ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ୨୦ ହଜାର ଟଙ୍କାରେ ୯ ଦିନର ଏକ ନବଜାତ ଶିଶୁକନ୍ୟାକୁ ଆନ୍ଧ୍ରପ୍ରଦେଶର ଏକ ଦମ୍ପତିକୁ ବିକି ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି । ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ସହରରର ନୂଆପଡ଼ା ବସ୍ତିରେ ଏହି ଘଟଣା ଜିଲ୍ଲାବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଭରଣପୋଷଣ କରି ନପାରିବା ସହ ବସ୍ତିରେ ରହୁଥିବା ଏହି ଗରିବ ଦମ୍ପତି ରାହୁଲ ଧାନବାଡ଼ି ନିଜର ଦ୍ୱିତୀୟ ଶିଶୁକନ୍ୟାକୁ ଆନ୍ଧ୍ରପ୍ରଦେଶର ଜଣେ ସନ୍ତାନହୀନ ଦମ୍ପତିଙ୍କୁ ବିକି ଦେଇଥିବା ଅଭିଯୋଗ ହୋଇଛି । ଶିଶୁକନ୍ୟାର ମା’ ଏହି ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି । ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଡିସିପିୟୁ ୟୁନିଟ୍ର କର୍ମକର୍ତ୍ତାମାନେ ସଂପୃକ୍ତ ପରିବାରକୁ ପଚରାଉଚରା କରିଛନ୍ତି । ଛୁଆଟିକୁ ନେଇଥିବା ଆନ୍ଧ୍ରପ୍ରଦେଶର ଉକ୍ତ ଦମ୍ପତିଙ୍କୁ ରାୟଗଡ଼ା ଶିଶୁ କଲ୍ୟାଣ ସମିତି ନିକଟରେ ତୁରନ୍ତ ହାଜର ହେବାକୁ କୁହାଯାଇଛି । ଅପରପକ୍ଷେ ଏହି ଘଟଣାର ତଦନ୍ତ କରିଛନ୍ତି ରାୟଗଡ ବିଧାୟକ ଆପଳା ସ୍ଵାମୀ କାଡ୍ରାକା ଓ ବିଷମକଟକ ବିଧାୟକ ନୀଳମାଧବ ହିକକା । ଆଜି ଉଭୟ ବିଧାୟକ ଘଟଣାସ୍ଥଳରେ ପହଁଚି ପରିବାର ସହ ଆଲୋଚନା କରିବା ସହ ଘଟଣାକୁ ନିନ୍ଦା କରିଛନ୍ତି । ତୁରନ୍ତ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଶିଶୁକୁ ଫେରାଇ ଆଣିବା ସହ ସମ୍ପୃକ୍ତ ପରିବାରକୁ ସମସ୍ତ ସୁବିଧା ଯୋଗାଇଦେବାକୁ ରାୟଗଡା ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି ।