ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଅଭିଯୋଗ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଶୁକ୍ରବାର ଅସନ୍ତୁଷ୍ଟ ସମିତି ସଭ୍ୟ ମାନେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇ ଅନାସ୍ଥା ପ୍ରସ୍ତାବ ପାଇଁ ଅଭିଯୋଗ କରିଛନ୍ତି । ଥୁଆମୂଳ ରାମପୁର ବ୍ଲକ ଉପାଧ୍ୟାକ୍ଷା ଜୟନ୍ତୀ ମାଝିଙ୍କ ନେତୃତ୍ୱରେ ଶୁକ୍ରବାର ବ୍ଲକର ୧୬ ଜଣ ନିର୍ବାଚିତ ସମିତି ସଭ୍ୟ ଭବାନୀପାଟଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କୁ ସାକ୍ଷାତ କରି ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଅଭିଯୋଗ କରିଛନ୍ତି । ସମିତି ସଭ୍ୟ ମାନଙ୍କୁ ଅଧ୍ୟକ୍ଷ ଶ୍ରୀ ମାଝୀ ଅଣଦେଖା କରିବା ସହ ଏକ ବର୍ଷରୁ ଅଧିକ ସମୟ ହେଲା ସମିତି ବୈଠକ କରିନଥିବା ସେମାନେ ଅଭିଯୋଗ କରିଛନ୍ତି । ଯାହାଫଳରେ ସମିତି ସଭ୍ୟମାନେ ସେମାନଙ୍କ ଅଞ୍ଚଳର ବିକାଶ କାର୍ଯ୍ୟ କରିପାରୁ ନଥିବା ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ୨୪ଟି ପଞ୍ଚାୟତ ବିଶିଷ୍ଟ ଥୁଆମୂଳ ରାମପୁର ବ୍ଲକର ୧୬ ଜଣ ସମିତି ସଭ୍ୟ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅନାସ୍ଥା ପ୍ରସ୍ତାବ ପାଇଁ ଅଭିଯୋଗ କରିଥିବା ଜଣାଯାଇଛି । ଏ ସମ୍ପର୍କରେ ବ୍ଲକ ଅଧ୍ୟକ୍ଷଙ୍କ ସହ ଯୋଗାଯୋଗ ହୋଇପାରିନାହିଁ । ଅତିରିକ୍ତ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନାହିଁ । ଏହା ପୂର୍ବରୁ ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ପୌରାଧ୍ୟକ୍ଷା ଏବଂ ଜୁନାଗଡ଼ ଏନ୍‌ଏସି ଅଧ୍ୟକ୍ଷ ଅନାସ୍ଥା ଭୋଟରେ ପଦ ହରାଇ ସାରିଛନ୍ତି । ଜିଲ୍ଲା ଅନ୍ତର୍ଗତ କେତେକ ବ୍ଲକରେ ସମିତି ସଭ୍ୟ ମାନଙ୍କୁ ସନ୍ତୁଷ୍ଟ କରିବାପାଇଁ କିଏ ରାଜ୍ୟ ବାହାରକୁ ଭ୍ରମଣ ରେ ନେଉଚିତ କିଏ ଅନ୍ୟ ଉପାୟରେ ସନ୍ତୁଷ୍ଟ କରିବାପାଇଁ ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.