ପାଟଣାଗଡ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଅଞ୍ଚଳର ଝାରବନ୍ଦ ଗାଁରେ ଜାତିଆଣ ଆକ୍ଷେପ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଛି ଘମାଘୋଟ ସଂଘର୍ଷ । ସାମାନ୍ୟ କଥାକୁ ନେଇ ସବର୍ଣ୍ଣ ଓ ଅସବର୍ଣ୍ଣ ଗୋଷ୍ଠୀ ମଧ୍ୟରେ ମାର୍ପିଟ୍ ହୋଇ ୪ ଜଣ ଅସବର୍ଣ୍ଣ ଗୋଷ୍ଠୀ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ପାଟଣାଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂତ୍ର ଅନୁସାରେ, ଗାଁରେ ସାଧାରଣ ଗୋଟିଏ କଥାକୁ ନେଇ ଦୁଇପକ୍ଷ ମଧ୍ୟରେ କଥା କଟାକଟି ହେବା ପରେ ଟଣାଟଣି ଅବସ୍ଥା ସୃଷ୍ଟି ହୋଇଥିଲା । ପରେ ଗାଁରେ ଡକା ହୋଇଥିବା ଏକ ମିଟିଂରେ ଅସବର୍ଣ୍ଣ ଗୋଷ୍ଠୀ ଉପରେ ଜାତିଆଣ ଆକ୍ଷେପ କରି ଶାରୀରିକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଅସବର୍ଣ୍ଣ ଗୋଷ୍ଠୀ ପକ୍ଷରୁ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ ଦାଖଲ ହୋଇଛି । ସେମାନେ ଦୋଷୀମାନଙ୍କୁ ଶୀଘ୍ର ଗିରଫ କରିବା ଦାବି କରିଛନ୍ତି ଏବଂ ଯଦି କାର୍ୟ୍ୟାନୁଷ୍ଠାନ ନ ହୁଏ ତେବେ ଆନ୍ଦୋଳନର ଚେତାବନୀ ମଧ୍ୟ ଦେଇଛନ୍ତି । ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗି ରହିଥିବା ବେଳେ ପୋଲିସ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି ।
Prev Post