ଭୂତ ଖାଉଛି ବାର୍ଦ୍ଧକ୍ୟ ଭତ୍ତା : ସିନାପାଲି ବ୍ଲକରେ ମହା ଘୋଟଲା ହୋଇଥିବା ଅଭିଯୋଗ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ରାଜ୍ୟର ଏକ ଉପାନ୍ତ ଜିଲ୍ଲା । ଏଠାରେ ସରକାରୀ ବାବୁ ଏବଂ ଜନପ୍ରତିନିଧିମାନଙ୍କ ପାଇଁ ଦୁର୍ନୀତି ଏକ ସାଧାରଣ ବିଷୟ ପାଲଟିଛି । ଜିଲ୍ଲାରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଦୁର୍ନୀତି ସାମ୍ନାକୁ ଆସୁଥିଲେ ହେଁ ଠୋସ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଏହା ଥମିବା ବଦଳରେ ବଢ଼ିବଢ଼ି ଚାଲିଛି । ଠିକ୍‌ ଏହିଭଳି ଦୁର୍ନୀତି ସାମ୍ନାକୁ ଆସିଛି ଜିଲ୍ଲାର ସିନାପାଲି ବ୍ଲକ ଟିମନପୁର ପଂଚାୟତରୁ । ଏହି ପଞ୍ଚାୟତର ତିନୋଟି ଗାଁର ଅନେକ ମୃତକ ବ୍ୟକ୍ତିଙ୍କ ନାଁରେ ବାର୍ଦ୍ଧକ୍ୟ ଭତ୍ତା ପଇଠ ହେଉଥିବା ଭଳି ଏକ ସଙ୍ଗିନ ଅଭିଯୋଗ ହୋଇଛି । ଟିମନପୁର ପଂଚାୟତରେ ଭୁତ ଖାଉଛି ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ବୋଲି ଆଲୋଚନା ହେଉଛି । ସୂଚନା ଅନୁସାରେ ଏହି ପଂଚାୟତର ହୀରାପୁର, ଗୋବିନ୍ଦପୁର ଓ ଟିମନପୁର ଗାଁର ମୃତକ ବ୍ୟକ୍ତିଙ୍କ ନାମରେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ପଇଠ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ପଞ୍ଚାୟତର ନଅରୁ ଦଶ ଜଣଙ୍କ ମୃତ୍ୟୁ ହେବାର ମାସ ମାସ ବିତି ଯାଇଥିଲେ ହେଁ ବାର୍ଦ୍ଧକ୍ୟ ଭତ୍ତା ବର୍ତ୍ତମାନ ମଧ୍ୟ ପଇଠ ହେଉଥିବା ଅଭିଯୋଗ ହେଉଛି । ଆଶ୍ଚର୍ଯ୍ୟର କଥା ଏହି ଟଙ୍କା ମୃତକଙ୍କ ପରିବାରର କୌଣସି ସଦସ୍ୟ ପାଉନଥିବା ଜଣାପଡିଛି । ପୂର୍ବରୁ ବାର୍ଦ୍ଧକ୍ୟ ଭତ୍ତା ସମସ୍ତ ହିତାଧିକାରୀଙ୍କୁ ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସରପଞ୍ଚ ମିଶି ହିତାଧିକାରୀଙ୍କ ହାତରେ ଟଙ୍କା ଦେଉଥିଲେ । ହେଲେ ବର୍ତ୍ତମାନ ସରକାରଙ୍କ ନୂଆ ନିୟମ ଅନୁଯାୟୀ ଅନ୍‌ଲାଇନ ପେମେଂଣ୍ଟ ହେଉଅଛି । ଅନଲାଇନ ପେମେଂଣ୍ଟ ହେବା ଫଳରେ ମୃତକ ବ୍ୟକ୍ତିମାନଙ୍କ ଆକାଉଣ୍ଟରେ ଟଙ୍କା ଆସିଥିବା ମୃତକଙ୍କ ସମ୍ପର୍କୀୟଙ୍କ ସହ କିଛି ସଚେତନ ନାଗରିକ ଜାଣିବାକୁ ପାଇଥିଲେ । ବର୍ତ୍ତମାନ ମୃତ୍ୟୁର ମାସ ମାସ ବିତି ଯାଇଥିଲେ ହେଁ ଏହି