ଖପ୍ରାଖୋଲ ପୁଷ୍ଟି ପୁନର୍ବାସ କେନ୍ଦ୍ରରେ ବିଭିନ୍ନ ସମସ୍ୟା : ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି ଅଭିଯୋଗ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଞ୍ଚଳର ମହିଳା ମାନେ ଅପପୁଷ୍ଟିରେ ପୀଡ଼ିତ ଥିବା ତାଙ୍କ ଶିଶୁ ମାନଙ୍କୁ ଖପ୍ରାଖୋଲ ଠାରେ ରହିଥିବା ପୁଷ୍ଟି ପୁନର୍ବାସ କେନ୍ଦ୍ରକୁ ନେଇ ବିଭିନ୍ନ ଅବ୍ୟବସ୍ଥାର ସମ୍ମୁଖୀନ ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ୭ ମାସରୁ ୬ ବର୍ଷର ଶିଶୁମାନେ ଯେପରି ଅପପୁଷ୍ଟିର ଶିକାର ନହେବେ ତାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ତରଫରୁ ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ପୁଷ୍ଟି ପୁନର୍ବାସ କେନ୍ଦ୍ର (ଏନ୍‌ଆର୍‌ସି) ଖୋଲାଯାଇଛି । ସେହିପରି ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଗୋଟିଏ ପୁଷ୍ଟି ପୁନର୍ବାସ କେନ୍ଦ୍ର ୨୦୧୨ ମସିହାରୁ ଚାଲୁଛି । ଉକ୍ତ କେନ୍ଦ୍ର କୋଠାରେ ଅଫିସ ରୁମ, କର୍ମଚାରୀ ରୁମ, ରନ୍ଧାଘର ଏବଂ ଶୌଚାଳୟ ସହ ଏକ ଛୋଟିଆ ହଲ୍‌ ରହିଛି । ସେହି ହଲ୍‌ରେ ଶିଶୁ ଏବଂ ମାଁମାନେ ରହିବା ପାଇଁ ବେଡ଼ ପଡ଼ିଛି । ଥରକୁ ୧୦ ଜଣ ଶିଶୁ ଏବଂ ତାଙ୍କ ମାଁ ମାନଙ୍କୁ ୧୫ ଦିନ ପର୍ଯ୍ୟନ୍ତ ସେଠାରେ ରଖି ତାଙ୍କୁ ପୁଷ୍ଟିକର ଖାଦ୍ୟପେୟ ଦେବା ସହ ଚିକିତ୍ସା କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଦୈନିକ ଜଣେ ଶିଶୁ ଏବଂ ମାଁଙ୍କ ଖାଦ୍ୟପେୟ ବାବଦକୁ ୧୬୫ ଟଙ୍କା ଖର୍ଚ୍ଚ କରିବାର ନିୟମ ରହିଛି । ସେହି କ୍ରମରେ ଲାଠୋର ସେକ୍ଟର ଅଞ୍ଚଳର ଅପପୁଷ୍ଟିରେ ପୀଡ଼ିତ ଥିବା ୩ଜଣ ଶିଶୁଙ୍କୁ ତାଙ୍କ ମା’ମାନେ ଏହି ନିକଟରେ ଚିକିତ୍ସା ପାଇଁ ସେଠାକୁ ନେଇଥିଲେ । ହେଲେ କେନ୍ଦ୍ର କୋଠାରେ ଆଗରୁ ଅନ୍ୟ ଶିଶୁମାନେ ରହିଥିବା ହେତୁ ସମ୍ପୃକ୍ତ ଶିଶୁ ଏବଂ ମାଁ ମାନଙ୍କୁ ଜାଗା ଅଭାବ ହେତୁ ହସ୍ପିଟାଲ ପରିସରରେ ଥିବା ଅନ୍ୟ ଏକ କୋଠରୀରେ ରଖି