ପ୍ରକୃତ ହିତାଧିକାରୀଙ୍କୁ ସରକାରୀ ଯୋଜନା ମିଳୁନଥିବା ଅଭିଯୋଗ

  • ବୟସର ଅପରାହ୍ନରେ ବି ମୁଣ୍ଡ ଗୁଞ୍ଜିବାକୁ ଆବାସ ଯୋଜନା ସାତସପନ
  • ୫ କେଜି ଚାଉଳ ଓ ୫ ଶହ ଟଙ୍କା ଭତ୍ତାରେ ଚଳୁଛି ମାଁ ଓ ଝିଅର ଜୀବନ
  • ଅନ୍ତ୍ୟୋର୍ଦୟ ଯୋଜନା କାହା ପାଇଁ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ପଞ୍ଚାୟତ ଅନ୍ତର୍ଗତ ପୁଟୁପଡା ଗ୍ରାମର ପଦ୍ମିନୀ ବଛା ବୟସ ୭୦ । ତାଙ୍କ ୧ ପୁଅ ଓ ୪ ଝିଅ । ଗୋଟିଏ ମାତ୍ର ପୁଅ ପ୍ରାୟ ୧୨ ବର୍ଷ ତଳେ ମୃତ୍ୟୁ ହୋଇଥିବା ବେଳେ ୩ ଝିଅ ବିବାହ ହୋଇ ନିଜ ନିଜ ପରିବାର ସହ ରହୁଥିବା ବେଳେ ବଡ଼ଝିଅ ମାଧୁରୀ ସ୍ୱାମୀ ପରିତ୍ୟକ୍ତା ହୋଇ ନିଜ ମାଁ ସହ ରହୁଛନ୍ତି । ଦୁଇ ମାଁ’ ଝିଅ ନିଜ ଗାଁରେ ରହୁଥିବା ବେଳେ ତାଙ୍କର ଘର ପୁରୁଣା ହୋଇ ଯାଇଥିବାରୁ ଘର ଭିତରୁ ଚନ୍ଦ୍ର, ସୂର୍ଯ୍ୟ, ତାରା ଦେଖି ହେଉଥିଲା । ବର୍ଷା ଦିନର କଥା ନ କହିବା ଭଲ । ଠିକ ଏମିତି ସମୟରେ କେହି ଜଣେ ପଞ୍ଚାୟତ କର୍ମଚାରୀ ପଦ୍ମିନୀ ଓ ତାଙ୍କ ଝିଅ ମାଧୁରୀଙ୍କୁ ଆବାସ ଯୋଜନାରେ ତୁମ ଘର ଆସିଛି ବୋଲି କହି ଫଟୋ ଉଠାଇଥିଲେ । କିନ୍ତୁ ଏ ଯାବତ ପଦ୍ମିନୀଙ୍କୁ ଘର ମିଳି ନ ପାରିବା ଯୋଗୁଁ ମାଁ’ ଝିଅ ବହୁ କଷ୍ଟରେ ରହୁଥିବା ଦେଖି ବିବାହ ହୋଇ ସାରିଥିବା ପଦ୍ମିନୀଙ୍କ ତିନି ଝିଅ କିଛି କିଛି ଟଙ୍କା ଯୋଗାଡ କରି ଗୋଟିଏ ପଟର କାନ୍ଥ ନିଜ ନିଜ ଶ୍ରମ ଦାନରେ ତିଆରି କରି ଦେବାରୁ ଏବେ ସେମାନଙ୍କୁ କିଛିଟା ଆସ୍ୱସ୍ତି ମିଳିଥିଲେ ହେଁ ବର୍ଷା ଦିନରେ କେମିତି କରିବେ ବୋଲି କହିଛନ୍ତି । ପ୍ରଶ୍ନ ଉଠୁଛି ଯେଉଁ ବ୍ଲକରେ ଧନୀ ମାନି ସରକାରୀ ଚାକିରିରୁ ଅବସର ନେଇଥିବା କର୍ମଚାରୀ କିଛି ପରିବାରର ବିଭିନ୍ନ ଲୋକଙ୍କ ନାଁରେ ଏକାଧିକ ଆବାସ ଯୋଜନା ଦିଆଯାଇଥିବା ବେଳେ କିପରି ଭାବରେ ଯାହାକୁ ସରକାରୀ ଯୋଜନା ନିହାତି ଦରକାର ସେମାନେ କେମିତି ବାଦ ପଡୁଛନ୍ତି ତାହା ତଦନ୍ତ ସାପେକ୍ଷ । ପଦ୍ମିନୀଙ୍କ କହିବାନୁଯାୟୀ ସେହି ସମୟରେ ଆବାସ ଯୋଜନାର ଲିଷ୍ଟରେ ମଧ୍ୟ ତାଙ୍କ ନାଁ ଥିଲା ତେବେ କାହିଁକି କେଜାଣି ତାଙ୍କୁ ବାଦ ଦିଆ ଯାଇଥିଲା ସେ ଜାଣି ନଥିବା କହିଛନ୍ତି । ଏହାତ ଗଲା ଆବାସ ଯୋଜନାର କଥା ଖାଦ୍ୟ ସୁରକ୍ଷା ଆଇନକୁ ବି ଏଠି ଅଣଦେଖା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟରେ ଜଣେ ବି ଗରିବ ଲୋକ ଯେପରି ଖାଦ୍ୟସୁରକ୍ଷାରୁ ବଞ୍ଚିତ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ତଥାପି ଏଠି ତାହା କାର୍ଯ୍ୟକାରୀ ହେଲା ଭଳି ମନେ ହେଉନାହିଁ । କାହିଁକି ନା ପଦ୍ମିନୀଙ୍କୁ ମାସକୁ ମାତ୍ର ୫ କେଜି ଚାଉଳ ମିଳୁଛି ଯାହାକି ମାସକୁ ୩୦ଦିନର ଦୁଇ ଓଲି ଦୁଇ ମୁଠା ଭାତ ଖାଇ ପାରିବା ବି ସମ୍ଭବ ମନେ ହେଉନି । ୫ ଶହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ମିଳୁଥିବାରୁ ସେଥିରୁ କିଛି କିଣାକିଣି କରିଥାନ୍ତି । ଏପଟେ ତାଙ୍କ ଝିଅ ମାଧୁରୀଙ୍କୁ ନା’ ତ ଭତ୍ତା ମିଳୁଛି ନା’ ତ ଚାଉଳ । ଝିଅ ମାଧୁରୀ ଦିନ ମଜୁରିଆ ଭାବେ କାମ କରି ଦୁଇ ମାଁ ଝିଅ ବହୁ କଷ୍ଟେ ମଷ୍ଟେ ଦିନ କାଟୁଥିବା ପଦ୍ମିନୀ କହିଛନ୍ତି । ଗୁରୁତ୍ଵପୂର୍ଣ୍ଣ କଥାହେଉଛି ସରକାର ଯେଭଳି ଭାବେ ଯୋଜନା ଉପରେ ଯୋଜନା କରି ଚାଲିଛନ୍ତି ସେଭଳି ଭାବରେ ପ୍ରଶାସନିକ ଦଳ ଓ ପଞ୍ଚାୟତ ସ୍ତରରେ ନିର୍ବାଚିତ ପ୍ରତିନିଧିମାନଙ୍କ ଭୂମିକା ମଧ୍ୟ ରହିବା ଜରୁରୀ ତଥାପି ଏପରି କେତେ ଯେ ପଦ୍ମିନୀ ବୟସର ଅପରାହ୍ନରେ ପହଞ୍ଚି ଯାଇଥିଲେ ମଧ୍ୟ ଠିକ୍ ଭାବରେ ଯୋଜନାମାନଙ୍କରେ ସାମିଲ୍ ହୋଇ ପାରୁ ନ ଥିବାରୁ ବଞ୍ଚିବା ପାଇଁ କେତେ ଯେ ସଂଘର୍ଷ ଜାରି ରଖିଛନ୍ତି ତାହା ନିଜେ ନ ଦେଖିଲେ ବିଶ୍ଵାସ କରିବା ମୁସ୍କିଲ । ତେଣୁ ପଦ୍ମିନୀଙ୍କୁ ତୁରନ୍ତ ଆବାସ ଯୋଜନାରେ ସାମିଲ କରାଯିବା ସହ ଅନ୍ତ୍ୟୋର୍ଦୟ ଯୋଜନାରେ ସାମିଲ କରାଯିବା ଓ ତାଙ୍କ ଝିଅ ମାଧୁରୀଙ୍କୁ ମଧ୍ୟ ଭତ୍ତା ପ୍ରଦାନ କରିବା ପାଇଁ ଲୋକେ ଦାବି କରିଛନ୍ତି । ଏହାକୁ ନେଇ ସିନ୍ଧେକେଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ପୀତବାସ ଜାନୀଙ୍କୁ ପଚାରିବାରୁ ସେ ୨୦୧୯/୨୦ରେ ସିନ୍ଧେକେଲା ପଞ୍ଚାୟତର ପ୍ରାୟ ୧୦୦ ଜଣଙ୍କ ଉପରେ ଆବାସ ଯୋଜନାରେ ନାଁ ଥିଲେ ହେଁ ବିଭିନ୍ନ କାରଣରୁ କଟିଥିଲା । ସେ ମଧ୍ୟରେ ଏମାନଙ୍କ ନାଁ ଥାଇପାରେ ତଥାପି ମୁଁ ଯାଇ ତଦନ୍ତ କରି ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରି ତାଙ୍କୁ ସରକାରୀ ଯୋଜନା ଅନୁସାରେ ସହାୟତା ଯୋଗାଇ ଦେବା ପାଇଁ ଜଣାଇବି ବୋଲି କହିଥିଲେ । ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀଙ୍କୁ ଏ ବିଷୟରେ ପଚାରିବାରେ ଆପଣଙ୍କଠାରୁ ଏବେ ମୁଁ ଜାଣିଛି ଆପଣ ତାଙ୍କ ନାଁ ଗାଁ ଦିଅନ୍ତୁ କଣ କିଛି କରିହେବ ଦେଖୁଛି ବୋଲି କହିଥିଲେ ।

Leave A Reply

Your email address will not be published.