ବଲାଙ୍ଗିର ଟାଉନ୍‌ ଥାନାରେ ସାଂଘାତିକ ଅଭିଯୋଗ : ଲୋକଙ୍କ କୋଟି କୋଟି ଟଙ୍କା ଆତ୍ମସାତ୍‌ କରିଛନ୍ତି ବଲାଙ୍ଗିର ମାଲପଡ଼ାର ଦେବଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱାସରେ ବିଷ ଦେଲା, ସେଆର୍‌ ମାର୍କେଟ୍‌ ନାଁରେ ଲୋକଙ୍କଠୁ କୋଟି କୋଟି ଟଙ୍କା ଆଦାୟ କରି ଆତ୍ମସାତ୍‌ କରିଦେଲା । ଏଭଳି ଏକ ସାଂଘାତିକ ଅଭିଯୋଗ ଆଜି ବଲାଙ୍ଗିର ଟାଉନ୍‌ ଥାନାରେ ପହଂଚିଛି । ସୁଦୂର ମାଲକାନ୍‌ଗିରିରୁ ଜିତେନ୍ଦ୍ର ପାତ୍ର, ସନ୍ତୋଷ କୁମାର ସୁବୁଦ୍ଧିଙ୍କ ସହ ୫ ଜଣ ଆଜି ବଲାଙ୍ଗିର ଟାଉନ୍‌ ଥାନାରେ ପହଂଚି ଏଭଳି ଅଭିଯୋଗ ଆଣିଛନ୍ତି । ଅଭିଯୋଗ ଅନୁସାରେ ବଲାଙ୍ଗିରର ସହରର ମାଲପଡ଼ା ନିବାସୀ ଦେବଜିତ ତ୍ରିପାଠୀ ୫ କୋଟିରୁ ଅଧିକ ଟଙ୍କା ଆତ୍ମସାତ୍‌ କରି ଧରାଛୁଆଁ ଦେଉନାହିଁ । ଅଭିଯୋଗକାରୀମାନେ କହିଛନ୍ତି, ଦେବଜିତ ପ୍ରାୟ ୭ ବର୍ଷ ତଳେ ମାଲକାନଗିରିକୁ ଆସି ନିଜର ପରିଚୟ ଲୁଚାଇ ସେ କଟକର ଅଧିବାସୀ ବୋଲି ଲୋକଙ୍କୁ କହିଥିବା ବେଳେ ସାଇ ବହି ଦୋକାନ ପଛପଟେ ରହୁଥିଲା । ପ୍ରଥମେ କମୋଡ଼ିଟି ମାର୍କେଟରେ ଅର୍ଥ ନିବେଶ କରିବା ବାହାନା ଦେଖାଇ ଅଭିଯୋଗକାରୀଙ୍କୁ ପ୍ରତିମାସ ୨୦ ପ୍ରତିଶତ ହାରରେ ଟଙ୍କା ଦେବା ପାଇଁ କହି କିଛି ମାସ ନିୟମିତ ଟଙ୍କା ଦେବା ପରେ ଲୋକଙ୍କ ଆସ୍ଥାଭାଜନ ହୋଇଥିଲା । ଏହାପରେ ଅଭିଯୁକ୍ତ ନିଜର ଅର୍ଥ ଆତ୍ମସାତ୍‌ର କାୟାବସ୍ତାର କରିଥିଲେ । ଅଧିକ ଲୋଭ ଆଶାରେ ଲୋକେ ଟଙ୍କା ଦେଇ ଚାଲିଲେ ଓ ମୂଳ ସହିତ ସୁଧର ମୋଟା ଅଙ୍କ ଆଶା ନେଇ ଚାତକ ପକ୍ଷୀ ଭଳି ଅପେକ୍ଷା କଲେ । ଏପରିକି ଅଭିଯୋଗକାରୀମାନଙ୍କ ସହ ଅନ୍ୟ ଅର୍ଥ ନିବେଶକାରୀଙ୍କ ନାଁରେ ଏକାଉଣ୍ଟ ଖୋଲିଦେବ ଏବଂ ସିଧାସଳଖ ତାଙ୍କ ଲାଭ ଅର୍ଥ ଏକାଉଣ୍ଟରେ ପଡ଼ିବ ବୋଲି ପୁଣି ଠକି ଚାଲିଲା ଠକ ଅଭିଯୁକ୍ତ । ଏହି ଆଳରେ ବି ଲୋକଙ୍କଠୁ ଜବର୍‌ଦସ୍ତ ଅର୍ଥ ଲୁଟାଗଲା । ଏହାପରେ ଏକାଉଣ୍ଟରେ କିଛି ତ୍ରୁଟି ରହିଥିବା ଯୋଗୁଁ ତୁମ ଟଙ୍କା ପଡ଼ୁନାହିଁ ବୋଲି ଭୁଆଁ ବୁଲାଇଲେ ଠକ ସର୍ଦ୍ଦାର । ଅଭିଯୋଗକାରୀଙ୍କ ଅନୁସାରେ ପ୍ରାୟ ୪ ବର୍ଷ ହେଲା ଆଜି ଆଜି କାଲି କାଲି କହି ଅର୍ଥନିବେଶକାରୀଙ୍କୁ ଆଉ ଧରାଛୁଆଁ ଦେଉନାହିଁ ଦେବଜିତ । ତେବେ ଅଭିଯୋଗକାରୀ ମାନେ ଅଭିଯୁକ୍ତ ଦେବଜିତ ମାଲପଡ଼ା ସ୍ଥିତ ଘର ସାମ୍ନାରେ ଟଙ୍କା ଫେରସ୍ତ କରିବା ପର୍ଯ୍ୟନ୍ତ ଆମରଣ ଅନଶନରେ ବସିବା ପାଇଁ ଟାଉନ ଥାନାରେ ଅନୁମତି ନିମନ୍ତେ ଲେଖି ଜଣାଇଥିବା ସୂଚନା ରହିଛି ।

Leave A Reply

Your email address will not be published.