ଗାଇଖାଇ କେନାଲରୁ ରଫାଖାଲକୁ ଯାଇଥିବା କେନାଲ କାମ ନିମ୍ନମାନର ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ତଥା ଆଗଲପୁର ବ୍ଲକ ଗାଇଖାଇ କେନାଲରୁ ରଫାଖାଲ ଗ୍ରାମକୁ ଯାଇଥିବା କେନାଲରେ ଗତବର୍ଷ ୨୪ ଲକ୍ଷ ଟଙ୍କାରେ କଂକ୍ରିଟ କାନ୍ଥ କାମ କରାଯାଇଥିଲା । ତେବେ ନିମ୍ନମାନର କାମ ଯୋଗୁଁ ଚଳିତ ବର୍ଷ ସାମାନ୍ୟ ବର୍ଷାରେ ତାହା ଭାଙ୍ଗି ଯାଇଛି । ଅତି ତରବରିଆ ଭାବେ ନିମ୍ନମାନର କାମକୁ ଘୋଡାଇବାକୁ ଯାଇ ଚଳିତ ବର୍ଷ ପୁଣି ନିର୍ମାଣ କାମ କରାଯାଇଛି । ୨୪ ଲକ୍ଷ ଟଙ୍କାରେ ନିର୍ମିତ କାନ୍ଥ ଗୋଟିଏ ବର୍ଷରେ ଭାଙ୍ଗିଯିବା ନିମ୍ନମାନର କାମକୁ ପ୍ରମାଣିତ କରୁଛି ।

ଚଳିତ ଜୁଲାଇ ମାସରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଗଜା ମରୁଡି ପରିସ୍ଥିତି ସୃଷ୍ଟି ହେବାକୁ ବସିଲାଣି । ଡ୍ୟାମକାମ ଠିକ ସମୟରେ ସରିପାରି ନ ଥିବା ବେଳେ ବନ୍ଧରୁ ପାଣି ଆସୁ ନ ଥିବାରୁ ଗାଇଖାଇ ପ୍ରକଳ୍ପ ଉପରେ ନିର୍ଭର କରୁଥିବା ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏସବୁ ସମସ୍ୟାକୁ ନେଇ ସ୍ଥାନୀୟ ଲୁହୁରାମୁଣ୍ଡାର ଚାଷୀ ଦିଲୀପ ବାରିକ, ବାବୁ ଫାସଡ଼ ର ବିଜୟ କୁମାର ବାବୁ, ଚାଷୀ ନେତା ପୁରନ୍ଦର ଦାଶ ଆର୍ତ୍ତ ପଧାନ, କରୁଣା ସେଠ୍ ପ୍ରମୁଖ ଜଳସେଚନ ବିଭାଗ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି । ଏହି କେନାଲ ବିଭାଗର ଦାୟିତ୍ୱରେ ଥିବା ଯନ୍ତ୍ରୀ ଓ ଏସଡିଓ ଙ୍କ ବଦଳି ଦାବି କରିଛନ୍ତି ସ୍ଥାନୀୟ ଚାଷୀମାନେ । ସେମାନଙ୍କ କହିବା କଥା ହେଲା, ଜାତୀୟ ରାଜପଥ ନଂ ୨୬ କୁ ଆଖପାଖ ଲୁହୂରାମୁଣ୍ଡା, ଶଙ୍ଖୁଆ, ମନୁପାଲି ତଥା ସ୍ଥାନୀୟ ଗ୍ରାମଗୁଡିକୁ ସଂଯୋଗ କରିବା ପାଇଁ ଓଡିଶା ସରକାରଙ୍କ ତରଫରୁ ୧ କୋଟି ୯ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ପୋଲ ନିର୍ମାଣ କରାଯାଇଛି । ହେଲେ ପିଲର ଗୁଡିକର ନିହ ମାତ୍ର ନଅ ଫୁଟ ଥିବାରୁ ଏବେ ପୋଲର ଛାତରେ ଗର୍ତ୍ତ ସୃଷ୍ଟି ହୋଇ ପାଣି ଝରୁଥିବା ଦେଖିବାକୁ ମିଳିଛି । 
ଏଥିସହିତ ଗାଇଖାଇ ପ୍ରକଳ୍ପରେ ପ୍ରାୟ ୪ କୋଟି ୩୯ ଲକ୍ଷ ୯୧ ହଜାର ଟଙ୍କାର କାର୍ୟ୍ୟ ଚାଲିଥିବା ବେଳେ ଉକ୍ତ ମାଟିକୁ ଆଣି ପୋଲର ଦୁଇ ପାର୍ଶ୍ଵରେ ପକାଯାଇ ମିଥ୍ୟାବିଲ କରାଯାଉଛି ବୋଲି ଅଭିଯୋଗ ହୋଇଛି । ଏହି ପ୍ରକଳ୍ପର ବଜେଟରୁ ହିଁ ୨୪ ଲକ୍ଷ ଟଙ୍କାର କେନାଲ କାମ ହୋଇଥିଲା । ବିଭାଗୀୟ ଅଧିକାରୀ ଏବଂ ଦାୟିତ୍ୱରେ ଥିବା ଠିକାଦାରଙ୍କ ମିଳିତ ମଧୁଚନ୍ଦ୍ରିକା ଯୋଗୁଁ ସ୍ଥାନୀୟ ଚାଷୀ ସରକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ରହିଛନ୍ତି । ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବାକୁ ଚାଷୀ ମାନେ ଦାବି କରିଛନ୍ତି ।

Leave A Reply

Your email address will not be published.