ସାମାଜିକ ଅନ୍ତର୍ଭୁକ୍ତୀକରଣ ଏବଂ କ୍ଷୁଧା ଓ ଦାରିଦ୍ର୍ୟ ମୁକାବିଲା ଉପରେ ଜି-୨୦ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବିବୃତି
ନୂଆଦିଲ୍ଲୀ, (ପିଆଇବି) :
ମହାରାଜ,
ମହାମହିମ,
ନମସ୍କାର
ପ୍ରାରମ୍ଭରେ, ମୁଁ ରାଷ୍ଟ୍ରପତି ଲୁଲାଙ୍କୁ ଜି-୨୦ ଶିଖର ସମ୍ମିଳନୀର ଆୟୋଜନ ଏବଂ ତାଙ୍କର ସଫଳ ଜି-୨୦ ଅଧ୍ୟକ୍ଷତା ପାଇଁ କରାଯାଇଥିବା ଭବ୍ୟ ବ୍ୟବସ୍ଥା ପାଇଁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି । ନୂଆଦିଲ୍ଲୀରେ ଅନୁଷ୍ଠିତ ଜି-୨୦ ଶିଖର ସମ୍ମିଳନୀରେ ଗ୍ରହଣ କରାଯାଇଥିବା ଜନକେନ୍ଦ୍ରୀତ ନିଷ୍ପତ୍ତିକୁ ବ୍ରାଜିଲର ଅଧ୍ୟକ୍ଷତା ସମୟରେ ଆଗେଇ ନିଆଯାଇଛି । ଏହା ଅତ୍ୟନ୍ତ ସନ୍ତୋଷର ବିଷୟ ଯେ, ଆମେ ଏସ୍ଡିଜି ଲକ୍ଷ୍ୟକୁ ପ୍ରାଥମିକତା ଦେଇଛୁ । ଆମେ ସାମଗ୍ରିକ ବିକାଶ, ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଏବଂ ଯୁବ ଶକ୍ତି ଉପରେ ଗୁରୁତ୍ୱ ଦେଇଥିଲୁ । ଆହୁରି ଗ୍ଲୋବାଲ ସାଉଥର ଆଶା ଓ ଆକାଂକ୍ଷାକୁ ଶିଖରରେ ପହଞ୍ଚାଇଥିଲୁ । ଏହା ସ୍ପଷ୍ଟ ଯେ ଏକ ପୃଥିବୀ ଏକ ପରିବାର ଏକ ଭବିଷ୍ୟତ ପ୍ରସଙ୍ଗ ଗତ ବର୍ଷ ଭଳି ଏହି ଶିଖର ସମ୍ମିଳନୀରେ ମଧ୍ୟ ପ୍ରାସଙ୍ଗିକ ।
ବନ୍ଧୁଗଣ,
ପ୍ରଥମ ଅଧିବେଶନର ବିଷୟବସ୍ତୁ ସମ୍ପର୍କରେ, ମୁଁ ଭାରତର ଅନୁଭୂତି ଏବଂ ସଫଳତାର କାହାଣୀ ଆପଣମାନଙ୍କ ସମ୍ମୁଖରେ ପରିପ୍ରକାଶ କରିବାକୁ ଚାହୁଁଛି । ଗତ ୧୦ ବର୍ଷ ମଧ୍ୟରେ ଆମେ ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟ ମୁକ୍ତ କରିଛୁ । ୮୦ କୋଟିରୁ ଅଧିକ ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଦିଆଯାଉଛି । ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନାରେ ୫୫ କୋଟି ଲୋକ ଉପକୃତ ହେଉଛନ୍ତି । ଏବେ ୭୦ ବର୍ଷରୁ ଅଧିକ ବୟସ୍କ ୬କୋଟି ବରିଷ୍ଠ ନାଗରିକ ମଧ୍ୟ ମାଗଣା ସ୍ୱାସ୍ଥ୍ୟ ବୀମାର ଲାଭ ଉଠାଇପାରିବେ । ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଏବଂ ସାମାଜିକ ଅନ୍ତର୍ଭୁକ୍ତୀକରଣ ଉପରେ ଆମର ଧ୍ୟାନ ବଜାୟ ରଖି ୩୦ କୋଟିରୁ ଅଧିକ ମହିଳା କ୍ଷୁଦ୍ର ଉଦ୍ୟୋଗୀଙ୍କୁ ବ୍ୟାଙ୍କ ସହିତ ଯୋଡ଼ା ଯାଇଛି ଏବଂ ଋଣ ସୁବିଧା ପ୍ରଦାନ କରାଯାଇଛି । ବିଶ୍ୱର ସର୍ବବୃହତ ଫସଲ ବୀମା ଯୋଜନା ଅଧୀନରେ ୪ କୋଟିରୁ ଅଧିକ କୃଷକ ୨ହଜାର କୋଟି ଆମେରିକୀୟ ଡଲାର ମୂଲ୍ୟର ଲାଭ ପାଇଛନ୍ତି । କୃଷକ ଯୋଜନାରେ ୧୧ କୋଟି କୃଷକଙ୍କୁ ୪ ହଜାର କୋଟି ଡଲାରରୁ ଅଧିକ ଟଙ୍କାର ସହାୟତା ପ୍ରଦାନ କରାଯାଇଛି । କୃଷକମାନଙ୍କୁ ୩୦ ହଜାର କୋଟି ଆମେରିକୀୟ ଡଲାରର ସଂସ୍ଥାଗତ ଋଣ ଦିଆଯାଉଛି । ଭାରତ କେବଳ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ କରୁନାହିଁ ବରଂ ପୁଷ୍ଟିସାଧନ ଉପରେ ମଧ୍ୟ ଧ୍ୟାନ ଦେଉଛି । ଏକ ସମନ୍ୱିତ ପୋଷଣ ସହାୟତା କାର୍ଯ୍ୟକ୍ରମ ରୂପେ ସକ୍ଷମ ଅଙ୍ଗନୱାଡ଼ି ଏବଂ ପୋଷଣ ୨.୦ ଅଭିଯାନ ବିଶେଷ କରି ଗର୍ଭବତୀ ମହିଳା, ନବଜାତ ଶିଶୁ, ୬ ବର୍ଷରୁ କମ୍ ବୟସର ଶିଶୁ ଏବଂ କିଶୋରୀମାନଙ୍କ ପାଇଁ ପୁଷ୍ଟିସାଧନ ଉପରେ ଗୁରୁତ୍ୱ ଦେଇଥାଏ । ମଧ୍ୟାହ୍ନ ଭୋଜନ ଯୋଜନା ମାଧ୍ୟମରେ ସ୍କୁଲ ଯାଉଥିବା ପିଲାଙ୍କ ପୁଷ୍ଟିସାଧନ ଆବଶ୍ୟକତା ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ବିଶ୍ୱ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ମଧ୍ୟ ଭାରତର ଅବଦାନ ରହିଛି । ନିକଟରେ ଆମେ ମାଲାବି, ଜାମ୍ବିଆ ଏବଂ ଜିମ୍ବାୱେକୁ ମାନବିକ ସହାୟତା ପ୍ରଦାନ କରିଛୁ ।
ବନ୍ଧୁଗଣ,
ଆମର ସଫଳତାର ମୁଖ୍ୟ କାରଣ ହେଉଛି ଆମର ଆଭିମୁଖ୍ୟ : ‘ମୌଳିକ ଦିଗକୁ ଫେରିବା’ ଏବଂ ‘ଭବିଷ୍ୟତ ଅଭିମୁଖେ ଯାତ୍ରା’ ।
