- ମୁଖ୍ୟ ରାସ୍ତାରେ ଶବ ରଖି ବିରୋଧ
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଦାଦନ ଶ୍ରମିକଙ୍କ ମୃତଦେହ ଉଦ୍ଧାର । ଶ୍ରମିକଙ୍କ ଶବ ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ । ପ୍ରକାଶ ଥାଉ କି ଲଖନା ଥାନା ଅଞ୍ଚଳର ବାଞ୍ଛାନିଧି କୈବର୍ତ୍ତ (ମାଖନୁ) (୪୩) ଗତ ସୋମବାର ଦିନ ଦାଦନ ଖଟିଯିବା ପାଇଁ ସ୍ଥାନୀୟ ସେକେଣ୍ଡ ସର୍ଦାର ରାଜୁ ସୁନାନୀଙ୍କଠାରୁ ଅଗ୍ରୀମ ୩୦ ହଜାର ଟଙ୍କା ନେଇ ଆନ୍ଧ୍ରପ୍ରଦେଶର ଏକ ଇଟାଭାଟିରେ କାମ କରିବା ପାଇଁ ଚୁକ୍ତି ହୋଇଥିଲା । ମୃତ ଶ୍ରମିକ ଜଣକ ଅଗ୍ରୀମ ଟଙ୍କା ନେଇ ମଙ୍ଗଳବାର ଦିନ ଲଖନାରୁ ଝରଣୀ ଗ୍ରାମକୁ ଯାଇଥିଲେ । ଶ୍ରମିକ ଜଣକ ଝରଣୀ ଗାଁର ମୁଖ୍ୟ ସର୍ଦ୍ଦାର ଅରମାନ ଖାନଙ୍କ ଘରେ ରହିଥିଲେ । ଦୁଇଦିନ ପରେ ଶନିବାର ଦିନ ଶ୍ରମିକ ନିଖୋଜ ହୋଇଯାଇଥିଲେ । ପରେ ଝରଣୀ ଗ୍ରାମଠାରୁ ୨ କି.ମି. ଦୂରତାରେ ଅବସ୍ଥିତ ମହୁଲବାହାଲି ଗାଁ ନିକଟସ୍ଥ ରେଲୱେ ଟ୍ରାକରେ ମାଖନୁଙ୍କ ଖଣ୍ଡ ବିଖଣ୍ଡିତ ଶରୀର ପଡି ରହିଥିଲା । ଏନେଇ କଣ୍ଟାବାଞ୍ଜି ଜିଆରପି ପୁଲିସ ଖବର ପାଇ ମୃତଦେହକୁ ଉଦ୍ଧାର କରି ମୃତବ୍ୟକ୍ତିଙ୍କ ପରିଚୟ ଖୋଜିଥିଲେ । ପରିଚୟ ମିଳିବା ବିଳମ୍ବ ହେବା କାରଣରୁ ଜିଆର୍ପି ପୁଲିସ ଟିଟିଲାଗଡ଼ ଡାକ୍ତରଖାନାରେ ଶବ ରଖି ବ୍ୟବଚ୍ଛେଦ କରିଥିଲେ । ଏହାପରେ ଏହି ବ୍ୟକ୍ତିଙ୍କ ପରିଚୟ ମିଳିଥିଲା । ମାଖନୁଙ୍କ ଶରୀର ଖଣ୍ଡ ବିଖଣ୍ଡ ହୋଇପଡ଼ିଥିବା ବେଳେ ତାଙ୍କ ସ୍ତ୍ରୀ ବିନତି କୈବର୍ତ୍ତ ମୋ ସ୍ୱମୀଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଲଖନା ଥାନା ଅଧିକାରୀ ରଞ୍ଜନ କୁମାର ନାୟକ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନକାରୀମାନେ ଧାରଣାରୁ ଉଠିଥିଲେ । ଥାନା ଅଧିକାରୀ ଶ୍ରୀ ନାୟକଙ୍କୁ ପଚାରିବାରୁ ଏହାର ତଦନ୍ତ ହେବ । ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । କଂଗ୍ରେସ ନେତା ରବି ମଙ୍ଗରାଜ, ଗୁରୁଚରଣବାଗ, ରଞ୍ଜନ କୈବର୍ତ୍ତ, ଅର୍ଜୁନ ମାଝୀ, ଜିଲ୍ଲା ପରିଷଦ ଭାନୁପ୍ରତାପ ମାଝୀ, ଦେବେନ୍ଦ୍ର ବାଗ, ବିଦ୍ୟାଧର ଶବର, ନୃପରାଜ ବରିହା, କାର୍ତ୍ତିକ ବରିହା, ଟିପିଚନ୍ଦ କୈବର୍ତ୍ତ, ଭାରତ ରାଉତ ପ୍ରମୁଖ ଧାରଣାରେ ସାମିଲ ଥିଲେ ।