ପଦ୍ମପୁର, ( ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲାର ପଦ୍ମପୁର ରାଜବୋଡ଼ସମ୍ବର ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜି, ଆରକ୍ଷୀ ଅଧିକ୍ଷକ ପିଏସ ମିନା, ପଦ୍ମପୁର ଉପଜିଲ୍ଲାପାଳ ଆଲୋକ ପଟେଲ, ଏସଡିପିଓ ବିଭୁତି ଭୋଇ, ରାଜବୋଡ଼ାସମ୍ବର ବିଡ଼ିଓ ବିଶ୍ୱନାଥ ସାହୁଙ୍କ ସହ ଉପଖଣ୍ଡ ପ୍ରଶାସନର ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇ ଜନସାଧାରଣଙ୍କ ସମସ୍ୟା ଶୁଣିଛନ୍ତି । ଜନସାଧାରଣଙ୍କ ଏସବୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜବୋଡ଼ାସମ୍ବର ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହରେ ଏହି ଶୁଣାଣି କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ମୋଟ ୪୮ଟି ସମସ୍ୟାର ସମାଧାନ ପାଇଁ ଲୋକେ ଆବେଦନ କରିଥିଲେ । ଏସବୁ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଭିଯୋଗ ଶୁଣାଣିକୁ ଜନସାଧାରଣ ନିଜର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆସିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ସାମିଲ ହେବାପାଇଁ ମଧ୍ୟ ଲୋକେ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ଆସିଥିଲେ । ମୋ ଘର, ରାସନ କାର୍ଡ, ଶିକ୍ଷକ ଅଭାବ, ପାନୀୟଜଳ ଆଦି ଭଳି ବିଷୟରେ ଅଧିକାଂଶ ଅଭଯୋଗ ଆସିଥିଲା । ସେହି ସମସ୍ତ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦିଷ୍ଟ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ସମସ୍ତ ସମସ୍ୟାର ପ୍ରତିକାର କରିବା ପାଇଁ ଉଚିତ୍ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି । ଶେଷରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ବିଡିଓ ଉପଖଣ୍ଡ ଚିକିତ୍ସାଳୟକୁ ଗସ୍ତକରି ବିକାଶ କାର୍ଯ୍ୟର ସମୀକ୍ଷା କରିଥିଲେ ।