ପୂଜାପାଠ ଆଳରେ ଶ୍ରଦ୍ଧାଳୁଙ୍କୁ ପୂଜକଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ : ଥାନାରେ ଏତଲା, ପୂଜକ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରଦ୍ଧାଳୁଙ୍କୁ ପୂଜକଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ଥାନାରେ ଏତଲା, ପୂଜକ ଗିରଫ । ଆଧ୍ୟାତ୍ମିକ ଭାବନା ନେଇ ଲୋକେ ପୂଜାର୍ଚ୍ଚନା କରିଥାନ୍ତି । ପୂଜକମାନଙ୍କୁ ଶ୍ରଦ୍ଧାଳୁ ଦେବାଦେବୀଙ୍କ ଅତି ନିକଟ ଲୋକ ଭାବେ ସମ୍ମାନ ଦେଇଥାନ୍ତି । ହେଲେ ଜଣେ ପୂଜକ ଜଣେ ଶ୍ରଦ୍ଧାଳୁଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଭଳି ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅଞ୍ଚଳରେ । ସୂଚନାନୁସାରେ ପାଇକମାଲ ଅଞ୍ଚଳର ଜଣେ ମହିଳା ପାଇକମାଲ ସହରର ଦୁର୍ଗା ମନ୍ଦିରକୁ ପୂଜାର୍ଚ୍ଚନା କରିବା ପାଇଁ ଆସିଥିଲେ । ପୂଜକ ଦିଗାମ୍ବର ଦେବତା ତାଙ୍କ ଭବିଷ୍ୟବାଣୀ ଦେଖି ବିଧବା ଯୋଗ ଅଛି କହିଥିଲେ । ମହିଳା ଜଣଙ୍କ ରିଷ୍ଟ ଖଣ୍ଡନ ପାଇଁ ପୂଜକଙ୍କୁ ଉପାୟ ପଚାରିଥିଲେ, ପୂଜକ ଜଣକ ରାତିରେ ପୂଜାପାଠ କରି ଡେଉଁରିଆ ପିନ୍ଧିବାକୁ ପଡିବ ବୋଲି ଉପାୟ ଦେଇଥିଲେ । ପୂଜକଙ୍କ କଥା ଅନୁସାରେ ମହିଳା ଜଣକ ରାତିରେ ମନ୍ଦିରକୁ ଆସି ପୂଜାପାଠ କରି ଏକ ଡେଉଁରିଆ ନେଇ ପୂଜକଙ୍କୁ ୨୫୦୦୦ ଟଙ୍କା ମଧ୍ୟ ଦେଇଥିଲେ । କିନ୍ତୁ ଏହାର ସୁଯୋଗ ନେଇ ପୂଜକ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ବୋଲି ମହିଳା ଜଣକ ପାଇକମାଲ ଥାନାରେ ଲିଖିତ ଏତଲା ଦେଇଛନ୍ତି । ଏତଲାକୁ ଭିତ୍ତିକରି ପାଇକମାଲ ଥାନାରେ ୧୬୯/୨୦୨୧ ଏକ ମାମଲା ରୁଜୁ କରି ଡାକ୍ତରୀ ମାଇନା କରି ପୂଜକଙ୍କୁ ଜେଲ ପଠା ଯାଇଥିବା ପାଇକମାଲ ଥାନା ଅଧିକାରୀ ବିଶ୍ୱଜିତ ମନୋବଧ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.