ବାଙ୍କେଲ-ରଣାବନ୍ଧ ଗ୍ରାମରୁ ୨ଲକ୍ଷ ଟଙ୍କା ମୂଲ୍ୟର ୧୫୦ରୁ ଅଧିକ ଚୋରା କେନ୍ଦୁକାଠ ଗଣ୍ଡି ସହ ଟ୍ରକ ଓ ବାଇକ୍ ଜବତ, ପୁଣି ଅଭିଯୁକ୍ତମାନେ ଫେରାର

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଡଙ୍ଗାବାଞ୍ଜି ସେକ୍ସନ ରଣାବନ୍ଧ ଗ୍ରାମରୁ ବାଙ୍କେଲ ଖେଳପଡିଆ ରାସ୍ତାରେ ଜଙ୍ଗଲ ବିଭାଗ ପକ୍ଷରୁ ଚଢାଉ କରି ଚୋରାଚାଲାଣ ହେଉଥିବା ମୂଲ୍ୟବାନ କେନ୍ଦୁକାଠ ସହ ଏକ ଟ୍ରକ ଓ ବାଇକକୁ ଜବତ କରାଯାଇଛି । ୫ଦିନ ପୁର୍ବରୁ ଚଳକୀ-ଗୁଡିଘାଟ ମୁଖ୍ୟ ରାସ୍ତାରେ ଚୋରାଚାଲାଣ ହେଉଥିବା ମୂଲ୍ୟବାନ ଖଇର କାଠ ବୋଝେଇ ଏକ ମାକ୍ସ ପିକଅପ ଭ୍ୟାନକୁ ଜଙ୍ଗଲ ବିଭାଗ ପକ୍ଷରୁ ଜବତ କରାଯାଇଥିଲା । ରବିବାର ରାତିରେ ଡଙ୍ଗାବାଞ୍ଜି ଫରେଷ୍ଟର ଘନଶ୍ୟାମ ପସାୟତ, ଫରେଷ୍ଟଗାର୍ଡ ଅଜିତ ବେହେରାଙ୍କ ନେତୃତ୍ୱରେ ଜଙ୍ଗଲ ବିଭାଗ ଟିମ୍ ପକ୍ଷରୁ ଏହି ରାସ୍ତାରେ ପେଟ୍ରୋଲିଂ ଚାଲିଥିଲା । ସେମାନେ ଘଟଣା ସ୍ଥଳରୁ ଟ୍ରକ ୧୫୧୨ ସିଆର୍‌ଏକ୍ସ (ଓଡ଼ି ୧୭ ଏଏ ୮୯୫୬)ରେ ଚୋରା ଚାଲାଣ ହେଉଥିବା ୧୫୦ରୁ ଅଧିକ ମୂଲ୍ୟବାନ କେନ୍ଦୁଗଣ୍ଡି ଓ ବ୍ୟବହୃତ ଏକ ନମ୍ବର ବିହୀନ ହୋଣ୍ଡା ସିବି ସାଇନ୍ ବାଇକକୁ ଜବତ କରିଥିଲେ । ଜଙ୍ଗଲ ବିଭାଗର ଚଢ଼ାଉ ଭୟରେ ଗାଡ଼ିରେ ଥିବା ଡ୍ରାଇଭର ଓ ଅନ୍ୟମାନେ ଟ୍ରକ ଓ ବାଇକ୍ ଛାଡି ପୁଣି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଉଭୟ ଜବତ ଗାଡ଼ି ଓ କେନ୍ଦୁଗଣ୍ଡିକୁ ଜଙ୍ଗଲ ବିଭାଗ କାର୍ଯ୍ୟାଳୟକୁ ଅଣାଯାଇଥିଲା । ଜବତ ୧୫୦ରୁ ଅଧିକକେନ୍ଦୁଗଣ୍ଡିର ଆନୁମାନିକ ମୂଲ୍ୟ ୨ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଜଣାପଡିଛି । ଏହା ପୂର୍ବରୁ ମାତ୍ର ୫ଦିନ ତଳେ ଏହି ରେଞ୍ଜ ଅଞ୍ଚଳରୁ ବହୁ ପରିମାଣରେ ଖଇର କାଠ ଓ ସୋମବାର ପୁଣି ବିପୁଳ କେନ୍ଦୁକାଠ ଜବତ କରାଯାଇଥିବା ବେଳେ ବେଆଇନ୍ ଚୋରା ଚାଲାଣକାରୀମାନେ କେବେ ବି ଗିରଫ ହେଉନଥିବାରୁ କାଠ ଚୋରାଚାଲାଣ ଲଗାତାର ଭାବେ ବୃଦ୍ଧି ପାଉଥିବା ବାରମ୍ବାର ଅଭିଯୋଗ ହେଉଛି । ବେଆଇନ୍ ଚୋରାଚାଲାଣ ହେଉଥିବା ମୂଲ୍ୟବାନ କେନ୍ଦୁକାଠ, ବ୍ୟବହୃତ ଟ୍ରକ ଓ ବାଇକ ଜବତ କରି ୟୁଡ଼ି କେସ୍‌ ନଂ ୧୦/୨୪-୨୫ ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ବୋଲି ରେଞ୍ଜର ଶିବପ୍ରସାଦ ନାଏକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.