ନିମ୍ନମାନରେ ନିର୍ମିତ କେନାଲ ମରାମତିକୁ ନେଇ ଚାଷୀଙ୍କ ଅଭିଯୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଥାରେ ଅଛି ‘ଚାଷକାମ ଯାହାର କେତେ ସୁଖ ତାହାର, ସେହି ସିନା ଯୋଗାଉଛି ଦୁନିଆକୁ ଆହାର’ଏହି କାଥାର ମହତ୍ତ୍ଵକୁ ହୃଦୟଙ୍ଗମ କରି ବିଗତ ନବୀନ ପଟ୍ଟନାୟକ ସରକାର ସୋହେଲା ବ୍ଲକ ଅନ୍ତର୍ଗତ ବିର୍ଜାମ ନିକଟରେ ପ୍ରଭାହିତ ହୋଇଥିବା ଘେଁସାଲି ନଦୀରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ବିଭାଗ ତରଫରୁ ପ୍ରାୟ ଛଅ କୋଟି ଟଙ୍କା ବ୍ୟୟରେ ଘେଁସାଲି-୨ ଡ୍ୟାମ ନିର୍ମାଣ କରିଥିଲେ । ସେଇ ଡ୍ୟାମରୁ ବାହାରି ଥିବା ବାମ ପାର୍ଶ୍ଵ କେନାଲଟି ଗାଇସିଲେଟ ବ୍ଲକର କମଲପଦର, ନୂଆଁପାଲି ଏବଂ ବିଜେପୁର ବ୍ଲକର ବାଲିପଟା, ଭଟିଗାଁ, ରେଙ୍ଗାଲପତ୍ରା ଆଦି ଗାଁ ଯାଏ ଅତି ନିମ୍ନମାନରେ ନିର୍ମିତ ହୋଇଥିବା ଅଭିଯୋଗ ହୋଇଛି । ଏହି କେନାଲରେ ପାଣି ପ୍ରବାହିତ ହୋଇ ଅଧିକାଂଶ ସ୍ଥାନରେ ଘାଇ ସୃଷ୍ଟି ହୋଇଯାଇ, ହିଡ ଧୋଇ ହୋଇଯାଇଛି । ଇତି ମଧ୍ୟରେ ଚାଷୀମାନେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଧିକାରୀଙ୍କୁ ବାରମ୍ବାର କେନାଲ ମରାମତି ପାଇଁ ଅର୍ଜିଦେଇ ଅଭିଯୋଗ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ଚାଷୀ ମାନେ ଶେଷରେ ନିରାଶ ହୋଇ ନିଜ ଅଣ୍ଟିରୁ ଟଙ୍କା ଖର୍ଚ୍ଚ କରି କେନାଲରେ ପ୍ଳାଷ୍ଟିକ ପାଇପ୍ ଖଞ୍ଜି ବିଲକୁ ପାଣି ଆଣିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ତାହା ସଫଲ ହେଲା ନାହିଁ । ଚାଷୀ ମାନଙ୍କ କହିବାନୁସାରେ କେନାଲ ନିର୍ମାଣ ହେବାଠାରୁ କେନାଲ ମରାମତି ପାଇଁ ସରକାରୀ ସ୍ତରରେ ଥରେ ୫୦ ଲକ୍ଷ ଏବଂ ଥରେ ୮୪ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା । ତାହା ବିଭାଗୀୟ ଅଧିକାରୀ ଏବଂ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସଠିକ୍‌ ଉପଯୋଗ ନହୋଇ କେବଲ ଆଖିଠାର ସଦୃଶ ହୋଇ ଲକ୍ଷଲକ୍ଷ ଟଙ୍କା ହରିଲୁଟ ହୋଇଯାଇଥିବା ଅଭିଯୋଗ ହେଉଛି । ଏବିଷୟରେ ଆମ ପ୍ରତିନିଧି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଯନ୍ତ୍ରୀଙ୍କୁ ପଚାରିବାରୁ କେନାଲ ମରାମତି ପାଇଁ ବିଭାଗ କାଖରେ ପାଣ୍ଠି ନାହିଁ, ପାଣ୍ଠି ମଞ୍ଜୁର ହେଲେ କେନାଲ ମରାମତି କରିବୁ ବୋଲି ସୂଚନା ଦେଇଛନ୍ତି । ଏବିଷୟରେ ନୁଆଁ ସରକାରଙ୍କ ବିଭାଗୀୟ ମନ୍ତ୍ରୀ ଦୃଷ୍ଟି ଗୋଚର କରି ମରାମତି ନାଁରେ ଟଙ୍କା ହରିଲୁଟ କରିଥିବା ବିଭାଗୀୟ ଅଧିକାରୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଚାଷୀମାନେ ଦାବି କରୁଛନ୍ତି ।

jittmm
Leave A Reply

Your email address will not be published.