସଂପାଦକ ସରୋଜ କୁମାର ଶଙ୍କୁଆ, କ୍ଷେତ୍ରୀୟ ସାଂଗଠାନିକ ସଂପାଦକ ପ୍ରତାପ ଚନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ଯୁବଜାନି ବେଜ, ମଣ୍ଡଳ ସଭାପତି ଦାମୋଦର କର, କାର୍ଯ୍ୟକାରୀ ସଭାପତି ଇଂ. ଅଜିତ କର, ସଂପାଦକ ଅନିରୁଦ୍ଧ ସାମଲ ତଥା ମଣ୍ଡଳ ସ୍ତରୀୟ ଶୀର୍ଷ ନେତୃବୃନ୍ଦ ଯୋଗ ଦେଉଥିବା ବେଳେ ରାଜ୍ୟସଭା ସାଂସଦ ନିରଂଜନ ବିଶି, ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ, ଟିଟିଲାଗଡ ବିଧାୟକ ନବୀନ ଜୈନ, ନବ ନିର୍ମାଚିତ ନୂଆପଡା ବିଧାୟକ ଜୟଭାଇ ଢୋଲକିଆ, ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଏବଂ ଟିଟିଲାଗଡ ପୌରାଧ୍ୟକ୍ଷା ମମତା ଦେବୀ ଜୈନ ପ୍ରମୁଖ ପର୍ଯ୍ୟାୟ କ୍ରମେ ଯୋଗ ଦେବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି ବୋଲି ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ତଥା ବଲାଙ୍ଗିର ଶାଖା ସଂଗଠନ ସଭାପତି ଅସୀମ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ଅଧିବେଶନରେ ଜୀବନ ବୀମା ଅଭିକର୍ତ୍ତା ମାନଙ୍କ ବହୁବିଧ ସମସ୍ୟା ଓ ବୃତ୍ତିଗତ ସୁରକ୍ଷା ଉପରେ ବ୍ୟାପକ ବିଚାର ବିମର୍ଷ ସହିତ ମହାସଂଗଠନର ଆଗାମୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ହିତ ମଧ୍ୟମରେ କ୍ଷେତ୍ରୀୟ, ତଥା ମଣ୍ଡଳ ସ୍ତରୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ଦୁଇ ଥର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବା ସହିତ ବିଭିନ୍ନ ଉପ-କମିଟି ଗଠନ କରାଯାଇଛି । ସାମ୍ବାଦିକ ଭବନରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଅସୀମ ପଟ୍ଟନାୟକଙ୍କ ବ୍ୟତିତ ଶାଖା କାର୍ଯ୍ୟକାରି ସଭାପତି ରାମ ପ୍ରସାଦ ପାଣିଗ୍ରାହୀ, ଉପସଭାପତି ପ୍ରତାପ ସାହୁ, ସଂପାଦକ ସରୋଜ କୁମାର ଭୋଇ, କୋଷାଧ୍ୟକ୍ଷ ସାଧୁରାମ ପୃଷ୍ଟି ଅଭ୍ୟର୍ଥନା କମିଟି କୋଷାଧ୍ୟକ୍ଷ ଉଦିତ୍ କୁମାର ଦାନୀ ପ୍ରମୁଖ ଉପସ୍ଥିତ ଥିଲେ ।