ମାସରେ କେମିତି ଟଙ୍କା ପଇଠ ହୋଇଛି ତାହା ସନ୍ଦେହ ଘେରରେ । ତେବେ ଏହା ପୂର୍ବରୁ ମଧ୍ୟ ଟଙ୍କା ଆସୁଥିଲା ହେଲେ କେମିତି ଓ କିଏ ସେହି ଟଙ୍କା ନେଉଥିଲା ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏହା ନିଶ୍ଚିନ୍ତ ଭାବରେ ପଂଚାୟତର ସରପଞ୍ଚ, କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ବ୍ଲକ ପ୍ରଶାସନ ଜାଣିଶୁଣି ଟଙ୍କା ଲୁଟୁଥିଲେ ବୋଲି ଲୋକେ କହିଛନ୍ତି । ଗୋଟିଏ ନୁହେଁ କି ଦୁଇଟି ନୁହେଁ ତିନୋଟି ଗାଁର ଅନେକ ମୃତକ ବ୍ୟକ୍ତିଙ୍କ ନାଁରେ ଟଙ୍କା ଆସିଛି, ହେଲେ ଅଫ୍‌ଲାଇନ ପେମେଂଣ୍ଟ ସମୟରେ ମୃତକଙ୍କ ସମ୍ପର୍କୀୟମାନେ ଏହି ଟଙ୍କା ପାଇ ନାହାନ୍ତି । ପ୍ରକୃତରେ ଟଙ୍କା ଯାଉଥିଲା କୁଆଡେ ତାହା ଏବେ ତଦନ୍ତ ସାପେକ୍ଷ ବୋଲି ମତ ପ୍ରକାଶ ପାଇଛି । ଏହି ଘଟଣା ସାମ୍ନାକୁ ଆସିବାର କାରଣ ହେଉଛି ଅନ୍‌ଲାଇନ ପେମେଂଟ । ଅନ ଲାଇନ ପେମେଂଟରେ ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିବାରୁ ଏହି ଘଟଣା ସାମ୍ନାକୁ ଆସିଛି । ଯଦି ପୂର୍ବରୁ ମୃତକ ବ୍ୟକ୍ତିମାନଙ୍କ ନାଁ କଟି ସାରିଥିଲା ତେବେ ବର୍ତ୍ତମାନ କେମିତି ଆକାଉଣ୍ଟକୁ ଟଙ୍କା ଆସିଛି ବୋଲି ଏବେ ଚର୍ଚ୍ଚା ଜୋର ଧରିଛି । ଏଥିରେ ବ୍ଲକ ପ୍ରଶାସନ ସହ ପଞ୍ଚାୟତ ଅଧିକାରୀ ଓ ସରପଞ୍ଚଙ୍କ ହାତ ଥିବା ଲୋକେ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ଏହାର ଉଚିତ ତଦନ୍ତ କରି ମୃତ ବ୍ୟକ୍ତିଙ୍କ ନାଁରେ ଟଙ୍କା ଉଠାଇ ଖାଉଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବୀ ହେଉଛି । ଅପରପକ୍ଷରେ ଏନେଇ ସ୍ଥାନୀୟ ସରପଞ୍ଚ ଓ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ମୃତକ ବ୍ୟକ୍ତିମାନଙ୍କ ମୃତ୍ୟୁ ପରେ ଉପରିସ୍ଥ ଅଧିକାରୀଙ୍କୁ ନାମ କାଟିବା ପାଇଁ ଲିଖିତ ଦେଇଛୁ ଏବଂ ମଲାଦିନଠାରୁ ସେମାନଙ୍କ ନାଁରେ ଟଙ୍କା ଆସୁନାହିଁ ବର୍ତ୍ତମାନ କେମିତି ସେମାନଙ୍କ ନାମରେ ଟଙ୍କା ଆସିଛି ଆମେ ଜାଣି ନାହୁଁ ବୋଲି କହିଛନ୍ତି । ଏ ବାବଦରେ ସିନାପାଲି ବିଡ଼ିଓଙ୍କୁ ପଚାରିବାରୁ ତଦନ୍ତ କରି କହିବି ବୋଲି କହିଥିଲେ ।

Leave A Reply

Your email address will not be published.