ମହିଳାଙ୍କ ଆତ୍ମହତ୍ୟା : ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ବାପା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ବାଞ୍ଜିପାଲି ଗ୍ରାମରେ ଗୁରୁବାର ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ଗ୍ରାମର ହିମାଂଶୁ ସାହୁଙ୍କ ସ୍ତ୍ରୀ ରେଶମା ସାହୁ (୨୫) । ତେବେ ତାଙ୍କ ଝିଅକୁ ଶାଶୁଘର ଲୋକେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ନେଇ ମୃତ ମହିଳାଙ୍କ ବାପା ମକରଧ୍ୱଜ ସାହୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ସୂଚନା ମୁତାବକ, ଲୋଇସିଂହା ଥାନା ବୁର୍ଡା ପଞ୍ଚାୟତ ବାଞ୍ଜିପାଲି ଗ୍ରାମର ହିମାଂଶୁ ଓରଫ ସୁରେଶ ଗତ ୨୦୨୧ ମସିହା ଫେବୃୟାରୀ ୨୧ରେ ଦେଓଗାଁ ଥାନା କଛାରପାଲି ଗ୍ରାମର ମକରଧ୍ୱଜ ସାହୁଙ୍କ ଝିଅ ରେଶମା ଓରଫ ଗାୟତ୍ରୀଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ସମୟରେ ବାପଘର ଲୋକେ ଯଥାସାଧ୍ୟ ଜାନିଯୌତୁକ ଦେଇଥିଲେ ମଧ୍ୟ ରେଶମାଙ୍କ ଶାଶୁଘର ଲୋକେ ଅଧିକ ଯୌତୁକ ପାଇଁ ଅନେକ ସମୟରେ ତାକୁ ମାଡ଼ ମାରିବା ସହିତ ନିର୍ଯ୍ୟତନା ଦେଉଥିଲେ । ଏପରିକି ଆଉ ଏକ ଲକ୍ଷ ଟଙ୍କା ବାପଘରୁ ନଆଣିଲେ ଜୀବନରେ ମାରିଦେବାକୁ ଚେତାବନୀ ଦିଆଯାଇଥିବା ନେଇ ରେଶମା ଆଜି ସକାଳେ ବାପଘରକୁ ଫୋନ୍‌ କରି ଜଣାଇଥିଲେ । ଏହାର କିଛି ସମୟ ପରେ ଝିଅର ମୃତ୍ୟୁ ହୋଇଥିବା ନେଇ ମକରଧ୍ୱଜ ଖବର ପାଇବା ପରେ ଆତ୍ମୀୟ ସ୍ଵଜନଙ୍କ ନେଇ ବାଞ୍ଜିପାଲି ଆସିଥିଲେ । ଶୋଇବା ଘରେ ଏକ ଶାଢ଼ୀଦ୍ଵାରା ବେକରେ ଫାଶ ପକାଇ ଝିଅ ଓହଲି ପଡିଥିବା ସେ ଦେଖିବାକୁ ପାଇଥିଲେ । ଏଥି ସହିତ ମୁହଁରେ କପଡ଼ା ଘୋଡ଼ା ହୋଇଥିବାରୁ ତାଙ୍କ ଝିଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ନେଇ ଲୋଇସିଂହା ଥାନାରେ ଅଭିଯୋଗ କରିଥିଲେ । ବଲାଙ୍ଗିର ସଦର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ ଏବଂ ଆଇଆଇସି ଯାଜ୍ଞସେନି ନାୟକ ସାଇଣ୍ଟଫିକ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏହି ଘଟଣାରେ ମୃତା ମହିଳାଙ୍କ ସ୍ୱାମୀ, ଶାଶୁ ଓ ଶ୍ୱଶୁରଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରିବା ସହିତ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.