ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍ : ଏଏସ୍‌ଆଇ ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍ । ଗ୍ରାମାଞ୍ଚଳ ଥାନା ଏଏସ୍‌ଆଇ ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ । ଏଏସ୍‌ଆଇଙ୍କୁ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କଲେ କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବଦଳି କରାଯାଇଛି । ସୂଚନା ଅନୁଯାୟୀ, ଛାତ୍ରୀଙ୍କ ତଥାକଥିତ ପ୍ରେମିକ ତାଙ୍କୁ ବ୍ରେକ୍‌ଅପ୍‌ ପରେ ବ୍ଲାକ୍‌ମେଲ୍‌ କରୁଥିବା, ଫଟୋ ଭାଇରାଲ୍‌ କରୁଥିବା, ହଇରାଣ ହରକତ ସହ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ଥାନାରେ ପ୍ରାୟ ଛାତ୍ରୀ ଆତ୍ମଦାହ କରିବାର ୬ରୁ ୮ ମାସ ପୂର୍ବରୁ ପରିବାର ଲୋକଙ୍କ ସହ ଯାଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ଥାନାରେ ଗୁହାରି ଜଣାଇବାକୁ ତାଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥିଲା । ହେଲେ ପୁଲିସ ଏଏସ୍‌ଆଇ ଶୈଳେନ୍ଦ୍ର ମୋହନ ପଲେଇ ଏତଲା ରଖିନଥିଲେ । ଦାୟିତ୍ୱ ଖସାଇବାକୁ ଯାଇ ବ୍ଲାକମେଲ କରୁଥିବା ଛାତ୍ରୀଙ୍କ ତଥାକଥିତ ପ୍ରେମିକ ଯୁବକର ଫୋନ୍‌ ନମ୍ବର ବ୍ଲକ୍‌ କରିବାକୁ କହିଥିଲେ । ବ୍ଲାକ୍‌ଲିଷ୍ଟରେ ପକାଇବାକୁ କହିଥିଲେ । କିନ୍ତୁ ମାମଲା ହୋଇପାରିବ ନାହିଁ ବୋଲି ପୀଡ଼ିତାଙ୍କ ପରିବାରକୁ ମନା କରିଦେଇଥିଲେ ବୋଲି ମୃତା ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି । ଏହା ପରେ ଫୋନ୍‌ରେ ମୌଖିକ ଭାବେ ଏ ବିଷୟରେ ପୁଲିସକୁ ଜଣାଇଥିଲେ ହେଁ ପୁଲିସ ପକ୍ଷରୁ କୌଣସି ସହଯୋଗ ମିଳିନଥିଲା । ପୁଲିସ ଏତଲା ରଖିବା ପାଇଁ ମନା କରିଦେବା ପରେ ଛାତ୍ରୀ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ । ପ୍ରେମିକର ନିର୍ଯ୍ୟତନା ଦିନକୁ ଦିନ ଅସହ୍ୟ ହୋଇ ଚାଲିଥିଲା । ଯାହା ସହିବା ତାଙ୍କ ପକ୍ଷେ ଆଉ ସମ୍ଭବ ହୋଇ ପାରିନଥିଲା । ଆଉ ଆତ୍ମଦାହ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ଚର୍ଚ୍ଚା ହେଉଛି । ଏ ଘଟଣା ପୁଣି ଥରେ ପୁଲିସ ଉପରକୁ ଅଙ୍ଗୁଳି ଉଠାଇଛି । ଏହି ଘଟଣା ପରେ ଗ୍ରାମାଞ୍ଚଳ ଥାନା ଏଏସ୍‌ଆଇ ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳିି କରାଯାଇଛି ।

jittmm
Leave A Reply

Your email address will not be published.