ସେବା ଯୋଗେଇ ଦିଆଯାଉ ଥିଲା । ମାତ୍ର ୧୦ଟି ସିଟ୍‌ ଥିବା ବେଳେ ଅଧିକ ସଂଖ୍ୟକ ଶିଶୁ ଚିକିତ୍ସା ପାଇଁ କେନ୍ଦ୍ରକୁ ଆସିବା ସମସ୍ୟା ସୃଷ୍ଟି କରିଥିଲା । ଗୋଟେ ପଟେ କେନ୍ଦ୍ର କୋଠାରେ ଜାଗର ଅଭାବ ରହିଥିବା ବେଳେ ଅନ୍ୟ ପେଟ ଲଗାଣ ଝିପିଝିପି ବର୍ଷାରେ କେନ୍ଦ୍ରର ବିଭିନ୍ନ ସ୍ଥାନରେ ଛାତରୁ ଏବଂ କାନ୍ଥରୁ ପାଣି ଝରିବା ଏବଂ ଡ୍ରେନେଜ ଅସୁବିଧା ପରିସ୍ଥିତିକୁ ସଙ୍ଗୀନ କରି ପକାଇଥିବା ସଂପୃକ୍ତ ମହିଳା ମାନେ କହିଛନ୍ତି । ଫଳରେ ୨୩ ଜୁଲାଇରୁ ୨୬ ଜୁଲାଇ ପର୍ଯ୍ୟନ୍ତ ୪ଦିନ ଧରି କାର୍ଯ୍ୟରତ କର୍ମଚାରୀମାନେ ନାକେଦମ ହୋଇପଡ଼ି ଥିଲେ । ଅନ୍ୟପଟେ ଜିଲ୍ଲା ପରିଷଦ ପାଣ୍ଠିରୁ ଆମ ହସ୍ପିଟାଲ ଯୋଜନାରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ସଂପୃକ୍ତ କୋଠକୁ ମରାମତି କରାଯାଇଛି । କୋଠାର ଅସଲ କାମକୁ ଛାଡ଼ି କେବଳ କୋଠାରେ ଝରକା କବାଟ, କାନ୍ଥରେ ପୁଟି ମାରି ଛାତ ଉପରେ ସେଡ ଲଗେଇ ବାହାରେ ରଙ୍ଗ ବୋଳି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ଶିଶୁ ମାନଙ୍କ ପାଇଁ ଦୁର୍ଭାଗ୍ୟର ବିଷୟ ବୋଲି ଚର୍ଚ୍ଚା ହେଉଛି । କାମ ସାରିବା ପାଇଁ ଯେମିତି ସେମିତି କରି ଅତି ନିମ୍ନମାନର କାମ କରି ପ୍ରଥମେ ଠିକାଦାର ପରେ ବିଭାଗୀୟ ଯନ୍ତ୍ରୀ ଆପସି ବୁଝାମଣାରେ ଲକ୍ଷ ଲକ୍ଷ ଟଙ୍କା ହଡପ କରି ନିମ୍ନମାନର କାମ କରାଯାଇଛି ବୋଲି ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଆମ ହସ୍ପିଟାଲ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା ସରକାର ବର୍ତ୍ତମାନ ବଦଳିଯାଇଛି । ନୂତନ ସରକାର ଏଦିଗରେ ଦୃଷ୍ଟି ଦେଇ ଦୁର୍ନୀତିକୁ ଲୋକଲୋଚନକୁ ଆଣିବ ନା ଚୁପ ରହିବ ଦେଖିବାକୁ ବାକି ରହିଲା ବୋଲି ଲୋକେ କହୁଛନ୍ତି । ଏନେଇ ହସ୍ପିଟାଲ କର୍ମଚାରୀଙ୍କୁ ପଚାରିବାରୁ ସରକାରଙ୍କ ଟଙ୍କା ଖର୍ଚ୍ଚ କଲା ପରେ ମଧ୍ୟ ସମସ୍ୟାର ସୁଧାର ଆସୁନାହିଁ ବୋଲି ମତ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.