ଟିଟିଲାଗଡ ବ୍ଲକ ମୁଖ୍ୟାଳୟରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଟିଟିଲାଗଡ, (କେପିଏନ୍‌ଏସ୍‌) : ଜୁଲାଇ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ମାସର ଶେଷ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଟିଟିଲାଗଡ ବ୍ଲକ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଛି । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଗୌରୱ ଶିୱାଜୀ ଇସଲୱାର, ଆରକ୍ଷୀ ଅଧିକ୍ଷକ ଖିଲାରୀ ରିଷିକେଶ ଦ୍ୟାନଦେଓଙ୍କୁ ସମୁଦାୟ ୭୨ ଗୋଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା । ତନ୍ମଧ୍ୟରୁ ୫୧ଟି ବ୍ୟକ୍ତିଗତ ଅଭିଯୋଗ ଓ ଅବଶିଷ୍ଠ ୨୧ଟି ସାମୁହିକ ଦରଖାସ୍ତ ଥିଲା । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଜନସାଧାରଣଙ୍କ ଏହି ସମସ୍ତ ଅଭିଯୋଗ ଓ ସମସ୍ୟା ଗୁଡିକର ଶୁଣାଣି କରି ୩୩ ଟି ମାମଲାର ଶୁଣାଣିର ତୁରନ୍ତ ସମାଧାନ କରିଥିଲେ ଏବଂ ବାକି ଥିବା ମାମଲା ଗୁଡିକୁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କିମ୍ବା ରେଡ୍‌କ୍ରସ୍‌ ସହାୟତା ଦିଆଯାଇ ନାହିଁ । ଏହି ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଭାତ କୁମାର ମହାପାତ୍ର, ଟିଟିଲାଗଡ ଉପଜିଲ୍ଲାପାଳ ରେହାନ ଖେତ୍ରୀ, ଡେପୁଟି କଲେକ୍ଟର(ସାଧାରଣ ଓ ବିବିଧ)ସଚିଦାନନ୍ଦ ମିଶ୍ର, ଜିଲ୍ଲା ଶିକ୍ଷାଧିକାରୀ ଧୃବ ଚରଣ ବେହେରା, ଜିଲ୍ଲା ମୁଖ୍ୟ ମତ୍ସ ଅଧିକାରୀ ଉମେଶ ଧରୁଆ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଲେଖ ବିଶ୍ୱାଳ, ସ୍ନିଗ୍ଧାରାଣୀ ତ୍ରିପାଠୀ ତଥା ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.