କନ୍ଧମାଳରେ ଠକେଇ ରାଜଧାନୀରୁ ଗିରଫ : ଠକେଇ ଅଭିଯୋଗରେ କମ୍ପାନୀ କର୍ମଚାରୀ ଗିରଫ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଠକେଇ ଅଭିଯୋଗରେ କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ୍ ଥାନା ପୋଲିସ୍ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ସୁଧୀର କୁମାର ତ୍ରିପାଠୀ (୪୫) ଘର ଗଞ୍ଜାମ ଜିଲ୍ଲାର ଶେରଗଡ଼ ଗ୍ରାମରେ । ତେବେ ସୁଧୀରଙ୍କୁ ଭୁବନେଶ୍ୱର ପୋଲିସ ଏୟାରପୋର୍ଟ ଥାନା ଅର୍ନ୍ତଗତ ଫରେଷ୍ଟ ପାର୍କ ନିକଟ ଏକ ଆପାର୍ଟମେଣ୍ଟରୁ ଗିରଫ କରିଛି । ଶ୍ରୀ ତ୍ରିପାଠୀ ଗୋଟେ ଇଲେକ୍ଟ୍ରୋନିକ୍ସ କମ୍ପାନୀରେ ଅଫିସର ଭାବେ କାର୍ଯ୍ୟ କରୁଥିଲେ । ଫୁଲବାଣୀ ବଜାରରେ ଇଲେକ୍ଟ୍ରୋନିକ୍ସ ଶୋ ରୁମ୍ କରିଥିବା ବାବୁଲା ସେନାପତିଙ୍କୁ ଶସ୍ତା ଓ ସୁବିଧାରେ ଇଲେକ୍ଟ୍ରି ସାମାନ ଯୋଗାଇ ଦେବା ଲାଗି ୨୦୨୩ ମସିହାରେ ୬ ଲକ୍ଷ ୭ ହଜାର ୨୦୮ ଟଙ୍କା ନେଇଥିଲେ । ତେବେ ଦୁଇବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ବାବୁଲାଙ୍କୁ ଜିନିଷ ଦେଇନଥିଲେ । ଏପରିକି ମୋବାଇଲ୍ ଫୋନ ମଧ୍ୟ ରିସିଭ କରୁନଥିଲେ । ଫଳରେ ବାଧ୍ୟ ହୋଇ ବାବୁଲା ଏନେଇ ଗତ ସେପ୍ଟେମ୍ବର ମାସରେ ସ୍ଥାନୀୟ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଟାଉନ୍ ଥାନା ପୋଲିସ କେଶ ନଂ. ୩୩୫/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା । ପୋଲିସ ଖୋଲତାଡ଼ କରି ସୁଧୀର ତ୍ରିପାଠୀ ଭୁବନେଶ୍ୱରରେ ଥିବା ଜାଣି ସେଠାରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ପି. ସ୍ୱରୂପ କିଶନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.