ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜିଙ୍କୁ ସମୁଦାୟ ୨୮ଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା । ତନ୍ମଧ୍ୟରୁ ୨୪ଟି ବ୍ୟକ୍ତିଗତ ଅଭିଯୋଗ ଓ ଅବଶିଷ୍ଠ ୪ଟି ସାମୁହିକ ଅଭିଯୋଗ ଥିଲା । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଜନସାଧାରଣଙ୍କ ସମସ୍ତ ଅଭିଯୋଗ ଓ ସମସ୍ୟା ଗୁଡିକର ଶୁଣାଣି କରିଥିଲେ । ସେଥିରୁ ୫ଟି ମାମଲାର ଶୁଣାଣିର ତୁରନ୍ତ ସମାଧାନ କରିଥିଲେ ଏବଂ ବାକି ଥିବା ମାମଲା ଗୁଡିକୁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ଯଥାଶୀଘ୍ର ସମାଧାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଦୁଇ ଜଣ ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ଦିବ୍ୟାଙ୍ଗ ଦୃଷ୍ଟିହୀନ ଛାତ୍ରଙ୍କୁ ଜିଲ୍ଲାପାଳ ଲାପଟପ ପ୍ରଦାନ କରିଥିଲେ । ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ (ଏସ୍ଏସ୍ଇପିଡି) ବିଭାଗ ଦ୍ଵାରା ଏହା ଯୋଗାଇ ଦିଆଯାଇଥିଲା । ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ଦ୍ଵାଦଶ ଶ୍ରେଣୀ, ସ୍ନାତକ ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମ ପରେ ବୃତ୍ତିଗତ ପାଠ୍ୟକ୍ରମରେ ସଫଳତା ପାଇଁ ଆବଶ୍ୟକ ଉପକରଣ ସହିତ ଲାପଟପ ପ୍ରଦାନ କରାଯାଇଥାଏ । ସେହିପରି ଜାତୀୟସ୍ତରରେ ଖେଳାଳି ଭାବେ କୃତିତ୍ଵ ଅର୍ଜନ କରିଥିବା ସଇଁତଳା ମାନସିକ ଅନଗ୍ରସର ରେଡକ୍ରସ ସ୍କୁଲର ଛାତ୍ର ରାମ ବରିହାଙ୍କୁ ଏକାବନ ହଜାର ଟଙ୍କା ଆର୍ଥିକ ପ୍ରତ୍ସାହନ ରାଶି ପ୍ରଦାନ କରିଥିଲେ । ଏହି ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ-ତଥା-ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ, ତରଣୀ ସୁନା, ବଲାଙ୍ଗିର ଉପ-ଜିଲ୍ଲାପାଳ, ଆଲୋକ କୁମାର ପଟେଲ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ମଦନଜିତ ହୋତା, ଆସିଷ୍ଟାଣ୍ଟ କଲେକ୍ଟର (ସାଧାରଣ ଓ ବିବିଧ) ରାମ ନାରାୟଣ ମିଶ୍ର ତଥା ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏହି ଯୁଗ୍ମ ଅଭିଯୋଗ ଶୁଣାଣିରେ ଉପସ୍ଥିତ ଥିଲେ । ସ୍ନିଗ୍ଧା ରାଣୀ ତ୍ରିପାଠୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
Next Post