centurian jitm

ହଳଦୀ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ଅନିୟମିତତା ଅଭିଯୋଗ

nschool
  • କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କ ସହିତ ୬ଶିକ୍ଷକ ନିଲମ୍ବିତ
  • ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ଜାତୀୟ ରାଜପଥ ଅବରୋଧ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର ) : ରାଜ୍ୟରେ ବର୍ତମାନ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଚାଲିଥିବା ବେଳେ ଏହି ପରୀକ୍ଷାରେ ଅବ୍ୟବସ୍ଥା ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ହାଇସ୍କୁଲ ସେଣ୍ଟର ସୁପରିଟେଣ୍ଡେଣ୍ଟଙ୍କ ସହିତ ୬ଶିକ୍ଷକ ନିଲମ୍ବିତ ହୋଇଛନ୍ତି । ହଳଦୀ ହାଇସ୍କୁଲର ଦଶମ ପରୀକ୍ଷାରେ କପି ସହ ବ୍ୟାପକ ଅବ୍ୟବସ୍ଥା ଅଭିଯୋଗ ହୋଇଥିଲା । ଗତ ୨୪ତାରିଖରେ ଟିଟିଲାଗଡ ଉପଜିଲ୍ଲାପାଳ ରେହାନ୍ କ୍ଷେତ୍ରୀ ସିରୋଲ ଓ ହଳଦୀ କେନ୍ଦ୍ର ପରିଦର୍ଶନ କରିଥିଲେ । ସିରୋଲ କେନ୍ଦ୍ରରେ ସବୁ ଠିକଠାକ ଥିବା ବେଳେ କେବଳ ମୋବାଇଲ ରଖିବା ପାଇଁ ଏକ ରେଜିଷ୍ଟର ମେଣ୍ଟେନ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟ ପକ୍ଷରେ ସେ ହଳଦୀ କେନ୍ଦ୍ର ପରୀକ୍ଷାରେ କପି ସହ ବ୍ୟାପକ ଅନିୟମିତତା ହେଉଥିବା, ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ପରିଚାଳନା ପାଇଁ ଥିବା ନିୟମର ଖୋଲା ଉଲ୍ଲଂଘନ ହେଉଥିବା ଅଭିଯୋଗ ନେଇ ସିସିଟିଭି ଯାଞ୍ଚ କରି ଜିଲ୍ଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ରିପୋର୍ଟ ଦେଇଥିଲେ । ଉପଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ । ହଳଦୀ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ସେଣ୍ଟର ସୁପ୍ରିଣ୍ଟେଣ୍ଡେଣ୍ଟ ଉମେଶ କୁମାର ବିଶ୍ୱାଳଙ୍କ ସହିତ ପାଞ୍ଚ ଜଣ ଶିକ୍ଷକଙ୍କୁ ନିଲମ୍ବନ କରିଥିଲେ । ଶ୍ରୀ ବିଶ୍ଵାଳଙ୍କ ସହ ହାଇସ୍କଲର ସହକାରୀ ଶିକ୍ଷୟିତ୍ରୀ ବୈଜୟନ୍ତି ସୁବୁଦ୍ଧିଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ନିଲମ୍ବିତ କରିଥିଲେ । ସେହିପରି ହାଇସ୍କୁଲରେ ପରୀକ୍ଷା ପରିଚାଳନାରେ ନିୟୋଜିତ ହଦହଦା ୟୁପି ସ୍କୁଲ ଶିକ୍ଷକ ମନୋଜ କୁମ୍ଭାର, ବାଙ୍କେଲ ୟୁପି ସ୍କୁଲ ଶିକ୍ଷକ କପିଳେଶ୍ୱର ବେହେରା, ଯୁଗୀରତା ପିୟୁପିଏସର ଶିକ୍ଷକ ସୋମନାଥ ଧଳ ଓ ଯମୁନା ପିୟୁପିଏସ ସ୍କୁଲର ନୂତନ ଭାବେ ନିଯୁକ୍ତ ଜୁନିୟର ଶିକ୍ଷୟିତ୍ରୀ ଅଙ୍କିତା ପଧାନଙ୍କୁ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ ନିଲମ୍ବିତ କରିଥିଲେ । ନିଲମ୍ବନ ସମୟରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବିଭିନ୍ନ ବିଦ୍ୟାଳୟଗୁଡିକରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ହଳଦୀ କେନ୍ଦ୍ରରେ ସିରୋଲ, ଗାଁରେଇ ଓ ଗୁରୁଣ୍ଡା ହାଇସ୍କୁଲର ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ହଳଦୀ କେନ୍ଦ୍ର ଅଧିକ୍ଷକ ଶ୍ରୀ ବିଶ୍ଵାଳଙ୍କ ନିଲମ୍ବନ ପରେ ସେହି ହାଇସ୍କୁଲର ସହକାରୀ ଶିକ୍ଷକ ପଞ୍ଚାନନ ରଣାଙ୍କୁ କେନ୍ଦ୍ର ଅଧିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ଉପଜିଲ୍ଲାପାଳଙ୍କ ସୁପାରିଶ ଆଧାରରେ ହଳଦୀ ପରୀକ୍ଷା କେନ୍ଦ୍ରର ବିଭିନ୍ନ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ନିଲମ୍ବନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ନିଲମ୍ବିତ ହୋଇଥିବା ଯୁଗିରତା ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଲୋକପ୍ରିୟ ଶିକ୍ଷକ ତଥା ଗତ ବର୍ଷ ମୁଖ୍ୟମନ୍ତ୍ରୀ ପୁରସ୍କାରରେ ସମ୍ମାନିତ ସୋମନାଥ ଧଳଙ୍କ ସପକ୍ଷରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ବାହାରି ସ୍କୁଲ ସମ୍ମୁଖ ଦେଇ ଯାଇଥିବା ୫୯ନ ଜାତୀୟ ରାଜପଥକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅବରୋଧ କରି ପ୍ରତିବାଦ କରିଥିଲେ । ତାଙ୍କୁ ସ୍କୁଲରୁ ଛାଡ଼ିବୁ ନାହିଁ ବୋଲି ଛାତ୍ରଛାତ୍ରୀ ନିଜ ଜିଦରେ ଅଟଳ ରହିଥିଲେ । ଖବର ପାଇ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ, ମାଜିଷ୍ଟ୍ରେଟ ଦାୟିତ୍ୱରେ ତହସିଲଦାର ଜଗଦୀଶ କର୍ତ୍ତାମି, କଣ୍ଟାବାଞ୍ଜି ଏସଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡି, ଥାନା ଆଇଆଇସି ସିପୋରା ସରାୟ ଲୁଗୁନ, ହଳଦୀ ସମିତି ସଭ୍ୟ ଟୁନାମଣି ମହାନନ୍ଦ ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ଜାତୀୟ ରାଜପଥ ଅବରୋଧ ଫଳରେ ରାସ୍ତାର ଉଭୟ ପାଶ୍ୱରେ ଶହ ଶହ ଯାନବାହନ ଅଟକି ରହିଥିଲା । ନିଲମ୍ବିତ ସମୟରେ ଶିକ୍ଷକ ସୋମନାଥ ଧଳ ଯମୁନା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କପିଳେଶ୍ୱର ବେହେରା ବିଟାବନ୍ଧ ସ୍କୁଲ ଓ ମନୋଜ କୁମ୍ଭାରଙ୍କୁ ମାଳପଡା ସ୍କୁଲରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିଲମ୍ବିତର କାରଣ ସମ୍ପର୍କରେ ଅନୁଧ୍ୟାନ କରାଯିବ ତଥା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଲିଖିତ ଅଭିଯୋଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା । ଏହି ରାସ୍ତା ଅବରୋଧରେ ଯୁଗୀରତା ସ୍କୁଲ କମିଟି ସଭାପତିଙ୍କ ସହିତ ସମସ୍ତ ସଦସ୍ୟ, ଗ୍ରାମବାସୀ ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ପ୍ରତିବାଦ କରିଥିଲେ । ପରୀକ୍ଷା ପରିଚାଳନାରେ ଅନିୟମିତତା ଅଭିଯୋଗରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନକୁ ନେଇ ଜିଲ୍ଲାସାରା ଶିକ୍ଷକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Leave A Reply

Your email address will not be published.