ଧାନ ବିକ୍ରି କରିଥିବା ଲୋକଙ୍କ ଅର୍ଥ ପ୍ରାପ୍ୟରେ ଅହେତୁକ ବିଳମ୍ବ ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଧାନ ବିକ୍ରି କରିଥିବା ଲୋକଙ୍କୁ ତାଙ୍କ ଟଙ୍କା ଠିକ ଭାବେ ମିଳୁନଥିବା ଅଭିଯୋଗ ହୋଇଛି । ବାରମ୍ବାର ସ୍ଥାନୀୟ ପ୍ରାଥମିକ ସେବା ସମବାୟ ସମିତିକୁ ଯାଇ ଏବଂ ଜିଲ୍ଲା ଯୋଗାଣ ବିଭାଗକୁ ଯାଇ ହିତାଧିକାରୀମାନେ ନାନା ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଛି । ଧାନ ବିକିଲେ ତା’ର ପ୍ରାପ୍ୟ ମୂଲ୍ୟ ପ୍ରଦାନରେ ଅନେକ କଟକଣା ଦେଖାଇ ଲୋକଙ୍କୁ (ହିତାଧିକାରୀଙ୍କୁ) ନାନା ହଇରାଣ କରିବା ଭଳି ଘଟଣା ଗଞ୍ଜାମ ଜିଲ୍ଲାରେ ଏକ ସ୍ୱାଭାବିକ ବିଷୟ ପାଲଟିଛି । ଏ କ୍ଷେତ୍ରରେ ଯୋଗାଣ ସହାୟକ ଓ ଯୋଗାଣ ନିରୀକ୍ଷକମାନେ ଏଭଳି ଗରୀବ ଲୋକଙ୍କୁ ହଇରାଣ ହନ୍ତସନ୍ତ କରାଉଥିବା ଅଭିଯୋଗ ହେଉଅଛି । ଏଭଳି ହନ୍ତସନ୍ତ ହେଉଥିବା ଲୋକଙ୍କ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଯୁକ୍ତ ଧ୍ୟାନ ଦିଆଯିବା ଜରୁରୀ ହୋଇଛି । କାହିଁକି ନା ଜିଲ୍ଲାର ଗରିବ ଚାଷୀ, ଖଟିଖିଆମାନେ ଅର୍ଥ ରାଶି ପାଇଲେ, ପଇସାଟିଏ ନେଲେ ଘର ଚଳିବ । ଏଭଳି ଏକ ସମସ୍ୟାରେ ପଡ଼ି ଦୀର୍ଘ ୭ ମାସ ହେଲା ହନ୍ତସନ୍ତ ହୋଇ ଶେଷକୁ ପ୍ରଶାସନର ଦ୍ୱାରସ୍ଥ ହୋଇ ଦିନତମାମ ଧାରଣାରେ ବସିଲେ । ମୋ ପଇସା ତକ ମିଳିଲେ ମୁଁ ଏଠାରୁ ଯିବି ବୋଲି କହିଲେ ଜଣେ ମହିଳା ।

ସୂଚନାଯୋଗ୍ୟ ଯେ, ଛତ୍ରପୁର ବ୍ଲକ ବଉଳଗାଁ ପଞ୍ଚାୟତ ରୁକ୍ମିଣୀ ଗାଁର ଜଣେ କୃଷିଜୀବୀ ମହିଳା ଚାଷୀ କାବେରୀ ମୁଦୁଲୀ ଗତ ସୋମବାର ଦିନ ଜିଲ୍ଲା ମହକୁମା ଛତ୍ରପୁରସ୍ଥ ସହକାରୀ ପ୍ରବନ୍ଧକ ସମବାୟ ସମିତି କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ସେ ଗତ ୭ ମାସ ପୂର୍ବେ ଗାଁ ପ୍ରାଥମିକ ସେବା ସମବାୟ ସମିତିରେ ୫୦ ହଜାର ଟଙ୍କାର ଧାନ ବିକ୍ରି କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଧାନ ବିକ୍ରି ବାବଦକୁ ଟଙ୍କା ନ ମିଳିବାରୁ ସେ ସୋମବାର ଧାରଣାରେ ଏକାକି ଦିନତମାମ ବସିଥିଲେ । ଏଆର୍‌ସିଏସ୍‌ ଅଫିସ, ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସେ ବହୁ ବାର ବୁଲିବୁଲି ବହୁ ହନ୍ତସନ୍ତ ହୋଇ ଗଲେଣି ବୋଲି ସ୍ତ୍ରୀ ଲୋକଟି ମିଡ଼ିଆ ଆଗରେ କହିଛନ୍ତି । ମିଡ଼ିଆ-ପ୍ରତିନିଧିମାନଙ୍କ ପଦକ୍ଷେପକୁ ଦେଖି ଉକ୍ତ କାର୍ଯ୍ୟରେ ପ୍ରଶାସନ ସେହି ସ୍ତ୍ରୀଲୋକଟିକୁ ବୁଝାସୁଝା କରି ବିଦା କରିଦେଇଥିବା ଜଣାଯାଇଛି । ଅନ୍ୟପକ୍ଷରେ ଏଆର୍‌ସିଏସ୍ ଯୋଗମାୟା ସାବତଙ୍କୁ ପଚାରି ବୁଝିବାରୁ ଏଭଳି ସମସ୍ୟା ପ୍ରାୟ ୧୦୦ଜଣ ଚାଷୀଙ୍କର ରହିଥିବା କହିଛନ୍ତି । ବକେୟା ପ୍ରାପ୍ୟ ଦେବାକୁ ସରକାରଙ୍କୁ ଚିଠି ପଠାଯାଇଛି । ଟଙ୍କା ଆସିଲେ ଦିଆଯିବ ବୋଲି ସେ କହିଛନ୍ତି । ଆକାଉଣ୍ଟ ନମ୍ବର ସେମାନଙ୍କର ଭୁଲଥିବା ନେଇ ଏହି ଅସୁବିଧା ହୋଇଛି ବୋଲି କହି ଅତି ଶୀଘ୍ର ସେମାନେ ସେମାନଙ୍କର ପ୍ରାପ୍ୟ ପାଇବେ ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷ୍ପା ମୁଣ୍ଡା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.