ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଖମାରମୁଣ୍ଡାରେ ଥିବା ବାଲାଜୀ ଯୁକ୍ତ ଦୁଇ ସାଇନ୍ସ କଲେଜରେ ଜଣେ ଦଳିତ ଛାତ୍ରଙ୍କୁ ସେହି କଲେଜର ଜଣେ ଅଧ୍ୟାପକ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି । ଏନେଇ ଅଭିଯୋଗ ପାଇବା ପରେ ପୁଇଁତଲା ଥାନା ପୋଲିସ ଅଭିଯୁକ୍ତ ଅଧ୍ୟାପକଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।
ଅଭିଯୋଗରୁ ଜଣାପଡ଼ିଛି ଯେ, ଦେଓଗାଁ ଅଞ୍ଚଳର ମଧୁସୂଦନ ବାରିକଙ୍କ ପୁଅ ସାହିଲ ବାରିକ ଖମାରମୁଣ୍ଡାର ବାଲାଜୀ କଲେଜରେ ଯୁକ୍ତ ଦୁଇ ବିଜ୍ଞାନର ପ୍ରଥମ ବର୍ଷର ଛାତ୍ର ଭାବରେ ହଷ୍ଟେଲରେ ରହି ପାଠ ପଢୁଛନ୍ତି । କୌଣସି କାରଣରୁ ଉତ୍ତେଜିତ ହୋଇ ସେହି କଲେଜର ରସାୟନ ବିଭାଗର ଅଧ୍ୟାପକ ସଚିନ କ୍ଷେତୀ ସାହିଲଙ୍କୁ ମୁହଁରେ ମାଡ ମାରିଥିଲେ । ଏପରିକି ଛାତ୍ରଙ୍କ ଜାତିକୁ ନେଇ ଆକ୍ଷେପ କରିଥିଲେ ବୋଲି ଅଭିଯୋଗରେ ଦର୍ଶାଇଛି । ଛାତ୍ର ଜଣକ ଏବିଷୟରେ ତାଙ୍କ ବାପାଙ୍କୁ କହିବା ପରେ ସେ କଲେଜରେ ପହଞ୍ଚି ତାଙ୍କ ପୁଅକୁ ଧରି ପୁଇଁତଲା ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ପୁଇଁତଲା ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ତେବେ ଛାତ୍ରଜଣକ କଲେଜରେ ବାରମ୍ବାର ଉତ୍ପାତ କରୁଥିବା ଓ ଅଧ୍ୟାପିକା କ୍ଲାସ କରୁଥିବା ବେଳେ ଛାତ୍ର ଜଣକ କମେଣ୍ଟ କରିଥିବା ବିଷୟକୁ ନେଇ ଅଧ୍ୟାପକ ସଚିନ କ୍ଷେତି ଚାପୁଡ଼ା ମାରିିଥିବା କହିଛନ୍ତି ।