ବଲାଙ୍ଗିର, (କେପିଏନ୍ଏସ୍) : ଡିସେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ଆଗଲପୁର ବ୍ଲକ ମୁଖ୍ୟାଳୟରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଜନ-ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଗୌରବ ଶିବାଜୀ ଇସଲୱାର, ଆରକ୍ଷୀ ଅଧିକ୍ଷକ ରିଷିକେଶ ଖିଲାରୀଙ୍କୁ ସମୁଦାୟ ୫୦ ଗୋଟି ଅଭିଯୋଗ ଦାଖଲ ହୋଇଥିଲା । ତନ୍ମଧ୍ୟରୁ ୩୭ଟି ବ୍ୟକ୍ତିଗତ ଅଭିଯୋଗ ଓ ଅବଶିଷ୍ଠ ୧୩ଟି ସାମୁହିକ ଅଭିଯୋଗ ଥିଲା । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଜନସାଧାରଣଙ୍କ ଏହି ସମସ୍ତ ଅଭିଯୋଗ ଓ ସମସ୍ୟା ଗୁଡିକର ଶୁଣାଣି କରି ୧୦ଟି ମାମଲାର ଶୁଣାଣିର ତୁରନ୍ତ ସମାଧାନ କରିଥିଲେ ଏବଂ ବାକି ଥିବା ମାମଲା ଗୁଡିକୁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ, ଡ଼ିଏଫ୍ଓ ସୁଦର୍ଶନ ବେହେରା, ଅତିରିକ୍ତ ପିଡି, ଜିଲ୍ଲା ପରିଷଦ ତରଣୀ ସୁନା, ବଲାଙ୍ଗିର ଉପଜିଲ୍ଲାପାଳ ଆଲୋକ ପଟେଲ, ଆସିଷ୍ଟାଣ୍ଟ କଲେକ୍ଟର(ସାଧାରଣ ଓ ବିବିଧ) ରାମ ନାରାୟଣ ମିଶ୍ର, ସ୍ନିଗ୍ଧାରାଣୀ ତ୍ରିପାଠୀ ତଥା ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।