- ୪ ଜଣଙ୍କ ନାମରେ ଥାନାରେ ଚାଷୀଙ୍କ ଏତଲା
- ଲକ୍ଷାଧିକ ଟଙ୍କା ସରକାରୀ କାମ ହେଉଥିବାରୁ ବିଡିଓଙ୍କୁ ମଧ୍ୟ ଲିଖିତ ଅଭିଯୋଗ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗରଗଡ଼ବାହାଲ ପଞ୍ଚାୟତ କଟାଡୁଙ୍ଗୁରୀ ଗ୍ରାମରେ ଚାଲିଥିବା ୪ଲକ୍ଷ ଟଙ୍କାର ଏକ ରାସ୍ତା ଉନ୍ନତିକରଣ କାମରେ ଜେସିବିରେ ଗଛ କାଟିଦେଇ ଫିଙ୍ଗିଦେବାରୁ କପା ଫସଲ ନଷ୍ଟ ହୋଇଥିବା ଜଣେ ଚାଷୀ ଥାନାରେ ଏତଲା ଦେବା ସହ ବ୍ଲକ ବିଡ଼ିଓଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି । କଟାଡୁଙ୍ଗୁରୀ ଗ୍ରାମର ରାଧେଶ୍ୟାମ ବାଗ(୪୩) ମୁରିବାହାଲ ଥାନାରେ ଦେଇଥିବା ଏତଲା ମୁତାବକ ତାଙ୍କ ଅଜା ରାମଦାସ ବାଗଙ୍କ ନାମରେ ଥିବା ରଏତି ଜମିରେ ହୋଇଥିବା କପା ଚାଷକୁ ଲାଗି ଗ୍ରାମକୁ ଯିବା ପାଇଁ ମାଟି ରାସ୍ତା ଅଛି । ସେହି ରାସ୍ତା ପାର୍ଶ୍ବରେ ୧୨ରୁ ଉର୍ଦ୍ଧ୍ବ ଫଲସା ଗଛ ଲାଗିଥିଲା।ଗ୍ରାମକୁ ଆସିଥିବା ଏହି ମାଟି ରାସ୍ତାର ଉନ୍ନତିକରଣ ପାଇଁ ଗ୍ରାମର ଠିକାଦାର ଥିବା ନନ୍ଦ ବାଗ, ଚନ୍ଦ୍ରହାସ୍ୟ ବାଗ, ରମେଶ ବାଗ ଓ ହେମନ୍ତ ବାଗ ଗୁରୁବାର ଦିନ ଅପରାହ୍ନରେ ଜେସିବି ସାହାଯ୍ୟରେ ଏହି ଫଲସା ଗଛ ସବୁକୁ କାଟି ପକାଇଥିଲେ । ଏହି କଟାଯାଇଥିବା ଫଳସା ଗଛ ସବୁକୁ ରାସ୍ତା ପାର୍ଶ୍ବରେ ଚାଷ କରାଯାଇଥିବା କପା ଫସଲ ଉପରେ ପକାଇ ଦେଇଥିଲେ । ଫଳରେ ବହୁ ସଂଖ୍ୟକ କପା ଗଛ ନଷ୍ଟ ହୋଇଯାଇଥିଲା । ଚାଷୀ ଜଣଙ୍କ ଧାର କରଜ କରି କପା ଚାଷ କରିଥିବା ବେଳେ ଜେସିବିରେ ଗଛ ଉପାଡି କପାରେ ପଡ଼ିବା ଯୋଗୁଁ ଫସଲ ନଷ୍ଟ ଅଭିଯୋଗ କରିଛନ୍ତି । କପା ଫସଲ ନଷ୍ଟ ସମ୍ପର୍କରେ ରାଧେଶ୍ୟାମ ଶୁକ୍ରବାର ଠିକାକାମ କରୁଥିବା ସଂପୃକ୍ତ ବ୍ୟକ୍ତିମାନଙ୍କୁ ପଚାରିବାରୁ ସେମାନେ ଓଲଟି ତାଙ୍କୁ ଅତି ଅଶ୍ଳୀଳ ଭାଷାରେ ଗାଳିଗୁଲଜ, ଧମକ ଚମକ ଓ ହତ୍ୟା ଧମକ ଦେଇଥିବା ନେଇ ସେ ଥାନାରେ ଲିଖିତ ଏତଲା ଦେଇଥିଲେ । ।ଏତଲା ଆଧାରରେ ପୁଲିସ ସେମାନଙ୍କୁ ରବିବାର ଡାକି ଅଧିକ ପଚରା ଉଚରା କରିବ ବୋଲି ପୁଲିସ୍ ସୂତ୍ରରୁ ଜଣାପଡିଛି । ଚାଷୀ ରାଧେଶ୍ୟାମ ୪ଲକ୍ଷ ଟଙ୍କାର ସରକାରୀ ରାସ୍ତା କାମ ଚାଲିଥିବାବେଳେ ତାଙ୍କ କପା ଫସଲ ନଷ୍ଟ ଅଭିଯୋଗ ତଥା ଉନ୍ନତିକରଣ ନାଁରେ କେବଳ ଅଳ୍ପ ମୋରମ୍ ପକାଇବା ସମ୍ପର୍କରେ ବିଡ଼ିଓଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି । ବିଡ଼ିଓଙ୍କ ଅନୁପସ୍ଥିତିରେ ବ୍ଲକ ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି ଅଭିଯୋଗ ପତ୍ର ଗ୍ରହଣ କରି ତଦନ୍ତ କରାଯିବ ବୋଲି ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଗରଗଡବାହାଲ ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତାରୁ କଟାଡୁଙ୍ଗୁରୀ ଗ୍ରାମ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ଅନୁଦାନର ଦ୍ଵିତୀୟ ପର୍ଯ୍ୟାୟରେ ୪ଲକ୍ଷ ଟଙ୍କାର ଅନୁଦାନରେ ଏହି ରାସ୍ତା କାମ ଚାଲିଥିବା ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଦାଶରଥି ଶବର ଓ ପିଇଓ ଶରତ କୁମାର ଭୋଇଙ୍କ ସୂତ୍ରରୁ ଜଣାପଡ଼ିଛି । ଚାଷୀ ରାଧେଶ୍ୟାମ ବାଗ ନ୍ୟାୟ ନ ପାଇଲେ ଜିଲ୍ଲାପାଳ ଓ ଏସ୍ପିଙ୍କ ଦ୍ୱାରସ୍ଥ ହେବା ପାଇଁ ଚେତାବନୀ ଦେଇଛନ୍ତି ।
