
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ପୋଲିସର ଆକ୍ସନ ଉପରେ ଆକ୍ସନ ଦେଖିବାକୁ ମିଳୁଛି । ଅପରାଧୀଙ୍କୁ ସାବାଡ କରିବା ପାଇଁ ଅଣ୍ଟା ଭିଡିଛି ବଲାଙ୍ଗିର ପୋଲିସ । ପୋଲିସର ଏଭଳି ଜିରୋ ଟଲୋରେନ୍ସ ନୀତିରେ ହଲ୍ଚଲ୍ ହୋଇ ଉଠିଛି ଅପରାଧୀଙ୍କ ସାମ୍ରାଜ୍ୟ । ଏହି କ୍ରମରେ ଏବେ ବଲାଙ୍ଗିର ପୋଲିସର ଟାର୍ଗେଟରେ ଦେଶୀ ଓ ବିଦେଶୀ ମଦ ବେପାରୀ । ବଲାଙ୍ଗିର ସହରରେ ହୁ ହୁ ହୋଇ ବଢୁଥିବା ନିଶା କାରବାରର ଚେର ଉପାଡିବାକୁ ଟାର୍ଗେଟ କରିଛି ଏବେ ପୋଲିସ । ମଦ ଦୋକନୀମାନେ ବେପାର ବଢାଇବା ଉଦ୍ଦେଶ୍ୟରେ କୁଚିଆ ବେପାରକୁ ବଢାଇ ଚାଲିଥିବା ବେଳେ ଏବେ ଦେଶୀ ବିଦେଶୀ ମଦ କୁଚିଆଙ୍କ ଉପରେ ହାବି ହୋଇପଡିଛି ବଲାଙ୍ଗିର ଟାଉନ ପୋଲିସ । ଜବରଦସ୍ତ ଚଢାଉ ଜାରି ରଖିଛି । ସାଲେପାଲିର ଜଣେ କୁଚିଆ ବେପାରୀ ଉପରେ ଚଢାଉ କରି ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ କରିଥିବା ସୂଚନାରେ କୁହାଯାଇଛି । ଏହି କୁଚିଆ ବେପାର ମୂଳରେ ଥିବା ଭାଗିରଥୀ ଛକର ଏଫ୍ଏଲ୍ ଅଫ୍ସଫ୍ ନଂ ୬ ତାକୁ ମଧ୍ୟ ସିଲ କରିଛି ପୋଲିସ । ସେହିଭଳି ରେଳଷ୍ଟେସନ ରାସ୍ତାରେ ଥିବା ଦେଶୀ ମଦ କାଉଣ୍ଟର ଦୋକନକୁ ମଧ୍ୟ ସିଲ୍ କରାଯାଇ ସେଠାକାର ମ୍ୟାନେଜରକୁ ଗିରଫ କରାଯାଇଛି । ବଲାଙ୍ଗିର ଏସ୍ପି ନିତିନ କୁଶଲକରଙ୍କ କଡା ନିର୍ଦ୍ଦେଶ ସହରକୁ କ୍ଲିନ କ୍ରିମିନାଲ ଦିଗରେ ବିଶେଷ ଲାଭଦାୟକ ହେବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି ।