ଆମେ କେବଳ ପ୍ରାକୃତିକ କୃଷି ଏବଂ ଜୈବିକ କୃଷି ନୁହେଁ ବରଂ ନୂତନ ଜ୍ଞାନକୌଶଳ ଉପରେ ମଧ୍ୟ ଧ୍ୟାନ ଦେଇଛୁ । ଶ୍ରୀଅନ୍ନ ବା ମାଣ୍ଡିଆ ଜାତୀୟ ଶସ୍ୟକୁ ପ୍ରୋତ୍ସାହନ ଦେଇ ଦୀର୍ଘସ୍ଥାୟୀ କୃଷି, ପରିବେଶ ସୁରକ୍ଷା, ପୁଷ୍ଟିସାଧନ ଏବଂ ଖାଦ୍ୟ ନିରାପତ୍ତା ଉପରେ ଆମେ ଗୁରୁତ୍ୱ ଦେଇଛୁ । ଆମେ ୨ ହଜାରରୁ ଅଧିକ ଜଳବାୟୁ ସହନଶୀଳ ଫସଲ ପ୍ରଜାତି ବିକଶିତ କରିଛୁ ଏବଂ ‘ଡିଜିଟାଲ କୃଷି ମିଶନ’ ଆରମ୍ଭ କରିଛୁ ।
ଭାରତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ସାମାଜିକ ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ସକ୍ଷମ କରିଛି । ଆକାଂକ୍ଷୀ ଜିଲ୍ଲା ଏବଂ ବ୍ଲକ ପ୍ରକଳ୍ପ ସହିତ ଆମେ ସମାବେଶୀ ବିକାଶ ପାଇଁ ଏକ ନୂତନ ମଡେଲ ସୃଷ୍ଟି କରିଛୁ ଯାହା ସବୁଠାରୁ ଦୁର୍ବଳ ସଂଯୋଗକୁ ସୁଦୃଢ଼ କରିଥାଏ ।
ବନ୍ଧୁଗଣ,
‘‘କ୍ଷୁଧା ଏବଂ ଦାରିଦ୍ର୍ୟ ବିରୋଧରେ ବୈଶ୍ୱିକ ମେଣ୍ଟ’’ ପାଇଁ ବ୍ରାଜିଲର ପଦକ୍ଷେପକୁ ଆମେ ସମର୍ଥନ କରୁଛୁ । ଖାଦ୍ୟ ନିରାପତ୍ତା ପାଇଁ ଡେକାନ ଉଚ୍ଚସ୍ତରୀୟ ନୀତିର କାର୍ଯ୍ୟକାରିତା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ନୂଆଦିଲ୍ଲୀ ଶିଖର ସମ୍ମିଳନୀରେ ଗ୍ରହଣ କରାଯାଇଛି । ବନ୍ଧୁଗଣ,
ଶେଷରେ, ମୁଁ କହିବାକୁ ଚାହୁଁଛି ଯେ ବିଶ୍ୱ ସଂଘର୍ଷ ଯୋଗୁଁ ସୃଷ୍ଟି ହୋଇଥିବା ଖାଦ୍ୟ, ଇନ୍ଧନ ଏବଂ ସାର ସଙ୍କଟ ଦ୍ୱାରା ବିକାଶଶୀଳ ଦେଶଗୁଡ଼ିକ ସର୍ବାଧିକ ପ୍ରତିକୂଳ ରୂପେ ପ୍ରଭାବିତ ହେଉଛନ୍ତି । ତେଣୁ ଆମର ଆଲୋଚନା ସେତିକିବେଳେ ହିଁ ସଫଳ ହୋଇପାରିବ ଯେତେବେଳେ ଆମେ ବିଶ୍ୱର ଆହ୍ୱାନ ଏବଂ ପ୍ରାଥମିକତାକୁ ଧ୍ୟାନରେ ରଖିବୁ । ଆହୁରି ନୂଆଦିଲ୍ଲୀ ଶିଖର ସମ୍ମିଳନୀ ସମୟରେ ଆଫ୍ରିକୀୟ ସଂଘକୁ ଜି-୨୦ର ସ୍ଥାୟୀ ସଦସ୍ୟତା ପ୍ରଦାନ କରି ଆମେ ଯେପରି ଗ୍ଲୋବାଲ ସାଉଥର ସ୍ୱରକୁ ପ୍ରୋତ୍ସାହିତ କରିଛୁ, ଆମେ ବିଶ୍ୱ ପ୍ରଶାସନର ଅନୁଷ୍ଠାନଗୁଡ଼ିକରେ ସଂସ୍କାର ଆଣିବୁ । ଆଗାମୀ ଅଧିବେଶନରେ ଏହି ପ୍ରସଙ୍ଗରେ ଆହୁରି ବିସ୍ତୃତ, ସକାରାତ୍ମକ ଆଲୋଚନା ହେବ ବୋଲି ମୋର ବିଶ୍ୱାସ ରହିଛି ।
ଆପଣଙ୍କୁ ବହୁତ ଧନ୍ୟବାଦ ।