ଧର୍ମପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟାକଲା ନୃଶଂସ ସ୍ୱାମୀ : ପୁଇଁତଲା ଥାନାରେ ଅଭିଯୋଗ

ପୁଇଁତଲା, (କେପିଏନ୍‌ଏସ୍‌) : ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପାଇଁ ହାତ ଧରିଥିଲା । ଶେଷରେ ସୈତାନ ସାଜିଲା । ଏମିତି ଏକ ଘଟଣା ଆଜି ବଲାଙ୍ଗିର ଜିଲ୍ଲାରେ ଚହଳ ସୃଷ୍ଟି କରିଛି । ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କରିଛି ନୃଶଂସ ସ୍ୱାମୀ । ବୈଦିକ ରୀତିରେ ବାହା ହୋଇ ଶଂଖା ସିନ୍ଦୁର ଦେଇ ଘରକୁ ଆଣିଥିବା ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କରିଛି ସ୍ୱାମୀ । ନୃଂଶସ ସ୍ୱାମୀକୁ ଅଟକ ରଖିଛି ପୋଲିସ । ଏହି ହତ୍ୟାକାଣ୍ଡ ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ବି. ଫଟକରା ଗାଁରେ । ଗତକାଲି ବିଳମ୍ବିତ ରାତିରେ ଅଭିଜିତ ଛନ୍ଦ, ତା’ ସ୍ତ୍ରୀ ମମତା ଛନ୍ଦଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ନେଇ ବାପା ଘର ଲୋକେ ଅଭିଯୋଗ କରିଛନ୍ତି । ପୁଇଁତଲା ପୋଲିସ ସାଇନ୍‌ଟିଫିକ୍‌ ଟିମ୍‌ ସହିତ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ମୃତ୍ୟୁବରଣ କରିଥିବା ମହିଳା ମମତା ଓ ନୃଶଂସ ଅଭିଜିତଙ୍କ ଦୁଇଟି ପୁଅ ରହିଥିବା ବେଳେ ୮ ବର୍ଷ ତଳେ ସେମାନେ ବାହା ହୋଇଥିଲେ । ଦୀର୍ଘ ଦିନରୁ ଉଭୟଙ୍କ ଭିତରେ ଲାଗି ରହିଥିଲା ପାରିବାରିକ ବିବାଦ । ଏହି ପାରିବାରିକ ବିବାଦ ହିଁ ଏହି ହତ୍ୟାକାଣ୍ଡର ମୁଖ୍ୟ କାରଣ ବୋଲି କୁହାଯାଉଛି । ଗତକାଲି ରାତିରେ ସ୍ୱାମୀ ଅଭିଜିତ ତଣ୍ଟି ଚିପି ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସ୍ତ୍ରୀଙ୍କୁ ହତ୍ୟା କରି ଫେରାର୍‌ ମାରୁଥିବା ସ୍ୱାମୀ ଅଭିଜିତ ଛନ୍ଦକୁ ଅଟକ ରଖି ପୁଇଁତଲା ପୋଲିସ ପଚରା ଉଚୁରା ଜାରି ରଖିଥିବା ଜଣାପଡ଼ିଛି ।

Leave A Reply

Your email address will not be published.